ଅଗ୍ନିକାଣ୍ଡରେ ଭିନ୍ନକ୍ଷମ ପାଲଟିଥିବା ଗୋକୁଳକୁ ସହୟତା ଦେଲେ ବିନୋଦ

ମାଲକାନଗିରି: ଗୋକୁଳ ତାରକା ବୟସ ପାଖାପାଖି ୫୬ ହେବ। ଘର ମହାରାଷ୍ଟ୍ରର ଗଡଚରେଲି ଅଞ୍ଚଳରେ। କିଛି ବର୍ଷ ତଳେ ଏକ ବିବାହ କାର୍ଯ୍ୟରେ ଗୋକୁଳ ଯୋଗ ଦେବାକୁ ଯାଇଥିଲେ। ତେବେ ସେଠାରେ ଅଗ୍ନିକାଣ୍ଡ ଘଟିବା ଫଳରେ ସେ ତାଙ୍କର ଦୁଇଟି ହାତକୁ ହରାଇଥିଲେ।

ଭିନ୍ନକ୍ଷମ ହେବା ପରେ ସେ ଆଉ ଆଗଭଳି କାମ କରିପାରୁନାହାନ୍ତି। ପରିବାର କହିଲେ ମାଆ ଆଉ ଦୁଇ ଭଉଣୀ। ଦୁଇ ଭଉଣୀଙ୍କର ବିବାହ କରିବା ପାଇଁ ପାଖରେ ଅର୍ଥ ନାହିଁ। ସେ ବହୁ କଷ୍ଟରେ ନିଜର ପରିବାରକୁ ପ୍ରତିପୋଷଣ କରୁଛନ୍ତି। ତେବେ ସେ ମାଲକାନଗିରିର ସମାଜସେବୀ ବିନୋଦ ଟାଵରୀଙ୍କ ବିଷୟରେ ଶୁଣିବା ପରେ ସେ ମାଲକାନଗିରି ପହଞ୍ଚି ତାଙ୍କୁ ସାକ୍ଷାତ କରିଥିଲେ। ତାଙ୍କ ସହ କଥାବାର୍ତ୍ତା ହେବା ପରେ ବିନୋଦ ତୁରନ୍ତ ତାଙ୍କୁ ୧୦ ହଜାର ଟଙ୍କା ଦେବା ସହ ଅନ୍ୟ ସାଥିମାନଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ନିବେଦନ କରି ଟଙ୍କା ଯୋଗାଡ କରି ତାଙ୍କୁ ଦେଇଥିଲେ।

କେବଳ ଏତିକି ନୁହେଁ ଆଗକୁ ଯାହା ସହଯୋଗ ଦରକାର ସେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗୋକୁଳ ଏବେ ବୁଲି ବୁଲି ଲୋକଙ୍କୁ ସହଯୋଗ କରିବା ପାଇଁ ନେହୁରା ହେଉଛନ୍ତି। ପାଖରେ ଟଙ୍କା ନଥିବାରୁ ସେ ଅଖିଆ ଅପିଆ ମାଲକାନଗିରିରେ ପହଞ୍ଚିଥିଲେ। ବିନୋଦ ଏନେଇ ଜାଣିବା ପରେ ତୁରନ୍ତ ତାଙ୍କୁ ଖାଇବାକୁ ଦେଇଥିଲେ। ବିନୋଦଙ୍କର ଏଭଳି ମାନବିକତା ଯୋଗୁଁ ଆଜି ସେ ଜିଲ୍ଲାରେ ଆଗଧାଡିର ସମାଜସେବୀ। ଗରିବ,ନିଷ୍ପେସିତ ଲୋକଙ୍କୁ ସହଯୋଗର ହାତ ବଢାଇ ବେଶ ଚର୍ଚିତ ହେବା ସହ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହେଉଛନ୍ତି।

ସମ୍ବନ୍ଧିତ ଖବର