ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକା ଏବେ ଦେଶୀୟ ପକ୍ଷୀଙ୍କ କାକଳିରେ ଫାଟି ପଡୁଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରଠାରୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମିଛି। ଭିତରକନିକାର ମଠଆଡିଆ, ଦୁର୍ଗାପ୍ରସାଦଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଦେଶୀୟ ପକ୍ଷୀ ଭିଡ ଜମାଇବା ସହ ବସା କରି ଅଣ୍ତା ଦେଇଛନ୍ତି। ଏହି ଦେଶୀୟ ପକ୍ଷୀଙ୍କ ଗଣନା ଆଜିଠାରୁ ଆରମ୍ଭ ହୋଇଛି। କନିକା ରେଂଜ୍‌ର ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗାପ୍ରସାଦଡିଆ ଓ ମଠଆଡିଆରେ ୩ଟି ଟିମ୍‌ ପକ୍ଷୀ ଗଣନା କରୁଛନ୍ତି। ଏହି ଟିମ କେତୋଟି ଗଛରେ, କେତୋଟି ବସାରେ ଓ କେତେ ବଡ଼ପକ୍ଷୀ ଓ କେତେ ପକ୍ଷୀ ଶାବକ ସେ ନେଇ ଗଣନା କରୁଛନ୍ତି। ଫରେଷ୍ଟର ପ୍ରଶାନ୍ତ ସିଂ, ଫରେଷ୍ଟଗାର୍ଡ ସୁନିଲ ରଂଜନ ରାଉତରାୟ, ଶ୍ରୀରାମ ମୁର୍ମୁ, ସୁବାସ ମାଝି, ହେମନ୍ତ ପାଣିଗ୍ରାହୀ, ନିରାକାର ବେହେରା ପ୍ରମୁଖ ଏହି ଟିମ୍‌ରେ ସାମିଲ ହୋଇଛନ୍ତି।

Advertisment

ଭିତରକନିକାରେ ଗେଣ୍ତାଳିଆ, ପାଣିକୁଆ, ଅଂଜନା, ରାଣୀବଗ, ମଝିଆବଗ, ଖଇରା, ଅନ୍ଧାରିଆବଗ, କାପରଖାଇ, ସାନବଗ, ଦାବେଂଟିଆ ପ୍ରଭୃତି ଦେଶୀୟ ପକ୍ଷୀ ଭିଡ ଜମାଇଛନ୍ତି। ଗତବର୍ଷ ଭିତରକନିକାରେ ୧ ଲକ୍ଷ ୮ ହଜାର ୬୩୯ ପକ୍ଷୀ ଭିଡ ଜମାଇଥିଲେ। ଗତବର୍ଷ ମଠଆଡିଆରେ ୬୧,୧୦୭ ପକ୍ଷୀ, ଲକ୍ଷ୍ମୀପ୍ରସାଦଡିଆରେ ୪୧,୩୩୮ ପକ୍ଷୀ, ଦୁର୍ଗାପ୍ରସାଦଡିଆରେ ୬୧୯୪ ପକ୍ଷୀ ଭିଡ ଜମାଇଥିଲେ। ଏ ବର୍ଷ ଦେଶୀୟପକ୍ଷୀଙ୍କ ଭିଡ ଦେଖିବାକୁ ମିଳିଥିବାରୁ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଭିତରକନିକାକୁ ଜୁନ୍ ଶେଷ ଭାଗରୁ ଦେଶୀୟ ପକ୍ଷୀମାନଙ୍କର ଆଗମନ ହୋଇଥାଏ। ମା’ପକ୍ଷୀମାନେ ବସାରେ ଅଣ୍ତା ଦେଇ ଛୁଆ ଫୁଟାଇବା ପରେ ଶାବକଙ୍କୁ ସାଥୀରେ ଧରି ଅକ୍ଟୋବର ଶେଷ ସୁଦ୍ଧା ସେମାନଙ୍କ କର୍ମଭୂମିକୁ ଫେରି ଯାଇଥା’ନ୍ତି। ମୌସୁମୀର ଆଗମନରେ ଏହି ପକ୍ଷୀମାନେ ଖାଦ୍ୟ ସଂଗ୍ରହ, ବଂଶବିସ୍ତାର ଓ ଭିତରକନିକାରେ ରହିଯାଇଥିବା ବିଦେଶାଗତ ପକ୍ଷୀମାନଙ୍କ ସହ ବନ୍ଧୁତ୍ବ ସ୍ଥାପନ ପାଇଁ ଦେଶୀୟ ପକ୍ଷୀମାନେ ଏଠାକୁ ଛୁଟି ଆସନ୍ତି। ଜଳବାୟୁର ପରିବର୍ତନ ଓ ବିଶ୍ବତାପନର ପ୍ରଭାବ ଯୋଗୁଁ ଭିତରକନିକାର ଜୈବବିବିଧତା ପ୍ରଭାବିତ ହୋଇଥିବାରୁ କ୍ରମାଗତ ଭାବେ ଭିତରକନିକା ଦେଶୀୟ ପକ୍ଷୀ ଠିକଣା ବଦଳାଇବାରେ ଲାଗିଛନ୍ତି। ପୂର୍ବରୁ ବଗଗହନରେ ଦେଶୀୟ ପକ୍ଷୀମାନେ ଭିଡ ଜମାଉଥିଲେ। ଗତ ୬ ବର୍ଷ ହେଲା ବଗଗହନଠାରୁ ୩ କିମି ଦୂର ମଠଆଡିଆରେ ଦେଶୀୟ ପକ୍ଷୀଙ୍କ କଳରବ ଶୁଭୁଛି। ୨୦୧୯ ମସିହାରୁ ମଠଆଡିଆ ସହିତ ଲକ୍ଷ୍ମୀପ୍ରସାଦଡିଆ ଓ ଦୁର୍ଗାପ୍ରସାଦଡିଆରେ ଦେଶୀୟ ପକ୍ଷୀମାନେ ଭିଡ ଜମାଉଛନ୍ତି।

