‌କୋଲକା‌ତାରୁ ଫେରାର୍‌ ବିମଳ ଶର୍ମା ଦ୍ବୈତନଗରୀରେ: ଫଟୋ ଜାରି କଲା କ୍ରାଇମବ୍ରାଞ୍ଚ, ଅପହରଣ, ହତ୍ୟାକାଣ୍ଡରେ ସାମିଲ

କଟକ: କୋଲକାତା ଭବାନୀପୁର ଥାନା ଅଞ୍ଚଳର ଏକ ବହୁଚର୍ଚ୍ଚିତ ଅପହରଣ ଓ ହତ୍ୟା ମାମଲାର ମାଷ୍ଟର୍‌ମାଇଣ୍ଡ୍‌ ବିମଳ ଶର୍ମା ଓରଫ ଶିବମ୍ ସାଗର୍‌ ଓରଫ ଆରବ ଶର୍ମା ଓରଫ ଶିବମ୍ କଟକ-ଭୁବନେଶ୍ବର କମିସନରେଟ ପୁଲିସ ଅଞ୍ଚଳରେ ଲୁଚିଛି। ଦିଲ୍ଲୀର ବିମଳ କଟକ, ଭୁବନେଶ୍ବର କିମ୍ବା ପଡ଼ୋଶୀ ଜିଲ୍ଲାରେ ଲୁଚିଥିବା କୋଲକାତା ପୁଲିସ ସୁରାକ ପାଇଛି। ଏ ସମ୍ପର୍କରେ ଆଜି ଓଡ଼ିଶା କ୍ରାଇମବ୍ରାଞ୍ଚ ଟୁଇଟ୍ କରି ସୂଚନା ଦେଇଛି। ଯେଉଁ ବ୍ୟକ୍ତି ବିମଳ ସମ୍ପର୍କରେ ସୂଚନା ଦେବେ, ତାଙ୍କୁ ପୁରସ୍କାର ଭାବେ ଅର୍ଥରାଶି ଦିଆଯିବାକୁ କୋଲକାତା ପୁଲିସ ଘୋଷଣା କରିଥିବା ସୂଚନା ମିଳିଛି।

ସୂଚନା ମୁତାବକ, କୋଲକାତା ଭବାନୀପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ବିମଳ ଅପହରଣ କରିନେଇଥିଲା। ପରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା। ଏଥିରେ ବିମଳର କିଛି ସହଯୋଗୀ ବି ସାମିଲ ଥିଲେ। ଗତ ୧୪ ତାରିଖରେ ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ଭବାନୀପୁର ଥାନା ପୁଲିସ ଏକ ମାମଲା (କେସ୍ ନଂ ୪୨୨) ରୁଜୁ କରିଛି। ପୁଲିସ ଦଫା ୩୬୪(ଏ), ୫୦୬, ୩୦୨, ୩୪ରେ ମାମଲା ରୁଜୁ କରିଛି। କଲିକତା ପୁଲିସର ଏକ ଟିମ୍‌ ଓ କଟକ-ଭୁବନେଶ୍ବର କମିସନରେଟ୍‌ ପୁଲିସର ଜଣେ ଆଇଆଇସିଙ୍କ ନେତୃତ୍ବରେ ଏକ ତିନିଜଣିଆ ଟିମ୍‌ ମିଳିତ ଭାବେ ବିମଳକୁ ଧରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ‌୧୪ ତାରିଖ ଘଟଣା ପରେ ସେ କଟକକୁ ଆସି ୨ଘଣ୍ଟା ରହିବା ପରେ ଭୁବନେଶ୍ବରକୁ ଚାଲି ଯାଇଥିଲା। କମିସନରେଟ୍‌ ପୁଲିସ, କଟକ ଚାଉଳିଆଗଞ୍ଜ ଅଞ୍ଚଳ ଓ ଭୁବନେଶ୍ବର ରେଳଷ୍ଟେସନ୍‌ର ସିସିଟିଭି ଫୁଟେଜ୍‌ କୋଲକାତା ପୁଲିସକୁ ଦେଇଛି। ବିମଳର ଏକ ଫଟୋ ମଧ୍ୟ ଓଡ଼ିଶା କ୍ରାଇମବ୍ରାଞ୍ଚ ଟୁଇଟ୍ କରିଛି। ତା’ ସମ୍ପର୍କରେ କୌଣସି ସୂଚନା ଥିଲେ କୋଲକାତା ପୁଲିସ ଦ୍ବାରା ଜାରି ନମ୍ବର ୯୮୭୪୯୬୫୫୬୬ କିମ୍ବା ୯୮୩୦୬୬୧୦୦୪ରେ ସୂଚନା ଦେବାକୁ କୁହାଯାଇଛି। ସୂଚନା ଦେବା ବ୍ୟକ୍ତିଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର