ରାଉରକେଲା/ବୀରମିତ୍ରପୁର: ପରିଚାଳନାଗତ ତ୍ରୁଟି ହେଉ ଅବା ବିଭିନ୍ନକାରଣରୁ ବ୍ରିଟିଶ ଅମଳ ଚୂନପଥର ଖଣି ‘ବିଶ୍ରା ଷ୍ଟୋନ୍ ଲାଇମ୍ (ବିଏସ୍ଲ୍)କମ୍ପାନୀ’ ଏବେ ବନ୍ଦ ଦ୍ବାରଦେଶରେ। ବୀରମିତ୍ରପୁର ଭାତହାଣ୍ଡି, ଏହି ସର୍ବବୃହତ କମ୍ପାନିରେ କାମ କରୁଥିଲେ ୧୭,୦୦୦ କର୍ମଚାରୀ। ଏବେ କାମ କରୁଛନ୍ତି ମାତ୍ର ୭୦୦ । ପୂର୍ବରୁ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ମିଳୁଥିଲା। ଏବେ କର୍ମଚାରୀଙ୍କୁ ୧୮ ମାସର ଦରମା ମିଳୁନି। କେବେ ମିଳିବ, ବିଭାଗୀୟ ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ। ଯେଉଁ କମ୍ପାନି କାର୍ଯାଳୟରେ ଦିନେ ମେଳା ଲାଗିରହୁଥିଲା, ଆଜି ଖାଁ ଖାଁ। ୨୦୧୧ରୁ ବିଏସ୍ଏଲ୍ କମ୍ପାନୀ ରାଷ୍ଟ୍ର ଇସ୍ପାତ ନିଗମ (ଆର୍ଆଇଏନ୍ଏଲ୍) ଅଧୀନକୁ ଆସିବା ପରେ ସ୍ଥିତି ସୁଧୁରିବ ବୋଲି ସହରବାସୀଙ୍କ ଯେଉଁ ଆଶା ଥିଲା, ତାହା ବି ମଉଳିଯାଇଛି।
କମ୍ପାନିର ଏଭଳି ଦୟନୀୟସ୍ଥିତ ପାଇଁ ଶ୍ରମିକ ଓ କର୍ମଚାରୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସୁନ୍ଦରଗଡ଼ ସାଂସଦ ଓ ସ୍ଥାନୀୟ ଜନପ୍ରତିନିଧି ମଧ୍ୟ କମ୍ପାନିର ଏପରି ସ୍ଥିତି ପାଇଁ ସମପରିମାଣରେ ଦାୟୀ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ସ୍ବାଧୀନତା ପୂର୍ବରୁ ଅର୍ଥାତ୍ ୧୯୧୦ରେ ବୀରମିତ୍ରପୁରରେ ଇଂରେଜ କମ୍ପାନି ବାର୍ଡଗ୍ରୁପ୍ ଦ୍ବାରା ବିଏସ୍ଏଲ୍ କମ୍ପାନି ପ୍ରତିଷ୍ଠା ହୋଇଥିଲା। ଏସିଆ ମହାଦେଶର ସବୁଠୁ ବୃହତ ଖଣିରୁ ଦେଶସାରା ବିଭିନ୍ନ କଳକାରଖାନାକୁ ଚୂନପଥର ପଠାଯାଉଥିଲା। ଖଣି ମୁଖ୍ୟାଳୟ ସୁଦୂର କଲିକତା ଠାରେ ରହିଥିବାରୁ କଲିକତାରୁ ବୀରମିତ୍ରପୁରକୁ ସ୍ୱତନ୍ତ୍ର ରେଳଲାଇନ୍ ବିଛାଯାଇଥିଲା। ୧୯୬୭ରେ ମହାନାୟକ ଅମିତାଭ ବଚ୍ଚନ ବାର୍ଡଗ୍ରୁପ୍ କମ୍ପାନୀର ପ୍ରବନ୍ଧକ ଭାବେ ଯୋଗଦେଇ କାର୍ଯ୍ୟ କରୁଥିଲେ। ୧୯୪୭ ଦେଶ ସ୍ବାଧୀନତା ପାଇବା ପରେ ବିଏସ୍ଏଲ୍ କମ୍ପାନି ପ୍ରତିଷ୍ଠାଠାରୁ ଅନେକ ନିର୍ଦ୍ଦେଶକ ଆସିଛନ୍ତି ଓ ଯାଇଛନ୍ତି। କିନ୍ତୁ ୧୯୬୦ରେ ଇଂଲଣ୍ଡର ମାର୍କ୍ସଲି ବିଏସ୍ଏଲ୍ର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ପରେ କମ୍ପାନୀର ଉତ୍ପାଦନ କ୍ଷମତା ବଢ଼ିଥିଲା। ମାର୍କ୍ସଲିଙ୍କ ସମୟରେ ହିଁ ସହରରେ ପ୍ରଥମେ ବିଦ୍ୟୁତ ସଂଯୋଗ ହୋଇଥିଲା। ସହରର ସବୁଠୁ ଆକର୍ଷଣ ଥିଲା କମ୍ପାନୀର ନିର୍ଦ୍ଦେଶକଙ୍କ ବଙ୍ଗଳା।
