ପାଟଣା: ସରକାରୀ ବ୍ୟବସ୍ଥା ଅନୁସାରେ କୌଣସି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସଂପୃକ୍ତ ଠିକାସଂସ୍ଥା ବିଲ୍‌ ପ୍ରଦାନ କରିଥାନ୍ତି। ଏହାପରେ ସମ୍ପୃକ୍ତ ବିଭାଗ ପକ୍ଷରୁ ଠିକାସଂସ୍ଥାକୁ ଅନୁଦାନ ପ୍ରଦାନ କରାଯାଇଥାଏ। କିଛି ସ୍ଥାନରେ ପର୍ଯ୍ୟାୟକ୍ରମେ ଠିକାସଂସ୍ଥାକୁ ଅନୁଦାନ ରାଶି ପ୍ରଦାନ କରାଯାଇଥାଏ। ହେଲେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ରେ ଓଲଟା ଚିତ୍ର ଦେଖିବାକୁ ମିଳିଛି। ୧୦ ମାସ ତଳୁ ରାସ୍ତା ନିର୍ମାଣ ପାଇଁ ଠିକାସଂସ୍ଥାକୁ ଅଗ୍ରିମ ଅନୁଦାନ ଦିଆଯାଇଥିଲେ ମଧ୍ୟ ରାସ୍ତା କାମ ଆରମ୍ଭ ହୋଇନଥିଲା। ଏନେଇ ଅଭିଯୋଗ ହେବା ପରେ ଏବେ ସାତଦିନ ହେବ ରାସ୍ତା କାମ ଆରମ୍ଭ ହୋଇଛି। ଅତ୍ୟନ୍ତ ତରବରିଆ ଭାବେ ରାସ୍ତା ନିର୍ମାଣ କରାଯାଉଥିବାରୁ କାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି।

Advertisment

ପାଟଣା ବ୍ଲକ୍‌ ସ୍ବାମରୁ ସରାସକୋଲା ପର୍ଯ୍ୟନ୍ତ ୫ କିଲୋମିଟର ପିଚୁରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬୨ ଲକ୍ଷ ଟଙ୍କା ୮୦ ହଜାର ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଥିଲା। ୨୦୨୩ ମାର୍ଚ୍ଚ ଅର୍ଥାତ ୧୦ ମାସ ତଳୁ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ରାସ୍ତା ନିର୍ମାଣ ପାଇଁ ଅଗ୍ରିମ ଅନୁଦାନ ଠିକାସଂସ୍ଥାକୁ ପ୍ରଦାନ କରାଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇନଥିଲା। ଏନେଇ ଅଭିଯୋଗ ହେବା ପରେ ଏବେ ସପ୍ତାହେ ହେଲା ଅତ୍ୟନ୍ତ ତରବରିଆ ଭାବେ ରାସ୍ତା କାମ କରାଯାଉଛି। ରାତିରେ ରାସ୍ତା କାମ ହେଉଥିବାରୁ କାମର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ଅତ୍ୟନ୍ତ ନିମ୍ନମାନର କାମ ହେଉଥିବାରୁ ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ ଉଠିଯାଉଛି। ଏହାର ପ୍ରତିବାଦରେ ଆଜି ଗ୍ରାମବାସୀ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବାନନ୍ଦ ମହାନ୍ତଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାମରେ ଠିକାସଂସ୍ଥାକୁ ଆଗୁଆ ବିଲ୍‌ ପଇଠ କରାଯିବାର ନିୟମ ରହିଛି। ଏକା ସମୟରେ ୩ଟି ରାସ୍ତା କାମ ପାଇଁ ଟେଣ୍ଡର ହୋଇଥିଲା। ସମ୍ପୃକ୍ତ ଠିକାଦାରଙ୍କୁ ପିଚୁ କିଣିବା‌ପାଇଁ ଆଗୁଆ ୩୦ରୁ ୩୫ ଲକ୍ଷ ଦିଆଯାଇଛି ବୋଲି ଶ୍ରୀ ମହାନ୍ତ ପ୍ରକାଶ କରିଛନ୍ତି।