ଭିତରକନିକାରେ ପାଦ ଥାପିଲେଣି ଦେଶୀୟ ପକ୍ଷୀ, ମଠଆଡ଼ିଆରେ ଶୁଭୁଛି କଳରବ

ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ କଳରବ ଶୁଭିଲାଣି। ମୌସୁମୀ ଆସିବାରେ ଯଦିଓ ବିଳମ୍ବ ହୋଇଛି, ଏହାସତ୍ତ୍ବେ ଭିତରକନିକାର ମଠଆଡ଼ିଆ, ଭିତରକନିକାପାଟିଆ ଓ ଲକ୍ଷ୍ମୀପ୍ରସାଦଡ଼ିଆରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଲେଣି। ଜୁନ୍ ମାସରୁ ଏହି ପକ୍ଷୀମାନଙ୍କର ଆଗମନ ହୋଇଥାଏ। ବିଭିନ୍ନ ଅଞ୍ଚଳରୁ ଆସି ବସାରେ ଅଣ୍ତାଦେଇ ଛୁଆ ଫୁଟାଇବା ପରେ ଛୁଆମାନଙ୍କୁ ସାଥିରେ ଧରି ଅକ୍ଟୋବର ଶେଷ ସୁଦ୍ଧା ନିଜ ନିଜ ଅଞ୍ଚଳକୁ ଫେରି ଯାଇଥାନ୍ତି। ମୌସୁମୀର ଆଗମନରେ ଏହି ପକ୍ଷୀମାନେ ଖାଦ୍ୟ ସଂଗ୍ରହ, ବଂଶବିସ୍ତାର ଓ ଭିତରକନିକାରେ ରହିଯାଇଥିବା ବିଦେଶାଗତ ପକ୍ଷୀମାନଙ୍କ ସହ ବନ୍ଧୁତ୍ବ ସ୍ଥାପନ ପାଇଁ ଦେଶୀୟ ପକ୍ଷୀମାନେ ଏଠାକୁ ଛୁଟି ଆସନ୍ତି। ଇତି ମଧ୍ୟରେ ଜଳବାୟୁର ପରିବର୍ତ୍ତନ ଯୋଗୁଁ ଭିତରକନିକାର ଜୈବ ବିବିଧତା ପ୍ରଭାବିତ ହୋଇଛି। ଏଥିପାଇଁ କ୍ରମାଗତ ଭାବେ ଭିତରକନିକାକୁ ଆସୁଥିବା ଦେଶୀୟ ପକ୍ଷୀ ଠିକଣା ବଦଳାଇବାରେ ଲାଗିଛନ୍ତି। ପୂର୍ବରୁ ବଗଗହନରେ ଭିଡ଼ ଜମାଉଥିଲେ, କିନ୍ତୁ ଗତ ୫ବର୍ଷ ହେଲା ବଗଗହନ ଠାରୁ ୩ କିମି ଦୂର ମଠଆଡ଼ିଆରେ ଦେଶୀୟ ପକ୍ଷୀଙ୍କ କଳରବ ଶୁଭୁଛି। ୨୦୧୯ ମସିହାରୁ ମଠଆଡ଼ିଆ ସହିତ ଲକ୍ଷ୍ମୀପ୍ରସାଦଡ଼ିଆ ଓ ଦୁର୍ଗାପ୍ରସାଦଡ଼ିଆରେ ଦେଶୀୟ ପକ୍ଷୀମାନେ ଭିଡ଼ ଜମାଉଛନ୍ତି। ଗତବର୍ଷ ମଠଆଡ଼ିଆରେ ୧୨,୫୧୩ଟି ବସାରେ ୨୫,୦୨୬ଟି ବଡ଼ପକ୍ଷୀ ଓ ୩୬,୦୮୧ଟି ଛୁଆ ପକ୍ଷୀ ମୋଟ୍‌ ୬୧,୧୦୭ ପକ୍ଷୀ ଚିହ୍ନଟ କରାଯାଇଛି। ମଠଆଡ଼ିଆରେ ୧୦ ପ୍ରଜାତିର ୬୧,୧୦୭ଟି ପକ୍ଷୀ ଭିଡ଼ ଜମାଇଥିବା ବେଳେ ସେଥିମଧ୍ୟରୁ କେବଳ ଗେଣ୍ତାଳିଆ ୫୮,୫୦୬ ପକ୍ଷୀ ଅଛନ୍ତି। ଲକ୍ଷ୍ମୀପ୍ରସାଦଡ଼ିଆରେ ୮,୧୪୦ଟି ବସାରେ ୧୦,୮୮୦ ବଡ଼ପକ୍ଷୀ ଚିହ୍ନଟ ହୋଇଥିବା ବେଳେ ୩୦,୪୫୮ ଛୁଆ ପକ୍ଷୀ ମୋଟ୍‌ ୪୧,୩୩୮ ପକ୍ଷୀ ଚିହ୍ନଟ କରାଯାଇଛି। ସେହିପରି ଦୁର୍ଗାପ୍ରସାଦଡ଼ିଆରେ ୧,୩୭୫ ଦେଶୀୟ ପକ୍ଷୀ ବସା ବାନ୍ଧିଛନ୍ତି। ୨,୭୫୦ ବଡ଼ପକ୍ଷୀ ଚିହ୍ନଟ ହୋଇଥିବା ବେଳେ ୩,୪୪୪ ଛୁଆ ପକ୍ଷୀ ମୋଟ୍‌ ୬,୧୯୪ଟି ପକ୍ଷୀ ଗଣନା କରାଯାଇଛି।

ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ୧୦ ପ୍ରକାର ପକ୍ଷୀଙ୍କ ସମାଗମ ହୋଇଛି। ପକ୍ଷୀଗୁଡ଼ିକ ମଧ୍ୟରେ ଗେଣ୍ତାଳିଆ ସର୍ବାଧିକ ୭୩,୬୨୭ଟି, ରାଣୀବଗ ୫,୨୫୯ଟି, ମଝିଆ ବଗ ୩,୮୯୬ଟି, ଛୋଟ ବଗ ୨,୩୭୫ଟି, ଖଇରା ବଗ ୩,୦୭୬ଟି, ମାଟିଆ ବଗ ୩,୧୪୯ଟି, ପାଣିକୁଆ ୯,୬୭୭ଟି, ଅନ୍ଧାରିଆ ବଗ ୧୬୩୭ଟି, ଦାବେଂଟିଆ ୪,୪୨୬ଟି, କାପରଖାଇ ୧୫୧୭ଟି ପକ୍ଷୀ ଚିହ୍ନଟ ହୋଇଥିଲେ। ଭିତରକନିକାର ମଠଆଡ଼ିଆ ଓ ଲକ୍ଷ୍ମୀପ୍ରସାଦଡ଼ିଆରେ ଗେଣ୍ତାଳିଆ, ଖଇରା, ଅଂଜନା, ରାଣୀବଗ, ମଝିଆବଗ, ବଡ଼ବଗ, ଅନ୍ଧାରିଆବଗ, ମାଛରଙ୍କା ପ୍ରଭୃତି ଦେଶୀୟ ପକ୍ଷୀ ଭିଡ଼ ଜମାଇଲେଣି। ଏହି ଦେଶୀୟ ପକ୍ଷୀମାନେ ବନୀ, ଗୁଆଁ, ସିଙ୍ଗଡ଼ା, ରାଇ, ସିନ୍ଦୁକା, କେରୁଆଁ ଆଦି ଗଛରେ ବସା ବାନ୍ଧୁଥିବାର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗତ ୨୦ ବର୍ଷରୁ ଅଧିକ ସମୟ ଧରି ଦେଶୀୟ ପକ୍ଷୀମାନେ ବଗଗହନରେ ଭିଡ଼ ଜମାଉଥିଲେ। ସେହି ସ୍ଥାନରେ ପର୍ଯ୍ୟଟକମାନେ ଦେଶୀୟ ପକ୍ଷୀଙ୍କୁ ଦେଖିବା ପାଇଁ ୱାଚ୍‌ଟାୱାର ମଧ୍ୟ ନିର୍ମାଣ କରାଯାଇଥିଲା। ମାତ୍ର ଲଗାତର ୫ବର୍ଷ ହେଲା ବଗଗହନରେ ଗୋଟିଏ ବି ପକ୍ଷୀ ବସା ବାନ୍ଧୁ ନାହାନ୍ତି, କିମ୍ବା ଭିଡ଼ ଜମାଉନାହାନ୍ତି। ଦେଶୀୟ ପକ୍ଷୀ ବାରମ୍ବାର ଠିକଣା ବଦଳାଉଥିବାରୁ ଏହା ପରିବେଶବିତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ସେମାନଙ୍କ ପାଇଁ ଖାଦ୍ୟ ଅଭାବ ଯୋଗୁଁ ଦେଶୀୟ ପକ୍ଷୀ ବାରମ୍ବାର ଠିକଣା ବଦଳାଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର