ମୌସୁମୀ ଆସିଲା: ଆସିଲେ ଦେଶୀୟ ପକ୍ଷୀ, ଭିତରକନିକାରେ ୭୦ ହଜାର ପକ୍ଷୀଙ୍କ ଭିଡ଼

ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକାରେ ଏବେ ଦେଶୀୟ ପକ୍ଷୀଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରେ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମିଛି। ଭିତରକନିକାର ମଠଆଡ଼ିଆ, ଦୁର୍ଗାପ୍ରସାଦଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଏବେ ପ୍ରାୟ ୭୦ ହଜାରରୁ ଅଧିକ ପକ୍ଷୀ ଭିଡ଼ ଜମାଇ ସାରିଲେଣି। ଦେଶୀୟ ପକ୍ଷୀଙ୍କ କାକଳିରେ ଭିତରକନିକା ଏବେ କୋଳାହଳମୟ ହୋଇ ଉଠିଛି। ଭିତରକନିକାକୁ ଜୁନ୍ ଶେଷ ଭାଗରୁ ଦେଶୀୟ ପକ୍ଷୀମାନଙ୍କର ଆଗମନ ହୋଇଥାଏ। ପକ୍ଷୀମାନେ ବସାରେ ଅଣ୍ତାଦେଇ ଛୁଆ ଫୁଟାଇବା ପରେ ଛୁଆମାନଙ୍କୁ ସାଥୀରେ ଧରି ଅକ୍ଟୋବର ଶେଷ ସୁଦ୍ଧା ସେମାନଙ୍କ ମୂଳସ୍ଥାନକୁ ଫେରି ଯାଇଥାନ୍ତି। ମୌସୁମୀର ଆଗମନରେ ଏହି ପକ୍ଷୀମାନେ ଖାଦ୍ୟ ସଂଗ୍ରହ, ବଂଶବିସ୍ତାର ଓ ଭିତରକନିକାରେ ରହିଯାଇଥିବା ବିଦେଶାଗତ ପକ୍ଷୀମାନଙ୍କ ସହ ବନ୍ଧୁତ୍ବ ସ୍ଥାପନ ପାଇଁ ଦେଶୀୟ ପକ୍ଷୀମାନେ ଏଠାକୁ ଛୁଟି ଆସନ୍ତି। ଜଳବାୟୁ ପରିବର୍ତ୍ତନ ଓ ବିଶ୍ବତାପନର ପ୍ରଭାବ ଯୋଗୁଁ ଭିତରକନିକାର ଜୈବବିବିଧତା ପ୍ରଭାବିତ ହୋଇଥିବାରୁ କ୍ରମାଗତ ଭାବେ ଭିତରକନିକା ଦେଶୀୟ ପକ୍ଷୀ ଠିକଣା ବଦଳାଇବାରେ ଲାଗିଛନ୍ତି। ପୂର୍ବରୁ ବଗଗହନରେ ଦେଶୀୟ ପକ୍ଷୀମାନେ ଭିଡ ଜମାଉଥିଲେ।

୬ବର୍ଷ ହେଲା ବଗଗହନଠାରୁ ୩ କିମି ଦୂର ମଠଆଡ଼ିଆରେ ଦେଶୀୟ ପକ୍ଷୀଙ୍କ କଳରବ ଶୁଭୁଛି। ୨୦୧୯ରୁ ମଠଆଡ଼ିଆ ସହିତ ଲକ୍ଷ୍ମୀପ୍ରସାଦଡିଆ ଓ ଦୁର୍ଗାପ୍ରସାଦଡିଆରେ ଦେଶୀୟ ପକ୍ଷୀମାନେ ଭିଡ଼ ଜମାଉଛନ୍ତି। ଚଳିତବର୍ଷ ମୌସୁମୀ ଆରମ୍ଭରୁ ଅଧିକ ସଂଖ୍ୟାରେ ପକ୍ଷୀ ଭିତରକନିକାକୁ ଆସିବାରେ ଲାଗିଛନ୍ତି। ଭିତରକନିକାର ମଠଆଡ଼ିଆ, ଦୁର୍ଗାପ୍ରସାଦଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଗେଣ୍ତାଳିଆ, ପାଣିକୁଆ, ଖଇରା, ଅଂଜନା, ରାଣୀବଗ, ମଝିଆବଗ, ବଡ଼ବଗ, କାପରଖାଇ, ଅନ୍ଧାରିଆବଗ, ମାଛରଙ୍କା ପ୍ରଭୃତି ୧୦ ପ୍ରକାରର ଦେଶୀୟ ପକ୍ଷୀ ଭିଡ଼ ଜମାଇଛନ୍ତି। ଏହି ଦେଶୀୟ ପକ୍ଷୀମାନେ ବନୀ, ଗୁଆଁ, ସିଙ୍ଗଡା, ରାଇ, ସିନ୍ଦୁକା, କେରୁଆଁ ଆଦି ଗଛରେ ବସା ବାନ୍ଧୁଥିବାର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ମଠଆଡ଼ିଆରେ ଅଧିକ ସଂଖ୍ୟାରେ ଗେଣ୍ତାଳିଆ ବସା କରିଥିବା ବେଳେ ଦୁର୍ଗାପ୍ରସାଦଡିଆରେ ବଗ ଓ ପାଣିକୁଆ ଅଧିକ ସଂଖ୍ୟାରେ ବସା ବାନ୍ଧିଛନ୍ତି। ଲକ୍ଷ୍ମୀପ୍ରସାଦଡିଆରେ ସବୁ ପ୍ରଜାତିର ପକ୍ଷୀ ବସା ବାନ୍ଧିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ହଜାର ପକ୍ଷୀ ବସା ବାନ୍ଧିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର