କୋରାପୁଟ: କୋଟିଆର ୧୨ଟି ପଡା ସହ କୋରାପୁଟ ଜିଲ୍ଲାର ଶତାଧିକ ପଡାକୁ ଦିଆଯିବ ରାଜସ୍ୱ ଗ୍ରାମର ମାନ୍ୟତା । ଡିସେମ୍ବର ପୂର୍ବରୁ ଏହି ପଡା ଗ୍ରାମଗୁଡିକୁ ରାଜସ୍ୱ ଗାଁ ଭାବେ ମାନ୍ୟତା ଦିଆଯିବ । ସେଥିପାଇଁ ଜିଲ୍ଲାରେ ରହିଥିବା ରାଜସ୍ୱ ଅଧିକାରୀ ଓ ସମ୍ପୃକ୍ତ ପଡାବାସୀଙ୍କ ସହ ଆଲୋଚନା କରି ପଦାକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ । ଆଜି ଦୁଇ ଦିନିଆ କୋରାପୁଟ ଗସ୍ତରେ ଆସି ଆକାଂକ୍ଷା ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ, କୃଷି, ଜଳ ଉତ୍ସ, ଦକ୍ଷତା ବିକାଶ ଓ ମୌଳିକ ଭିତ୍ତିଭୂମି ଉପରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଆକାଂକ୍ଷା ଜିଲ୍ଲା ପ୍ରୋଗ୍ରାମ ଅଧିନରେ ୨୦୧୮ ଅପ୍ରେଲରୁ ଜୁଲାଇ ୨୦୨୧ ମଧ୍ୟରେ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ, କୃଷି,ଜଳ ଉତ୍ସ,ମୌଳିକ ଭିତ୍ତିଭୂମିର କାର୍ଯ୍ୟ ଦକ୍ଷତା ଉପରେ ଆଲୋଚନା ହୋଇଥିଲା ।
ତେବେ କୋଟିଆ ଗ୍ରାମପୁଞ୍ଜର ଉପର ବରାବନ୍ଦ, କରଞ୍ଜଗୁଡା, ଟାଉପଦର, ଫୁଲପଦର, ସାଲେମପଦର, କୋଡିଆମ୍ବ, ତଳଗଞ୍ଜେଇପଦର, କୁବୁଡି ପଦର, ଜାନିଗୁଡା, ପାନକୁ ବାଲସା, ଝାଙ୍କରବାଲସା ଓ ତଳପନିକି ପରି ପଡାଗ୍ରାମସହ ଜିଲ୍ଲାର ୧୪ଟି ବ୍ଲକରେ ରହିଥିବା ଶତାଧିକ ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ଭାବେ ପରିଗଣିତ କରିବାକୁ ବ୍ୟବସ୍ଥା ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ଶିକ୍ଷା କ୍ଷେତ୍ରରେ ଜିଲ୍ଲାର ଖାଲି ପଡିଥିବା ଶିକ୍ଷକ ପଦବୀ, ଶୌଚାଳୟ, ପାନୀୟ ଜଳ ଓ ବିଦ୍ୟାଳୟ ଗୁଡିକରେ ବିଦ୍ୟୁତ ଯୋଗାଣ, କୃଷି କ୍ଷେତ୍ରରେ ମାଇକ୍ରୋ ଜଳସେଚନ, ପ୍ରାଣୀଧନ ଟୀକାକରଣ, ମୃତିକା ସ୍ୱାସ୍ଥ୍ୟ ପତ୍ର, ଦୁଗ୍ଧ ଶୀତଳୀକରଣ, ଦୁଗ୍ଧ ଉତ୍ପାଦନ, ଗ୍ରାମ ପଂଚାୟତରେ ଇଂଟରନେଟ ସୁବିଧା, ପ୍ରଧାନମନ୍ତ୍ରୀ ଗାମ ସଡକ ଯୋଜନାରେ ରାସ୍ତା ଗତିବିଧି, ମୁଦ୍ରା ଲୋନ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ପ୍ରଧାନ ମନ୍ତ୍ରୀ ଜନଧନ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଥିଲା । ସେହିପରି ବିବାଦୀୟ କୋଟିଆ ପ୍ରସଙ୍ଗରେ ମଧ୍ୟ ସମୀକ୍ଷା କରାଯାଇଥିଲା ।
କୋଟିଆରେ ୨ଟି ସେମି ହାଇ ମାସ୍କ ଲାଇଟ ଲାଗିଥିବା ବେଳେ ଗୋଟିଏ ହାଇ ମାସ୍କ ଲାଇଟ କୋଟିଆ ପାଇଁ ଆବଶ୍ୟକ ଥିବା କୁହାଯାଇଥିଲା । ଉକ୍ତ ଅଂଚଳରେ ଥ୍ରୀ ଫେଜ ବିଦ୍ୟତ କରଣ ଆବଶ୍ୟକ ବୋଲି ପ୍ରଶାସନ ତରଫରୁ ଆଲୋଚନା କରାଯାଇଥିଲା । କୋଟିଆରେ ବିଏସଏନଲ ମୋବାଇଲ ଟାୱାର ଥିବା ବେଳେ ଯଥାଶୀଘ୍ର ସେଠାରେ ଇଂଟରନେଟର ସୁବିଧା କରାଯିବ ଏବଂ ପୋଲିସ ଷ୍ଟେସନ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିବା କୁହାଯାଇଥିଲା । ତତସହିତ ପ୍ରଶାସନିକ ଅଧିକାରୀ ମାନେ ପ୍ରତିଦିନ କୋଟିଆ ଗସ୍ତ କରି ଉକ୍ତ ଅଂଚଳର ବିକାଶ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ପ୍ରଶାସନ ତରଫରୁ କୁହାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/kpt-bisnupada-sethy-samiksya.jpg)