ରାଉରକେଲା: ରାଉରକେଲାସ୍ଥ ବିଶ୍ବର ସର୍ବାଧିକ ଆସନ ବିଶିଷ୍ଟ ବିର୍ସା ମୁଣ୍ଡା ଷ୍ଟାଡିୟମ ମାତ୍ର ୧୫ ମାସରେ ନିର୍ମିତ ହୋଇଥିଲା। ଏହା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ୍ସରେ ମଧ୍ୟ ସ୍ଥାନ ପାଇଛି। ପ୍ରାୟ ୨୬୧ କୋଟି ବା ତା’ଠାରୁ ଅଧିକ ଅର୍ଥ ବ୍ୟୟରେ ନିର୍ମିତ ଏହି ବିଶ୍ବସ୍ତରୀୟ ଷ୍ଟାଡିୟମରେ ଉପଲବ୍ଧ ଅତ୍ୟାଧୁନିକ ବ୍ୟବସ୍ଥା ବିଶ୍ବବ୍ୟାପୀ ପ୍ରଶଂସିତ ହୋଇଥିଲା। ଏବେ ଷ୍ଟାଡିୟମ ଉଦ୍ଘାଟନକୁ ୬ ମାସ ପୂରିନି, କିନ୍ତୁ ଷ୍ଟାଡିୟମରେ ପାଣି ଗଳିବା ଆରମ୍ଭ ହୋଇଗଲାଣି। ଗୋଟିଏ ବର୍ଷାରେ ଷ୍ଟାଡିୟମ ଛାତରୁ ପାଣି ଗଳିବା, ଗ୍ୟାଲେରିରେ ପାଣି ଜମି ରହୁଥିବା ଦେଖିବାକୁ ମିଳୁଛି। ଏସବୁ ନିର୍ମାଣର ମାନ ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଗୁରୁବାର ଦିନ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଚାଲିଥିବାବେଳେ ବର୍ଷା ହୋଇଥିଲା।
ଏହି ବର୍ଷା ଷ୍ଟାଡିୟମର ମାନକୁ ପଦାରେ ପକାଇ ଦେଇଛି। ଭିଭିଆଇପିମାନଙ୍କ ପାଇଁ ଷ୍ଟାଡିୟମକୁ ଯିବାକୁ ଏକ ସ୍ବତନ୍ତ୍ର ଗେଟ୍ ରହିଛି। ଏହି ଗେଟ୍ ପାଖରେ ହିଁ ସାମାନ୍ୟ ବର୍ଷାରେ ଅହରହ ପାଣି ଗଳୁଛି। ସେହିଭଳି ଉକ୍ତ ଗେଟ୍ଦେଇ ପଡ଼ିଆ ଭିତରକୁ ଯିବା ରାସ୍ତାର ଗୋଟିଏ ସ୍ଥାନରେ ପାଣି ଗଳୁଛି। ପଶ୍ଚିମ ଷ୍ଟାଣ୍ଡ୍ର ଗ୍ୟାଲେରିରେ ସର୍ବଦା ପାଣି ଜମି ରହୁଛି। ବିଶେଷକରି ମିଡିଆ ଗ୍ୟାଲେରି ସମ୍ମୁଖସ୍ଥ ଷ୍ଟାଣ୍ଡ୍ ଓ ତା’ ତଳକୁ ଥିବା ଷ୍ଟାଣ୍ଡ୍ରେ ପାଣି ଜମି ରହୁଛି। ପ୍ରଥମ ମହଲାରୁ ବର୍ଷା ପାଣି ଗଳି ଅପର୍ ଗ୍ରାଉଣ୍ଡ୍ ଚଟାଣରେ ପ୍ରବାହିତ ହେଉଛି। ଅପର୍ ଗ୍ରାଉଣ୍ଡ୍ରେ ଜମି ରହୁଥିବା ପାଣି କୁତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଟର୍ଫରେ ମଧ୍ୟ ବହୁମାତ୍ରାରେ ପାଣି ଜମି ରହୁଥିବା ପରିଲକ୍ଷିତ ହେଉଛି। ଉଲ୍ଲେଖନୀୟ ଯେ ଷ୍ଟାଡିୟମ ବାହାରେ ନିର୍ମିତ ୪୦ ଫୁଟ୍ ଉଚ୍ଚର ବହୁ ଚର୍ଚ୍ଚିତ ହକି ଷ୍ଟାଚ୍ୟୁ କିଛିଦିନ ତଳେ ଗଡ଼ିପଡ଼ି ଭୂଲୁଣ୍ଠିତ ହୋଇଥିବା ଖବରକୁ ନେଇ ସାରା ଦେଶରେ ପ୍ରବଳ ଆଲୋଚନା ହୋଇଥିଲା। ଗତକାଲି ପ୍ରଥମ ବର୍ଷାରେ ଏକାଧିକ ସ୍ଥାନରେ ପାଣି ଗଳିବା ଓ ପାଣି ଜମି ରହିବା ପରେ ଷ୍ଟାଡିୟମର ମାନ ନେଇ ପ୍ରଶ୍ବବାଚୀ ସୃଷ୍ଟି ହେଲାଣି। ଅନେକ ତ ଏହାକୁ ଯାତ୍ରାପାର୍ଟି ଟେଣ୍ଟ୍ କହିବା ଆରମ୍ଭ କଲେଣି!