‘ସମ୍ବାଦ’ରେ ପ୍ରକାଶ ପରେ ପକ୍ଷୀ ଗଣିଲେ : ସିଂହାବଗାରେ ୩୦ ପ୍ରଜାତିର ୧୦୩୮ ବିଦେଶୀ ପକ୍ଷୀ

ଝାରସୁଗୁଡା : ଝାରସୁଗୁଡ଼ା ନିକଟସ୍ଥ ସିଂହାବଗା ଠାରେ ଜଙ୍ଗଲ ବିଭାଗ ପକ୍ଷରୁ ରବିବାର ପକ୍ଷୀଗଣନା କାର୍ଯ୍ୟ ସମ୍ପନ୍ନ କରାଯାଇଛି। ଏଥିରେ ପ୍ରାୟ ୩୦ ପ୍ରଜାତୀର ୧୦୩୮ ପକ୍ଷୀ ଥିବା ଗଣନାରୁ ଜଣାଯାଇଛି। ଗତ କିଛି ବର୍ଷ ହେଲା ଥଣ୍ଡାଋତୁ ଆରମ୍ଭ ହେଲେ ହଜାର ହଜାର ବିଦେଶୀ ପକ୍ଷୀ ଏହି ଅଞ୍ଚଳକୁ ଆସି ଗ୍ରୀଷ୍ମ ପର୍ଯ୍ୟନ୍ତ ରହୁଥିବା ଦେଖିବାକୁ ମିଳୁଛି। ଏ ନେଇ ଅନେକ ଥର ସମ୍ବାଦରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି। ଗତ ବର୍ଷ ପ୍ରଥମ କରି ଏହି ଅଞ୍ଚଳକୁ ଆସୁଥିବା ପକ୍ଷୀଙ୍କୁ ଗଣନା ପ୍ରକ୍ରିୟାରେ ସାମିଲ କରାଯାଇଥିଲା ।

ଗତବର୍ଷ ଏଠାରେ ୨୨ ପ୍ରଜାତୀର ୮୨୦ ପକ୍ଷୀ ଥିବା ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଗଣନା ସଂପୂର୍ଣ୍ଣ ହୋଇସାରିଥିଲେ ମଧ୍ୟ ଏହି ଅଞ୍ଚଳରେ ପକ୍ଷୀଗଣନାକୁ ଛାଡ଼ି ଦିଆଯାଇଥିଲା। ଗତ କାଲି ଏ ନେଇ ସମ୍ବାଦରେ ବିସ୍ତୃତ ରିପୋର୍ଟ ପ୍ରକାଶିତ ହେବା ପରେ ଜଙ୍ଗଲ ବିଭାଗ ପକ୍ଷରୁ ରବିବାର ସକାଳୁ ପକ୍ଷୀଗଣନା ଆରମ୍ଭ ହୋଇଥିଲା। ଡିଏଫ୍ଓ ଲଳିତ ପାତ୍ରଙ୍କ ନିର୍ଦ୍ଦେଶରେ ବନ ବିଭାଗ କର୍ମଚାରୀ ଓ ପକ୍ଷୀ ବିଶାରଦ ଆଶିଷ ଶୁକ୍ଳା ପ୍ରମୁଖ ଏହି ଅଞ୍ଚଳକୁ ଯାଇ ପକ୍ଷୀଗଣନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢ଼ିଥିବାରୁ ପକ୍ଷୀପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏଠାକୁ ଲିଜର୍ ହ୍ବିସଲିଂ ଡକ୍, କମନ୍ ପୋଚାର୍ଡ଼, ଟପ୍ଟେଡ଼୍ ଡ଼କ୍, ଗ୍ରେଟ୍ କ୍ରେଷ୍ଟେଡ଼୍ ଗ୍ରେବ୍, କମନ୍ କୋର୍ଟ, ଲିଟିଲ କର୍ମୋରାଣ୍ଟ, ବ୍ଲାକ୍ ହେଡେଡ୍ ଗଲ୍, ରେଡ଼୍ କ୍ରେଷ୍ଟେଡ଼୍ ପୋଚାର୍ଡ଼, ବ୍ରାଉନ୍ ହେଡେଡ୍ ଗଲ୍, ପର୍ପଲ୍ ସ୍ବୟମହେନ୍, ପର୍ପଲ୍ ମୋରହେନ୍, ବ୍ରଞ୍ଚ ଉଇଙ୍ଗ ଜାକାଜା, ପର୍ପଲ୍ ହେରୋନ୍, କୋମନ୍ ଷ୍ଟିଲଟ୍, ୱାଟର ହେନ୍ ପ୍ରଭୃତି ବିଭିନ୍ନ ପ୍ରଜାତୀର ପକ୍ଷୀ ନିୟମିତ ଆସିଥିବା ଜଣାଯାଇଛି। ପ୍ରଦୂଷଣରେ ଉବୁଟୁବୁ ହେଉଥିବା ଝାରସୁଗୁଡ଼ା ସହର ନିକଟରେ ଏତେ ପରିମାଣରେ ଜଳପକ୍ଷୀ ଆସିବା ଏକ ଶୁଭ ସୂଚନା ହୋଇଥିଲେ ମଧ୍ୟ ଏହାକୁ ସଂରକ୍ଷଣ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ଆଗ୍ରହ ପ୍ରକାଶ ପାଉନଥିବା ପରିବେଶ୍ବିତ ମାନଙ୍କୁ ହତାଶ କରିଛି।

ସମ୍ବନ୍ଧିତ ଖବର