ସରିଲା ଗଜଲକ୍ଷ୍ମୀ ପୂଜା, ମେଲାଣି ନେଲେ ମା’

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଶେଷ ହୋଇଛି। ଆଶ୍ବିନ ଚତୁର୍ଦ୍ଦଶୀଠାରୁ ଆରମ୍ଭ ହୋଇଥିବା ମା’ଗଜଲକ୍ଷ୍ମୀଙ୍କ ପୂଜା ଗତକାଲି ବିସର୍ଜନ ସହ ଶେଷ ହୋଇଥିଲା। କରୋନା କଟକଣା ପାଇଁ ମେଳଣ ଓ ଭସାଣି ଉସତ୍ବ ବନ୍ଦ ରହିଥିବାରୁ ପୂଜା କମିଟିର ସଦସ୍ୟମାନେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ କଟକଣା ମଧ୍ୟରେ ବିସର୍ଜନ କରିଛନ୍ତି। ଗତକାଲି ରାତିରେ ମଧ୍ୟ ବିସର୍ଜନ ପୂଜା ପରେ କିଛି ପୂଜା କମିଟି ପକ୍ଷରୁ ମା’ଙ୍କୁ ମେଲାଣି ଦିଆଯାଇଥିଲା। ଆଜି ସକାଳୁ ପୂଜା କମିଟିର କର୍ମକର୍ତା ଓ ସଦସ୍ୟମାନେ ମା’ଙ୍କୁ ବିସର୍ଜନ କରିଛନ୍ତି। ନୂଆ ବସଷ୍ଟାଣ୍ଡ ନିକଟ ଗୋବରୀଘାଟ ଓ ସାଆନ୍ତସାହି ନିକଟ କେନାଲରେ ମୂତ୍ତିଗୁଡ଼ିଙ୍କୁ ବିସର୍ଜନ କରାଯାଇଛି।

ପୁରୁଣା ବସଷ୍ଟାଣ୍ଡର ମା’ଥାନପତି ଓ ନୂଆ ବସ୍‌ଷ୍ଟାଣ୍ଡ୍‌ର ମା’ ଥାନପତି ମେଲାଣି ନେବା ପରେ ଆଜି ସଂଧ୍ୟାରେ ଚଳିତବର୍ଷର ଗଜଲକ୍ଷ୍ମୀ ପୂଜା ଶେଷ ହୋଇଛି। କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଥାଏ। କେନ୍ଦ୍ରାପଡା ସହର ପୂଜାରେ ଜନସମୁଦ୍ର ପାଲଟିଥାଏ। ମାତ୍ର, କରୋନା କଟକଣା ଯୋଗୁଁ ୨ବର୍ଷ ହେଲା କଟକଣା ମଧ୍ୟରେ କେବଳ ବିଧି ରକ୍ଷା ପାଇଁ ପୂଜାର୍ଚ୍ଚନା କରାଯାଉଛି। ଗଜଲକ୍ଷ୍ମୀ ପୂଜା ଓ ଭସାଣି ଉତ୍ସବରେ କେନ୍ଦ୍ରାପଡା ସହରରେ ୨୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର