ରାୟଗଡ଼ା: ରାୟଗଡ଼ା ବନଖଣ୍ଡରେ ସରିଛି ପକ୍ଷୀ ଗଣନା। ୨୦୨୦ ଅପେକ୍ଷା ୨୦୨୧ରେ ଜିଲ୍ଲାକୁ ୪୧୫୪ କମ ପକ୍ଷୀ ଆସିଛନ୍ତି। ଗୋଟିଏ ବର୍ଷରେ ଏତେ ସଂଖ୍ୟକ ପକ୍ଷୀ କମିବା ବନ ବିଭାଗକୁ ଚିନ୍ତାରେ ପକାଇଛି। ଖଣି ଖନନ, ଜଙ୍ଗଲ ନଷ୍ଟ, ପରିବେଶ ପ୍ରଦୂଷଣ ଯୋଗୁ କ୍ରମାଗତ ଭାବେ ରାୟଗଡ଼ାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ଜଙ୍ଗଲ, ଜଳାଶୟ, ଡ୍ୟାମ୍, ନଦୀତଟରେ ରହୁଥିବା ପକ୍ଷୀ ମଧ୍ୟ ଅନ୍ୟ ଜିଲ୍ଲା ମୁହାଁ ହୋଇଛନ୍ତି।

Advertisment

ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦେଶକ୍ରମେ ଜାନୁଆରୀ ୩ ତାରିଖରେ ରାୟଗଡ଼ାରେ ପକ୍ଷୀ ଗଣନା ହୋଇଥିଲା।  ରାୟଗଡ଼ା ବନଖଣ୍ଡ ଅଧୀନରେ ଥିବା ରାୟଗଡ଼ା, ଟିକିରି, କାଶୀପୁର, ଗୁଡାରି, ଗୁଣପୁର, ମୁନିଗୁଡା, କଲ୍ୟାଣସିଂହପୁର ରେଂଜ ଅଞ୍ଚଳରେ ଥିବା ୭ଟି ଛୋଟ, ବଡ ଡ୍ୟାମ ଅଞ୍ଚଳରେ ହୋଇଥିଲା ପକ୍ଷୀ ଗଣନା। ପକ୍ଷୀ ଗଣନାରେ ରେଞ୍ଜରଙ୍କଠୁ ଆରମ୍ଭ କରି ଫରେଷ୍ଟ ଗାର୍ଡ ପର୍ଯ୍ୟନ୍ତ ସାମିଲ୍ ହୋଇଥିଲେ। ଶୀତ ଆଗମନ ପରେ କେନ୍ଦୁଗୁଡ଼ା ଡ୍ୟାମ୍, ସିଲଟିଗୁଡା ଡ୍ୟାମ୍, କାନ୍ଦିଲି ଡ୍ୟାମ ସମେତ ଖୋଲା ଜାଗା, ଧାନ ବିଲ, ନଦୀ ପଠା, ଜଳାଶୟରେ ପକ୍ଷୀଙ୍କ ଭିଡ଼ ଜମୁଥିବାରୁ ୮ ଟିମ୍ ଏହି ସବୁ ଅଞ୍ଚଳରେ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଭୋର୍ ୩ଟାରୁ ସଂଧ୍ୟା ପର୍ଯ୍ୟନ୍ତ ବନ ବିଭାଗ ଟିମ୍ ବିଭିନ୍ନ ଅଞ୍ଚଳକୁ ଯାଇ ପକ୍ଷୀ ଗଣନା କରିବା ପରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ପକ୍ଷୀ ଗଣନାରେ ଜିଲ୍ଲାରେ ମାତ୍ର ୧୨୮୪ ପକ୍ଷୀ ଥିବା ଜଣା ପଡିଛି।  ୨୦୨୦ ମସିହାରେ ୧୪ ପ୍ରଜାତିର ୫୪୩୮ ପକ୍ଷୀ ଏବଂ ୨୦୧୯ରେ ୪୩୦୭ ପକ୍ଷୀ ଜିଲ୍ଲାକୁ ଆସିଥିଲେ। ୨୦୨୧ ରେ ପକ୍ଷୀଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ କମିଛି। ଶୀତ ପ୍ରକୋପ କମ୍ ଏବଂ ପକ୍ଷୀ ଅନ୍ୟ ଡ୍ୟାମ୍ ମୁହାଁ ହୋଇଥିବା କାରଣରୁ କମ୍ ସଂଖ୍ୟକ ପକ୍ଷୀ ଗଣନା ହୋଇଛି ବୋଲି କହିଛନ୍ତି ଏସିଏଫ୍ ନିତ୍ୟାନନ୍ଦ ନାୟକ।