୧୦୦ରୁ ଅଧିକ ଏକର ଜାଗାରେ ପ୍ରତିଷ୍ଠିତ ବଙ୍ଗଳାରେ କମ୍ପାନିର ବଡ଼ବଡ଼ ଇଂରେଜ ଅଧିକାରୀମାନେ କଲିକତାରୁ ଆସି ରହୁଥିଲ। ବିଳାସପୂର୍ଣ୍ଣ ବଙ୍ଗଳାରେ ରହିଛି ହ୍ୱାଇଟ, ରେଡ୍ ଓ ପିଙ୍କି ରୁମ। ବଙ୍ଗଳା ପରିସର ଭିତରେ ରହିଥିଲା ସୁଇମିଂ ପୁଲ୍। ଥିଲା ବିରାଟ ଫୁଲ ବଗିଚା ସହ ବିରାଟ ଖେଳପଡିଆ। ଅନ୍ୟତମ ଆକର୍ଷଣୀୟ ମଧ୍ୟରେ ରହିଥିଲା ବିଆର୍ଆଇ କ୍ଲବ୍। ଯେଉଁଠି ବଡ଼ବଡ଼ ସମାବେଶମାନ ହେଉଥିଲା। କିନ୍ତୁ ଏସବୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ୨୦୧୧ରେ ବିଏସ୍ଏଲ୍ କମ୍ପାନି ରାଷ୍ଟ୍ର ଇସ୍ପାତ ନିଗମ ( ଆରଆଇଏନଏଲ ) ଅଧୀନକୁ ଯିବା ପରେ କମ୍ପାନୀ ସ୍ଥିତି ସୁଧୁରିବା ପରିବର୍ତ୍ତେ ଦୟନୀୟ ହୋଇପଡ଼ିଛି। ଚୁନପଥର ଉତ୍ପାଦନରେ ବ୍ୟବହୃତ କୋଟି କୋଟି ଟଙ୍କାର ଯନ୍ତ୍ରପାତି ଖତ ଖାଉଛି। ସେପଟେ ବ୍ରିଟିସ ଅମଳର ସହର ବୀରମିତ୍ରପୁର ଶହ ଶହ କର୍ମଚାରୀଙ୍କ କ୍ବାର୍ଟର୍ସ ଖଣ୍ଡର ପାଲଟିଯାଇଛି। ବିଏସ୍ଏଲ୍ କମ୍ପାନୀ ପାଇଁ ବ୍ରିଟିଶ ଶାସନ ଅମଳରେ ଗାଙ୍ଗପୁର ଷ୍ଟେଟ୍ ମଧ୍ୟରେ ବୀରମିତ୍ରପୁର ଶ୍ରେଷ୍ଠ ସହର ଥିଲା।
୧୯୧୦ରେ ପ୍ରତିଷ୍ଠା ହୋଇଥିଲା ବିଏସ୍ଏଲ୍
ଥିଲେ ୧୭,୦୦୦ କର୍ମଚାରୀ ଏବେ ୭୦୦
ରାଏପୁରା ନାମରେ ଜଣାଶୁଣା ସହର ବୀରମିତ୍ରପୁର ସୁନ୍ଦରଗଡ଼ ରାଜା ଭବାନୀ ଶେଖର ଦେଓଙ୍କ ଜ୍ୟେଷ୍ଠପୁତ୍ର ବୀରମିତ୍ର ଶେଖର ଦେଓଙ୍କ ନାମରେ ନାମିତ ହୋଇଥିଲା। ଆଜି ମଧ୍ୟ ସୁନ୍ଦରଗଡ଼ ଝାରସୁଗୁଡା ୧୦ ନଂ ବିଜୁ ଏକ୍ସପ୍ରେସ୍ ୱେରେ ବୀରମିତ୍ରପୁର ସ୍ମୃତି ସ୍ତମ୍ଭ ସେମିତି ମୂକସାକ୍ଷୀ ହୋଇରହିଛି। ବ୍ୟବସାୟ ଦୃଷ୍ଟିକୋଣରୁ ଯେତିକି ମହତ୍ତ୍ୱପୁର୍ଣ ଥିଲା,ଏଠାକାର ଜନଜାତି, ପାରମ୍ପରିକ ପରମ୍ପରା,ସଂସ୍କୃତି ଜିଲ୍ଲାବାସୀଙ୍କ ନିକଟରେ ବେଶ୍ ପରିଚିତ ଥିଲା। ମୂଳବାସିନ୍ଦାକୁ ବାଦ୍ଦେଲେ କର୍ମସଂସ୍ଥାନ ହରାଇଥିବା ଦେଶର ବିଭିନ୍ନ ରାଜ୍ୟର ହଜାର ଶ୍ରମିକ ପରିବାର ସହ ବୀରମିତ୍ରପୁର ଛାଡି ଦେଇଛନ୍ତି। କମ୍ପାନୀର ଉପରେ ନିର୍ଭରଶୀଳ ସୁନ୍ଦରଗଡ଼ର ସର୍ବପୁରାତନ ଚଳଚଞ୍ଚଳ ସହର ବୀରମିତ୍ରପୁର ତା’ର ଚମକ ହରାଇବାକୁ ବସିଛି। କମ୍ପାନୀର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆ ନଗଲେ ବୀରମିତ୍ରପୁର ମୃତ ସହର ପାଲଟିଯିବ, ଏଥିରେ ଦ୍ବିମତ ନାହିଁ।