ଧଉଳି: ଧଉଳି ଶାନ୍ତିସ୍ତୂପକୁ ଯିବା ରାସ୍ତାରେ ମୁଖ୍ୟ ରାସ୍ତାରୁ ବାମପାର୍ଶ୍ବକୁ ପାଖାପାଖି ଦୁଇ ଶହ ମିଟର ବାଟ ଭାଙ୍ଗିଗଲେ ପଡ଼େ ସ୍ବଧର୍ମ ପୀଠ ବା ମାଧବ ବିଜୟମାନ କ୍ଷେତ୍ର। ଗୋଟିଏ ସ୍ଥାନରେ ପୂଜା ପାଉଛନ୍ତି ୩ ଧର୍ମାବଲମ୍ବୀମାନଙ୍କ ଆରାଧ୍ୟ ଦେବତା। ମଝିରେ ନିର୍ମିତ ମନ୍ଦିରରେ ହିନ୍ଦୁମାନଙ୍କର ଆରାଧ୍ୟ ବିଷ୍ଣୁଙ୍କ ଅବତାର ହୈରେଗ୍ରୀବଙ୍କ ପ୍ରତିମୂର୍ତ୍ତି । ଉକ୍ତ ମନ୍ଦିରରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ କାଠ ନିର୍ମିତ ପ୍ରତିମୂର୍ତ୍ତି ମଧ୍ୟ ରହିଛି।
ସେହିପରି ମନ୍ଦିର ଆଗରେ ଗରୁଡ଼ଖମ୍ବ ଓ ଜଟାୟୁ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ହୈରଗ୍ରୀବ ମନ୍ଦିର ଗୋଟିଏ ପାର୍ଶ୍ବରେ ଚର୍ଚ୍ଚରେ ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କର ଆରାଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ଏବଂ ଆର ପାର୍ଶ୍ବରେ ମସଜିଦରେ ଅଛନ୍ତି ମୁସଲମାନଙ୍କର ଆରାଧ୍ୟ ଦେବତା ଆହ୍ଲା । ଶାନ୍ତିସ୍ତୂପରେ ଶାନ୍ତି, ମୈତ୍ରୀ ଓ ଭ୍ରାତୃତ୍ବ ଭାବନାରେ ଲୋକମାନଙ୍କୁ ବାନ୍ଧି ରଖିବା ପାଇଁ ସର୍ବ ଧର୍ମ ପୀଠ ନିର୍ମାଣ କରାଯାଇଥିବା କୁହାଯାଏ। ଆଉ ଯେଉଁ ମହାତ୍ମା ଏହି ୩ ମନ୍ଦିର ନିର୍ମାଣ କରିଥିଲେ ସେ ହେଲେ କଟକ ଜିଲ୍ଲା ବୟାଳିଶ ମୌଜା ଅଞ୍ଚଳର ବାବା ବୈଷ୍ଣବ ଚରଣ ଦେବତା। ୯୬ ବର୍ଷରେ ଉପନୀତ ବାବା ବୈଷ୍ଣବ ବୟସାଧିକ କାରଣରୁ ୬ ବର୍ଷ ହେଲା ଘରେ ରହୁଥିବା ସୂଚନା ମିଳିଛି।
ଏବେ ସ୍ବଧର୍ମ ପୀଠର ପରିଚାଳନା ଦାୟିତ୍ବରେ ରହିଛନ୍ତି ସ୍ଥାନୀୟ ଅଞ୍ଚଳର ବିବେକାନନ୍ଦ ପ୍ରଧାନ। ତାଙ୍କ କହିବାନୁଯାୟୀ ସ୍ବଧର୍ମ ପୀଠ ଥିଲା ବାବା ବୈଷ୍ଣବଙ୍କର ସାଧନା ପୀଠ। ସବୁ ଧର୍ମର ଲୋକମାନଙ୍କ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ଭାଇଚାରା ବନ୍ଧନରେ ବାନ୍ଧି ରଖିବାକ ସେ ସ୍ବଧର୍ମ ପୀଠ ନିର୍ମାଣ କରାଇଥିଲେ। ଦେଢ଼ ଏକର ପରିମିତ ଜମିରେ ୨୦୦୩ ମସିହାରେ ସେ ସ୍ବଧର୍ମ ପୀଠ ନିର୍ମାଣ କରାଇଥିଲେ। ସେତେବେଳେ ଶ୍ରଦ୍ଧାଳୁମାନଙ୍କ ଲାଗି ସବୁ ବେଳେ ମନ୍ଦିର ଖୋଲା ରହୁଥିଲା। ବାବା ବୈଷ୍ଣବଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୂଜା ପାର୍ବଣ ହେଉଥିଲା। ରଜ, ଦୁର୍ଗାପୂଜା, ଦୋଳ, ପଣା ସଂକ୍ରାନ୍ତି, ଇଦୁଲ ଫିତର, ଇଦଜୁହା ଓ ବଡ଼ଦିନ ଭଳି ପୂଜା ପାର୍ବଣରେ ସବୁଧର୍ମର ଲୋକମାନେ ଭିଡ଼ ଜମାଉଥିଲେ। ଗୋଟିଏ ସ୍ଥାନରେ ଏକାଠି ବସି ପ୍ରସାଦ ସେବନ କରୁଥିଲେ।
୨୧ ଦିନ ଧରି ବିଶ୍ବଶାନ୍ତି ଯଜ୍ଞ ଚାଲୁଥିଲା। ପୂର୍ଣ୍ଣାହୁତି ଦିନ ଯଜ୍ଞକୁଣ୍ଡରେ ଘିଅ ପରିବର୍ତ୍ତେ ପଞ୍ଚ ଶଶ୍ୟର ଜଡ଼ିବୁଟି ଅର୍ପଣ କରାଯାଉଥିଲା। ଶ୍ରଦ୍ଧାଳୁମାନଙ୍କ ସମୃଦ୍ଧି ଓ ନିରୋଗ କାମନା କରି ଏଭଳି କରାଯାଉଥିବା କୁହାଯାଏ। ସେହିପରି ରଜ ପର୍ବରେ ବାବା ବାଡ଼ିରେ ଥିବା ପାଚିଲା ଆମ୍ବକାଟି ଶ୍ରଦ୍ଧାଳୁମାନଙ୍କୁ ଖାଇବାକୁ ଦେଉଥିଲେ। ହେଲେ ଗତ ୬ ବର୍ଷ ହେଲା ବାବା ବୈଷ୍ଣବ ଅସୁସ୍ଥ ହେବା ପରେ ପୀଠ ବନ୍ଦ ରହୁଛି। କେବଳ ସକାଳ ଓ ସଂଧ୍ୟାରେ ପୂଜାର୍ଚ୍ଚନା ପାଇଁ ମନ୍ଦିର ଖୋଲୁଥିବା କହିଛନ୍ତି ବିବେକାନନ୍ଦ। ହେଲେ ଶ୍ରଦ୍ଧାଳୁମାନଙ୍କ ଲାଗି ରଜ ୩ ଦିନ ସ୍ବଧର୍ମ ପୀଠ ଖୋଲା ରହୁଥିବା କହିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ସରକାରୀ ସ୍ତରରେ ସ୍ବଧର୍ମ ପୀଠର ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲେ ବାବା ବୈଷ୍ଣବଙ୍କର ପ୍ରକୃତ ଲକ୍ଷ ସାଧନ ହୋଇପାରନ୍ତା ବୋଲି କହିଛନ୍ତି।