ବିଭାଗୀୟ ରିପୋର୍ଟନୁଯାୟୀ, ଚଳିତ ବର୍ଷ ପକ୍ଷୀ ଗଣନାରେ ଏସିଆନ୍ ଓପନ୍ ବିଲ୍ ୩୦ଟି, ବ୍ଲାକ୍ ଡଙ୍ଗ୍ ୧୦ଟି, ବ୍ରାଉନ୍ ଡୋଭ୍ ୫ଟି, କମନ୍ କ୍ରାନ୍ ୧୬୫ଟି, କର୍ମୋରାଣ୍ଟସନ୍ ଲିଟିଲ୍ ୨୨୦ଟି, କମନ୍ ଗ୍ରୀନ୍ ୱିଙ୍ଗଡ୍ ୨୦ଟି, ଏଗରେଟ୍ କ୍ୟାଟେଲ୍ ୯୩ଟି, ୟୁରୋସିଆନ୍ କୋଟ୍ ୩୦ଟି, ଗ୍ରେ ହିରୋନ୍ ୨୧ଟି, ଗ୍ରେ କ୍ରେନ୍ ୧୮ଟି, ଗେଣ୍ଡାଳିଆ ୭୫ଟି, ହିରୋନ୍ ୨୦ଟି, ଇଣ୍ଡିଆନ୍ ପଣ୍ଡ ହିରୋନ୍ ୩ଟି, କିଙ୍ଗ୍ ଫିଶର୍ ୧୬୩ଟି, ଲିଟିଲ୍ ଏଗ୍ରେଟ୍ ୧୨୬ଟି, ମଇନା ୯ଟି, ପର୍ପଲ୍ ହିରୋନ୍ ୭ଟି, ରାଣୀ ୨୯ଟି, ସ୍ମଲ୍ ବ୍ଲ୍ୟୁ କିଙ୍ଗ୍ ଫିସର୍ ୧୧ଟି, ସ୍ପଟ୍ ବିଲଡ୍ ଡକ୍ ୬ଟି, ୱାଗଟେଲ୍ ୧୦ଟି, ୱାଟର୍ ହେନ୍ ୧୬ଟି, ୱାଟର୍ କ୍ରୋ ୧୨୦ଟି, ୱାଟର୍ ଲପୱିଙ୍ଗ୍ ୧ଟି, ହ୍ବାଇଟ୍ ହର୍ଣ୍ଣ ୨୪ଟି, ହ୍ବାଇଟ୍ କିଙ୍ଗଫିଶର ୧୧ଟି, ହ୍ବାଇଟ୍ ବିଲେଡ୍ ହିରୋନ୍ ୩୮ଟି ଥିବା ଜଣା ପଡିଛି। ଚଳିତ ବର୍ଷ ଗୋଟିଏ ବି ନୂତନ ବିଦେଶାଗତ ପକ୍ଷୀ ରାୟଗଡ଼ାକୁ ଆସିନଥିବା ବନ ବିଭାଗ ଗଣନାରୁ ଜଣା ପଡିଛି।

ଜିଲ୍ଲାରେ କେନ୍ଦୁଗୁଡ଼ା ଡ୍ୟାମକୁ ଛାଡ଼ିଲେ ଅନ୍ୟ କୌଣସି ବଡ ଜଳ ଭଣ୍ଡାର ନଥିବାରୁ ବିଦେଶାଗତ ପକ୍ଷୀ ଆସୁନାହାନ୍ତି। ଗୁଣପୁର ବଂଶଧାରା ନଦୀକୂଳରେ ଥିବା ଭାମିନି, ରାମନାଗୁଡ଼ା ଅଞ୍ଚଳର କିଛି ସ୍ଥାନରେ ବିଦେଶାଗତ ଗେଣ୍ଡାଳିଆକୁ ଦେଖିବାକୁ ମିଳୁଛି। ଛୁଆ ପ୍ରଜ୍ଜନନ ପାଇଁ ଏହି ସ୍ଥାନ ପ୍ରକୃଷ୍ଟ ହୋଇଥିବାରୁ ଗେଣ୍ଡାଳିଆମାନେ ଆସି ଅଣ୍ଡା ଦେଇ ଛୁଆ ଫୁଟାଇବା ପରେ ପୁଣି ନିଜ ଦେଶକୁ ଫେରି ଯାଉଛନ୍ତି। ଏହି ଗେଣ୍ଡାଳିଆମାନେ ବିଭିନ୍ନ ଦେଶରୁ ୨/୩ ହଜାର କିମି ଉଡ଼ି ଆସିଥାନ୍ତି।