ଆଜିଠାରୁ ଭିତରକନିକାରେ ପକ୍ଷୀଗଣନା

ରାଜନଗର: ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଏବେ ଚଳଚଂଚଳ। ବିଦେଶାଗତ ପକ୍ଷୀମାନଙ୍କ ଆଗମନରେ ଭିତରକନିକା ଜାତୀୟ ଉଦ୍ୟାନ ସମେତ ଆର୍ଦ୍ରଭୂମି ଏବେ ପାଲଟିଛି ପକ୍ଷୀମାନଙ୍କ କାକଳିର ଶବ୍ଦ। ପ୍ରଚଣ୍ତ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଯୋଜନ ଯୋଜନ ସାମୁଦ୍ରିକ ପଥ ଅତିକ୍ରମ କରି ରଂଗବେରଂଗର ପକ୍ଷୀ ଉଦ୍ୟାନ ସଂଲଗ୍ନ ଆର୍ଦ୍ରଭୂମି ଓ ଅନ୍ୟାନ୍ୟ ଜଳାଶ୍ରୟରେ ଖାଦ୍ୟ ସଂଗ୍ରହ କରିବା, ନୀଳ ଆକାଶରେ ଦଳ ଦଳ ହୋଇ ଉଡ଼ିବାର ଦୃଶ୍ୟ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି। ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥିବା ପକ୍ଷୀମାନଙ୍କର ଗଣନା କାର୍ଯ୍ୟ ଆସନ୍ତାକାଲି ବୁଧବାରଠାରୁ ଆରମ୍ଭ ହେବ। ଓଡ଼ିଶାର ପକ୍ଷୀ ବିଶାରଦଙ୍କୁ ନେଇ ୧୬ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ର ଜଣେ ମୁଖ୍ୟ ରହିଥିବାବେଳେ ସମୁଦାୟ ୭୦ଜଣ ଏହି ଗଣନା ପକ୍ରିୟାରେ ସାମିଲ ହେବେ।

ଆସନ୍ତାକାଲି ପ୍ରତ୍ୟୁଷରୁ ଭିତରକନିକା ଜାତୀୟ ଉଦ୍ୟାନର ରାଇପାଟିଆ, ସାତଭାୟା ଘେରି, ସାତଭାୟାର ବିସ୍ତିର୍ଣ୍ଣ ଆର୍ଦ୍ରଭୂମି, ଜମ୍ବୁ, ବତୀଘର, ବରୁଣେଇ ମୁହାଣ, ପ୍ରହରାଜପୁର, କଂସାରିପାଟିଆ, ଖୋଳା, ନଳିତାପାଟିଆ, ଦୁର୍ଗାପୁର ମୁହାଣ, ଲକ୍ଷ୍ମୀପ୍ରସାଦଡିଆଁ, କାଳିଭଂଜଡିଆଁ, ମଗରକନ୍ଦା, ଚିଂଚିରି ମାଉଥ, ଚିତଉକୋଲ୍ଲା, ଭିତରକନିକା ମାଉଥ, ଏକମାଣିଆ, ରାଜଗଡ଼ ପ୍ରଭୃତି ସ୍ଥାନରେ ଏହି ଗଣନା କାର୍ଯ୍ୟ କରାଯିବ। ପ୍ରତି ଟିମ୍‌କୁ ୱାକିଟକି, ବାଇନାକୁଲାର, ଜିପିଏସ, ଭିଏଚଏଫ୍‌ ପ୍ରଭୃତି ଯନ୍ତ୍ର ଯୋଗାଇ ଦିଆଯାଇଛି। ଏହାଛଡ଼ା ନଦୀରେ ଗଣନା ସମୟରେ ବୋଟ୍‌ ଏବଂ ସରକାରୀ ଯାନ ଯୋଗାଇଦେବାର ବ୍ୟବସ୍ଥା ହୋଇଛି ବୋଲି ରାଜନଗର ଡିଏଫ୍‌ଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି। ୧୬ଟି ଟିମ୍‌ରେ ମୁଖ୍ୟ ଭାବେ ପରିବେଶବିତ ବିଶ୍ବଜିତ ମହାନ୍ତି, ଗୋହର ଆବେଦ୍ଦିନ, ଶିବପ୍ରସାଦ ପରିଡା, ସଂଜୟ କୁମାର ରାଉତ, ମାଇକେଲ ପିଟର, ପ୍ରସନ୍ନ କୁମାର ନାୟକ, ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ, ବିରଜା ପ୍ରସାଦ ପତି, ବିରଂଚି ନାରାୟଣ ସାମଲ, ବିଜୟ କୁମାର କବି, ସୁଧାଂଶୁ କୁମାର ପରିଡ଼ା, ଲକ୍ଷ୍ମୀଧର ମିଶ୍ର, ମଧୁସ୍ମିତ ପତି, ଜ୍ଞାନପ୍ରକାଶ ମହାନ୍ତି, ନବୀନ କୁମାର ମଲ୍ଲିକଙ୍କ ସମେତ ଅତିରିକ୍ତ ବନ ସଂରକ୍ଷକ ଅଧୀର କୁମାର ବେହେରା, ହରେକୃଷ୍ଣ ମଲ୍ଲିକ ଏବଂ ବନପାଳମାନେ ଏହି ଗଣନାରେ ସାମିଲ ହେବେ। ଆଜି ପକ୍ଷୀଗଣନା ପାଇଁ ରାଜନଗର ଡିଏଫ୍‌ଓଙ୍କ କାର୍ଯ୍ୟାଳୟଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ରାଜନଗର ଡିଏଫ୍‌ଓ ଶ୍ରୀ ଦାସ ପକ୍ଷୀ ଗଣନାର ଉଦ୍ଦେଶ୍ୟ, ଏହାର ବୈଷୟିକ ଦିଗ, କିପରି ଏବଂ କେଉଁ ସ୍ଥଳରେ ପକ୍ଷୀମାନଙ୍କର ଗତିବିଧିକୁ ଅନୁଧ୍ୟାନ କରାଯିବ ସେ ସମ୍ବନ୍ଧରେ ବିସ୍ତୃତ ବିବରଣୀ ରଖିଥିଲେ। ଏହି ଅବସରରେ ପରିବେଶବିତ ଚିନ୍ମୟ ଭୁଜବଳଙ୍କ ଦ୍ବାରା ମଙ୍ଗଳଯୋଡ଼ିକୁ ଆସୁଥିବା ବିଦେଶାଗତ ପକ୍ଷୀମାନଙ୍କ ଉପରେ ସଂଗ୍ରହ କରିଥିବା ଏକ ତଥ୍ୟ ସମ୍ବନ୍ଧୀୟ ପୁସ୍ତକକୁ ଡିଏଫ୍‌ଓ ଶ୍ରୀ ଦାଶ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବନସଂରକ୍ଷକ ବିରଂଚି ନାରାୟଣ ସାମଲ, ପରିବେଶବିତ୍‌ ଭାସ୍କର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର