ବିନୟଙ୍କ ମୁଣ୍ଡରେ ପୁଣି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଭାର  

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବିଜୁ ଜନତା ଦଳର ଯୁବ ଚେହେରା ବିନୟ କୁମାର ଟପ୍ପୋଙ୍କ ଉପରେ ପୁଣି ଥରେ ଭରସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ସଭାପତି ପଦବିରେ ଥିବା ଶ୍ରୀ ଟପ୍ପୋଙ୍କୁ ଦ୍ବିତୀୟ ଥର ପାଇଁ ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦାୟିତ୍ବ ଅର୍ପଣ କରାଯାଇଛି। ବିନୟଙ୍କ ପ୍ରଥମ କାର୍ଯ୍ୟକାଳ ଶେଷ ହେବାର ୨ ମାସ ପରେ ଶନିବାର ଓଡ଼ିଶା ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରି ତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି। ଦୁଇ ବର୍ଷ ଅର୍ଥାତ ଆସନ୍ତା ୨୦୨୩ ନଭେମ୍ବର ୫ ଯାଏ ସେ ପରିଷଦ ଅଧ୍ୟକ୍ଷ ଭାବେ ରହିବେ। ପ୍ରଥମ କରି ଶ୍ରୀ ଟପ୍ପୋ ୨୦୧୯ ଅଗଷ୍ଟ ୨୮ରେ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ଯାହା ୨୦୨୧ ଅଗଷ୍ଟରେ ଶେଷ ହୋଇଥିଲା। ଏହା ପରେ ପରବର୍ତ୍ତୀ ୨ ବର୍ଷ ପାଇଁ ବିନୟଙ୍କୁ ପୁଣି ଦାୟିତ୍ବ ଦିଆଯିବ ନା ନବୀନ ସରକାର ଆଉ କାହା ମୁଣ୍ଡରେ ସୁନା କଳସ ଢାଳିବେ, ତାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର୍ ଧରିଥିଲା। ଏହା ପରେ ୨ ମାସ ଧରି ଖାଲି ପଡ଼ିଥିଲା ଅଧ୍ୟକ୍ଷ ଆସନ।

ପ୍ରକାଶଯୋଗ୍ୟ, ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ସେମାନଙ୍କ ସର୍ବବିଧ ବିକାଶ ପାଇଁ ଓଡ଼ିଶା ସରକାର ଗତ ୨୦୧୮ ମାର୍ଚ୍ଚରେ ସୁନ୍ଦରଗଡ଼ ସମେତ ୯ଟି ଆଦିବାସୀ ଅଧ୍ୟୁସିତ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପ୍ରତିଷ୍ଠା କଲେ। ୯ଟି ଜିଲ୍ଲାର ୧୧୭ଟି ବ୍ଲକ ୨୦୨୨ ଗ୍ରାମପଞ୍ଚାୟତର ୧୮୬୮୭ ଗ୍ରାମରେ ରହୁଥିବା ୧୪.୦୫ ଲକ୍ଷ ଆଦିବାସୀ ଏହାର ସିଧାସଳଖ ଲାଭ ପାଇବେ ବୋଲି ସରକାର ଘୋଷଣା କଲେ। ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ପୂର୍ବ ପ୍ରଶାସକ ତଥା ବରିଷ୍ଠ ବିଜେଡି ନେତା ସନ୍ତୋଷ ଅମାତଙ୍କୁ ନିଯୁକ୍ତ କଲେ ସରକାର। ୧୧ ମାସ ପରେ ୨୦୧୯ ଫେବ୍ରୁଆରି ୩ରେ ଶ୍ରୀ ଅମାତ ଇସ୍ତଫା ଦେବା ପରେ ପୂର୍ବରୁ ପରିଷଦ ଉପାଧ୍ୟକ୍ଷା ଥିବା ତତ୍କାଳୀନ ବିଜେଡି ନେତ୍ରୀ କୁସୁମ ଟେଟେ ଅଧ୍ୟକ୍ଷ ପଦ ସମ୍ଭାଳିଲେ। ଏକ ବିବାଦୀୟ ପରିସ୍ଥିତିରେ ଶ୍ରୀମତୀ ଟେଟେ ଅଧ୍ୟକ୍ଷ ପଦ ସହ ବିଜେଡି ଦଳ ଛାଡ଼ିବା ପରେ ବିନୟ କୁମାର ଟପ୍ପୋଙ୍କୁ ଅଧ୍ୟକ୍ଷ ଦାୟିତ୍ବ ଦେଇଥିଲେ ନବୀନ। ଏବେ ତାଙ୍କୁ ଦ୍ବିତୀୟ ଥର ପାଇଁ ଦାୟିତ୍ବ ମିଳିଛି। ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବା ଓ ଭୋଟ ରାଜନୀତିରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଏକ ବିଶେଷ ଭୂମିକା ଥିବାରୁ ନବୀନ ପୁଣି ଥରେ ତାଙ୍କୁ ଭରସା କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର