ଲକ୍ଷ୍ମୀପୁର: ବିଶାଖାପାଟଣା ରେଳବିଭାଗର ଡିଆରଏମ ଅନୁପ ଶତପଥି ଦିନିକିଆ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗସ୍ତରେ ଆସି ରେଳବିଭାଗର ସମୀକ୍ଷା କରିବା ସହ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ କେଆର୍ ଲାଇନ୍ ବିଷୟରେ ପଚାରି ବୁଝିଛନ୍ତି। ଏକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଲକ୍ଷ୍ମୀପୁରରେ ପହଞ୍ଚିବା ପରେ ରେଲୱେ ଅଡିଟୋରିୟମରେ ହୋଇଥିବା ବୈଠକରେ ଯୋଗଦେଇ ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କର୍ମଚାରୀମାନଙ୍କୁ ନଗଦ ରାଶି ପ୍ରଦାନ କରି ସମ୍ମାନିତ କରିଥିଲେ।

Advertisment

ଗତ ଫେବ୍ରୁଆରି ମାସ ଶେଷସପ୍ତାହରେ ରେଳ ବିଭାଗର ଇଷ୍ଟ କୋଷ୍ଟ ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ଲକ୍ଷ୍ମୀପୁର ଷ୍ଟେସନରେ ଆସି ଲକ୍ଷ୍ମୀପୁର ଷ୍ଟେସନ ସମେତ ଡାକ୍ତରଖାନା, ଷ୍ଟାଫ କ୍ବାର୍ଟର, ଖେଳପଡିଆ, ଗେଷ୍ଟହାଉସ୍ ଓ କେଆର୍ ଲାଇନର ଟ୍ରାକ ବୁଲି ଦେଖିବା ସହ ସମୀକ୍ଷା କରି ଫେରିଥିଲେ। ସେ ଯିବା ପୂର୍ବରୁ ଲକ୍ଷ୍ମୀପୁର ଡିଭିଜନରେ କାର୍ଯ୍ୟ କରିଥିବା ଇଞ୍ଜିନିୟର ଷ୍ଟାଫ୍ ସମେତ ଟ୍ରାକ୍‌ମ୍ୟାନମାନଙ୍କ କାର୍ଯ୍ୟକୁ ଭୁୟଶୀ ପ୍ରଶଂସା କରିବା ସହ କର୍ମଚାରୀ ନଙ୍କୁ ଉତ୍ସ‌ାହ କରିବା ନେଇ ସମ୍ମାନିତ କରି କିଛି ଅଧିକ ପାରିଶ୍ରମିକ ରାଶି ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ। ଶ୍ରୀମତୀ ଯୋଶୀଙ୍କ ନିର୍ଦେଶ ଅନୁଯାୟୀ ଆଜି ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ଦେଢଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି।

ଆୟୋଜିତ କାର୍ଯ୍ୟକ୍ରମରେ ଏହି ପୁରସ୍କାର ରାଶି ପ୍ରଦାନ କରାଯିବା ସହ ରେଳବିଭାଗର କର୍ମଚାରୀଙ୍କୁ ସୁରକ୍ଷିତ ରହିବା ସହ ଟ୍ରେନର ସୁରକ୍ଷା ସବୁବେଳେ ପ୍ରାଥମିକତା ଭାବି କାର୍ଯ୍ୟ କରିବେ ବୋଲି କହିଥିଲେ। କର୍ମଚାରୀଙ୍କ ଯେକୌଣସି ଅସୁବିଧା ହେଲେ ରେଳ ବିଭାଗର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ଗୋଟିଏ ଅଞ୍ଚଳରେ ଏକାଧିକ ବର୍ଷ କାର୍ଯ୍ୟ କରିଥିଲେ ଓ ସମ୍ପୃକ୍ତ କର୍ମଚାରୀ ବଦଳି ହେବାକୁ ଚାହୁଁଥିଲେ ଲେଖିକି ପ୍ରଦାନ କରିବାକୁ ଡିଆରଏମ ପ୍ରକାଶ କରିଥିଲେ। ଡ୍ୟୁଟିରେ ଥିବା ସମୟରେ ଟ୍ରାକ୍ ମ୍ୟାନ୍, ଗ୍ୟାଙ୍ଗ ମ୍ୟାନ କିମ୍ବା ଅନ୍ୟ କର୍ମଚାରୀ ମୋବାଇଲର ଇଅର ଫୋନ ବ୍ୟବହାର କରି କାର୍ଯ୍ୟ ନ କରିବା ନେଇ ପରାମର୍ଶ ଦେଇଥିଲେ। ଭାରତୀୟ ରେଳକୁ ଆଗକୁ ନେବାକୁ ରେଳବିଭାଗର କର୍ମଚାରୀଙ୍କର ଗୁରୁତ୍ବପୁର୍ଣ୍ଣ ଭୁମିକା ରହିବ। ତେଣୁ ସକ୍ରିୟ ହୋଇ କାର୍ଯ୍ୟ କଲେ ଭାରତ ଏକ ଅଗ୍ରଣିରେଳ ସେବା ପ୍ରଦାନ କରିପାରିବ ବୋଲି ଶେଷରେ ସେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ରେଳବିଭାଗର ବରିଷ୍ଠ ଅଧିକାରୀ ପ୍ରଦୀପ ଯାଦବଙ୍କ ସମେତ ସିନିୟର୍ ସୁପର ଭାଇଜର, ଏଇଏନ୍ ଯୋଗଦେଇଥିବା ବେଳେ ରେଳବିଭାଗ ଯନ୍ତ୍ରୀ ଶିବପ୍ରସାଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।