ସମ୍ବଲପୁର: ଆଜି ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଅନୁଷ୍ଠିତ ହୋଇଛି। ସମ୍ବଲପୁର, ଝାରସୁଗଡ଼ା ଓ ବରଗଡ଼ ଜିଲ୍ଲା‌ରେ ବ୍ୟାପିଥିବା ହୀରାକୁଦ ଜଳଭଣ୍ଡାର ଓ ନିକଟସ୍ଥ ଜଳାଶୟଗୁଡ଼ିକରେ ଏହି ପକ୍ଷୀ ଗଣନା କରାଯାଇଛି। ଏଥିପାଇଁ ହୀରାକୁଦ ମୁଖ୍ୟବନ୍ଧଠାରୁ ଆରମ୍ଭ କରି ଛତିଶଗଡ଼ ସୀମା ପର୍ଯ୍ୟନ୍ତ ସମଗ୍ର ଜଳଭଣ୍ଡାରକୁ ୧୫ଟି ସେକ୍ଟର୍‌ରେ ଭାଗ କରାଯାଇଥିଲାବେଳେ ୩୦ଟି ଗଣନାକାରୀ ଟିମ୍ ନିୟୋଜିତ ହୋଇଥିଲେ। ପ୍ରତି ଟିମ୍‌ରେ ଜଣେ ଲେଖାଏଁ ଅର୍ଥାତ୍ ୩୦ ଜଣ ପକ୍ଷୀ ବିଶେଷଜ୍ଞ ଓ ବନବିଭାଗ ଅଧିକାରୀ, କର୍ମଚାରୀ ରହିଥିଲେ। ରବିବାର ଭୋର୍‌ ୫ଟାରୁ ୮ଟି ଭିନ୍ନ ଭିନ୍ନ ସ୍ଥାନରୁ ଏହି ଗଣନାକାରୀ ଦଳଗୁଡ଼ିକ ନିଜ ନିଜ ସେକ୍ଟର୍‌ ଅଭିମୁଖେ ଯାତ୍ରା କରିଥିଲେ।

Advertisment

ସକାଳ ୬ଟାରୁ ସଂଧ୍ୟା ୫ଟା ଯାଏଁ ଏହି ଗଣନା ଚାଲିଥିଲା। ଏଥି ପାଇଁ ୩୫ଟି ମାଛଧରା ଡଙ୍ଗା ବ୍ୟବସ୍ଥା କରାଯାଇଛି। ପକ୍ଷୀ ଓ ସେମାନଙ୍କ ବସା ବାନ୍ଧିବା ସ୍ଥାନ ସଂପର୍କରେ ଧାରଣା ଥିବା ମତ୍ସ୍ୟଜୀବୀଙ୍କୁ ଏହି ଡଙ୍ଗାଚାଳନା ପାଇଁ ବଛାଯାଇଥିଲା। ସେମାନେ ଗଣନାକାରୀ ଟିମ୍‌କୁ ସଂପୃକ୍ତ ଅଞ୍ଚଳକୁ ନେଇଯାଇଥିଲେ। ପ୍ରତ୍ୟେକ ଟିମ୍‌କୁ ବାଇନୋକୁଲାର୍‌, ପକ୍ଷୀଙ୍କ ପ୍ରଜାତି ଓ ଚିତ୍ର ଥିବା କ୍ୟାଟ୍‌ଲଗ୍‌, ଗଣନା ପତ୍ର ତଥା ଜୀବନରକ୍ଷାକାରୀ ଜ୍ୟାକେଟ୍‌ ଆଦି ପ୍ରଦାନ କରାଯାଇଥିଲା। ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷୀ ଗଣନାର ନୋଡାଲ୍‌ ଡିଭିଜନ୍‌ କାମ ତୁଳାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଗଣନା ପୂର୍ବରୁ ଡିସେମ୍ବର ଶେଷ ସପ୍ତାହରେ ହୀରାକୁଦ ବନଖଣ୍ଡ ତରଫରୁ ଏକ ପ୍ରାରମ୍ଭିକ ପ୍ରସ୍ତୁତି କରାଯାଇଥିଲା।

ଜଳଭଣ୍ଡାରର କେଉଁ ଅଞ୍ଚଳରେ କେଉଁ ପ୍ରଜାତିର ଅଧିକ ଚଢ଼େଇ ଅଛନ୍ତି ତାର ଅନୁଧ୍ୟାନ ହୋଇଥିଲା। ଏଥର ପାଗ ଠିକ୍ ରହିଥିବାରୁ ଗଣନା ଠିକ୍ ଭାବେ ହୋଇପାରିଥିଲା। ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ସବୁ ଠିକ୍ ଜଳଭଣ୍ଡାର ଭିତରୁ ବାହାରି ଆସିଥିଲେ। ଏଥର କେଉଁ ପ୍ରଜାତିର କେତେ ଚଢ଼େଇ ଆସିଥିଲେ, ସବୁ ଟିମ୍‌ର ତଥ୍ୟର ଆସନ୍ତାକାଲି ମିଶାଯିବ। ଆସନ୍ତା ୧୦ ତାରିଖ ଚୂଡ଼ାନ୍ତ ଗଣନା ରିପୋର୍ଟ ପ୍ରକାଶ ପାଇବ ବୋଲି ବନ ବିଭାଗ ପକ୍ଷରୁ କହାଯାଇଛି। ହୀରାକୁଦ ଜଳଭଣ୍ଡାରରେ ୨୦୨୧ରେ ୧.୨୪ ଲକ୍ଷ ଚଢ଼େଇ ଗଣତି କରା ଯାଇଥିବାବେଳେ ୨୦୨୨ରେ ୧୦୪ ପ୍ରଜାତିର ରେକର୍ଡ ୨.୦୮ ଲକ୍ଷ ପକ୍ଷୀ ଥିବା ଗଣନାରୁ ଜଣାପଡ଼ିଥିଲା। ଗଣନା ସରିଥିବା ବେଳେ ସବୁ ଟିମ୍‌ର ହିସାବ କରାଯାଉଛି।