ଠିକଣା ବଦଳାଉଛନ୍ତି ଦେଶୀୟ ପକ୍ଷୀ

ଗୁରୁତ୍ବପୂର୍ଣ୍ଣ କଥା ହେଲା ଗତ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଦେଶୀୟ ପକ୍ଷୀମାନେ ବଗଗହନରେ ଭିଡ ଜମାଉଥିଲେ। ସେହି ସ୍ଥାନରେ ପର୍ଯ୍ୟଟକମାନେ ଦେଶୀୟ ପକ୍ଷୀଙ୍କୁ ଦେଖିବା ପାଇଁ ୱାଚଟାୱାର ମଧ୍ୟ ନିର୍ମାଣ କରାଯାଇଥିଲା। ମାତ୍ର ଲଗାତର ୫ ବର୍ଷ ହେଲା ବଗଗହନରେ ଗୋଟିଏ ବି ପକ୍ଷୀ ବସା ବାନ୍ଧୁନାହାନ୍ତି କିମ୍ବା ଭିଡ ଜମାଉନାହାନ୍ତି। ଦେଶୀୟ ପକ୍ଷୀ ବାରମ୍ବାର ଠିକଣା ବଦଳାଉଥିବାରୁ ଏହା ପରିବେଶବିତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ସେମାନଙ୍କ ପାଇଁ ଖାଦ୍ୟ ଅଭାବ ଯୋଗୁଁ ଦେଶୀୟ ପକ୍ଷୀ ବାରମ୍ବାର ଠିକଣା ବଦଳାଉଥିବା କୁହାଯାଉଛି। ବଗଗହନର ଜୈବବିବିଧତା ଫେରାଇ ଆଣିବା ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପକ୍ଷୀମାନେ ମୁଖ୍ୟତଃ ଜଳପକ୍ଷୀ ହୋଇଥିବାରୁ ଯେଉଁଠି ଗଛ ତଳେ ପାଣି ମାଡୁଥାଏ, ସେହି ଗଛମାନଙ୍କରେ ବସା ବାନ୍ଧିବାକୁ ପସନ୍ଦ କରିଥାନ୍ତି। ପୂର୍ବରୁ ପ୍ରତିଦିନ ଜୁଆର ପାଣି ୩ ହେକ୍ଟର ବିଶିଷ୍ଟ ବଗଗହନ ଅଂଚଳକୁ ସମ୍ପୂର୍ଣ୍ଣ ମାଡୁଥିଲା। ଜୁଆର ଛାଡିବା ପରେବି ଜଙ୍ଗଲ ମଧ୍ୟରେ ପାଣି ଜମି ରହୁଥିଲା। ଗତ ୮ ବର୍ଷ ହେଲା ବଗଗହନ ଅଂଚଳକୁ ପ୍ରତିଦିନ ଜୁଆର ପାଣି ମାଡୁନଥିଲା। ଉଠିଆ ମୁଣ୍ତରେ ଜୁଆର ପାଣି ମାଡୁଥିଲେ ମଧ୍ୟ ଜଙ୍ଗଲ ମଧ୍ୟରେ ପାଣି ଜମି ରହୁନଥିଲା। ଦେଶୀୟ ପକ୍ଷୀମାନେ ବସା ବାନ୍ଧି ଅଣ୍ତା ଦେବା ପରେ ବାହାରକୁ ଖାଦ୍ୟ ସଂଗ୍ରହ ପାଇଁ ଯାଆନ୍ତି ନାହିଁ। ଗଛ ତଳେ ମାଡିଥିବା ପାଣିରେ ସେମାନଙ୍କ ମଳ ଖାଇବା ପାଇଁ ମାଛମାନେ ଆସିଥାନ୍ତି। ପକ୍ଷୀଗୁଡିକ ବସାରୁ ଓହ୍ଲାଇ ତଳେ ମାଛ ଖାଇଥାନ୍ତି। ବଗଗହନ ଅଂଚଳକୁ ଜୁଆର ନମାଡିବା ଯୋଗୁଁ ଖାଦ୍ୟାଭାବ ଦେଖାଦେଲା। ସେଥିପାଇଁ ଦେଶୀୟ ପକ୍ଷୀ ଠିକଣା ବଦଳାଇ ମଠଆଡିଆ, ଲକ୍ଷ୍ମୀପ୍ରସାଦଡିଆ ଓ ଦୁର୍ଗାପ୍ରସାଦଡିଆରେ ବସା ବାନ୍ଧୁଛନ୍ତି।