ବିଷମକଟକ ମିନି ଷ୍ଟାଡିୟମ୍ ନିର୍ମାଣରେ ଦୁର୍ନୀତିର ଗନ୍ଧ, ୪୧ ଲକ୍ଷ ଖର୍ଚ୍ଚ ସତ୍ତ୍ବେ ହୋଇପାରୁନି ଖେଳ ଉପଯୋଗୀ

ମାଟି ସମତୁଲ, ପାଚେରୀ ନିର୍ମାଣ ନାଁରେ ଠିକାଦାର ପୋଷୁଛି ବିଭାଗ, ଗ୍ରାମାଞ୍ଚଳ କ୍ରୀଡ଼ାବିତ୍ ମହଲରେ ବଢ଼ୁଛି ଅସନ୍ତୋଷ

ବିଷମକଟକ (ଶ୍ରୀକାନ୍ତ ବଲ୍ଲଭଭାଇ): ବିଧାୟକ ପାଣ୍ଠିରୁ ୫ ଲକ୍ଷ, ଆଇଟିଡିଏରୁ ୨୦ ଲକ୍ଷ, ମନରେଗା ଯୋଜନାରେ ଖର୍ଚ୍ଚ ହେଲାଣି ୧୬ ଲକ୍ଷ। ତଥାପି ଭୂଇଁରୁ ଉଠିପାରୁନି ବିଷମକଟକ ମିନି ଷ୍ଟାଡିୟମ୍। ଷ୍ଟାଡିୟମ୍ ନିର୍ମାଣ ପାଇଁ ଅନୁଦାନର ଅଭାବ ନଥିବା ବେଳେ ୪୧ ଲକ୍ଷ ଖର୍ଚ୍ଚ ସତ୍ତ୍ବେ ଷ୍ଟାଡିୟମ୍ ଖେଳ ଉପଯୋଗୀ ହୋଇପାରୁନି। ଯାହାକୁ ନେଇ କ୍ରୀଡ଼ାବିତ୍ ମହଲରେ ପ୍ରକାଶ ପାଇଛି ତୀବ୍ର ଅସନ୍ତୋଷ। ଷ୍ଟାଡିୟମ୍ ନିର୍ମାଣ ଦାୟିତ୍ବରେ ଥିବା ବିଭାଗ ମାଟି ସମତୁଲ ଏବଂ ପାଚେରୀ ନିର୍ମାଣ ନାଁରେ ଠିକାଦାର ପୋଷୁଥିବା ଅଭିଯୋଗ ଆସିବା ପରେ ତୁରନ୍ତ ଷ୍ଟାଡିୟମ୍ ନିର୍ମାଣ କାମ ଶେଷ କରାଯିବ ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ।

ଆଦିବାସୀ ଅଧ୍ୟୁଷିତ ଓ ପଛୁଆ ଅଞ୍ଚଳ ବିଷମକଟକ ବ୍ଲକରେ କ୍ରୀଡ଼ାର ବିକାଶକୁ ପ୍ରାଥମିକତା ଦେଇ ୨୦୧୭ ମସିହାରେ ମିନି ଷ୍ଟାଡିୟମ୍ ନିର୍ମାଣ କରିବାକୁ ସରକାର ପଦକ୍ଷେପ ନେଇଥିଲେ। ତହସିଲ ପକ୍ଷରୁ ବାଇପାସ୍ ନିକଟରେ ଜାଗା ଚିହ୍ନଟ ପରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଷ୍ଟାଡିୟମ୍ ନିର୍ମାଣ କାମ ବିଷମକଟକ ବ୍ଲକ୍ ହାତରେ ନ୍ୟସ୍ତ କରାଯାଇଥିଲା। କିନ୍ତୁ ଇତି ମଧ୍ୟରେ ୩ ବର୍ଷ ବିତି ଯାଇଥିଲେ ସୁଦ୍ଧା ଷ୍ଟାଡିୟମ୍ ନିର୍ମାଣ କାମ ସଂପୂର୍ଣ୍ଣ ହୋଇପାରୁନି। ୨୦୧୭ ମସିହାରେ ଷ୍ଟାଡିୟମ୍ ନିର୍ମାଣ ପାଇଁ ଗୁଣପୁର ଆଇଟିଡିଏ ୨୦ ଲକ୍ଷ ବ୍ୟୟ କରିଥିବା ବେଳେ ୨୦୧୮ ମସିହାରେ ବିଧାୟକ ପାଣ୍ଠିରୁ ଖର୍ଚ୍ଚ ହୋଇଛି ୫ଲକ୍ଷ।

ସେହିପରି ୨୦୧୮ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ରେ ୩ ଲକ୍ଷ, ୨୦୧୯ରେ ୫ ଲକ୍ଷ, ୨୦୨୦ ରେ ୮ ଲକ୍ଷ ଟଙ୍କା ଟଙ୍କା ଖର୍ଚ୍ଚ ହୋଇଛି। ଆଜି ସୁଦ୍ଧା ମୋଟ ୪୧ ଲକ୍ଷ ଖର୍ଚ୍ଚ ହୋଇ ସାରିଥିଲେ ସୁଦ୍ଧା ଷ୍ଟାଡିୟମ୍ ଖେଳାଳିଙ୍କ ବ୍ୟବହାରରେ ଆସି ପାରୁନି। ଖର୍ଚ୍ଚ ହୋଇଥିବା ମୋଟ ଅନୁଦାନ ମଧ୍ୟରୁ କେବଳ ୨୦ ଲକ୍ଷ ପାଚେରୀ ନିର୍ମାଣରେ ଖର୍ଚ୍ଚ ହୋଇଥିବାରୁ ବିଭାଗର ଠିକାଦାର ପୋଷା ନୀତି ପଦାରେ ପଡିଛି। ଷ୍ଟାଡିୟମ୍ ଖେଳ ଉପଯୋଗୀ ନଥିବା ବେଳେ ଠିକାଦାର ବଞ୍ଚାଅ ନୀତିରେ ବ୍ଲକ୍ କର୍ତ୍ତୃପକ୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। କିଛି ଅସାଧୁ ଠିକାଦାର ନିୟମିତ ଭାବେ କାମ ହାତେଇ ଯନ୍ତ୍ରୀଙ୍କୁ ଖୁସ କରି ନିଜ ମର୍ଜିରେ କାମ କରୁଥିବାରୁ ଲକ୍ଷାଧିକ  ଟଙ୍କା ବ୍ୟୟ ପରେ ମଧ୍ୟ ଷ୍ଟାଡିୟମ୍ ରୂପରେଖ ଚୂଡାନ୍ତ ହୋଇପାରୁନି।

ଏ ସଂପର୍କରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଲର୍ବଟ ଲାକ୍ରାଙ୍କୁ ପଚାରିବାରୁ ମନ୍ଥର ଗତିରେ ଚାଲିଥିବା କାମର ସମୀକ୍ଷା କରାଯାଇ ତୁରନ୍ତ ସଂପୂର୍ଣ୍ଣ ଦିଗରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି। ରାଜ୍ୟ ସରକାର କ୍ରୀଡାର ଉନ୍ନତି ପାଇଁ ଡିଣ୍ଡିମ ପିଟୁଥିବା ବେଳେ ବିଷମକଟକ ମିନି ଷ୍ଟାଡିୟମ୍ ନିର୍ମାଣରେ ମନ୍ଥରତା ଆଦିବାସୀ କ୍ରୀଡାବିତଙ୍କ  ବିକାଶରେ ବାଧକ ସାଜିଛି ବୋଲି ସ୍ଥାନୀୟ କ୍ରୀଡାବିତ୍‌ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ଷ୍ଟାଡିୟମ୍ ନିର୍ମାଣରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବା ସହ ନିର୍ମାଣ କାମ ସଂପୂର୍ଣ୍ଣ କରିବାକୁ କ୍ରୀଡାପ୍ରେମୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର