ବାହାନଗା/ଗୋପାଳପୁର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଗୋପାଳପୁର ପଞ୍ଚାୟତ ପାଇକାସ୍ତା ଗ୍ରାମର ଯୁବ ପଥରଶିଳ୍ପୀ ବିଶ୍ୱନାଥ ରଣା ୱାର୍ଲଡ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପୂର୍ବରୁ ବିଶ୍ୱନାଥ ପେନ୍‌ସିଲ୍‌ ମୁନରେ କ୍ଷୁଦ୍ରତମ ଅଶୋକସ୍ତମ୍ଭ ନିର୍ମାଣ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଥିଲେ। ମହାମହିମ ରାଷ୍ଟପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ନିଜ ହାତ ତିଆରି ମୂର୍ତ୍ତି ପ୍ରଦାନ କରିଥିବା ବେଳେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ନିଜ ହାତ ତିଆରି ପ୍ରତିମୂର୍ତ୍ତି ପ୍ରଦାନ କରି ପୁରସ୍କୃତ ହୋଇଥିଲେ। ତାଙ୍କ ହାତ ତିଆରି ମୂର୍ତ୍ତି ଏବଂ କଳାକୃତି ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୁଜୁରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ, ତାମିଲନାଡ଼ୁର ବିଭିନ୍ନ ସ୍ଥାନରେ ଥିବା ମନ୍ଦିରରେ ଶୋଭାବର୍ଦ୍ଧନ କରୁଛି। ରାଜ୍ୟ ତଥା ରାଜ୍ୟ ବାହାରେ ସେ ବେଶ ପ୍ରଶଂସା ସାଉଁଟିବା ସହ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

Advertisment

publive-image

କେବଳ ସେତିକି ନୁହେଁ, ବିଶ୍ୱନାଥ ଓଡ଼ିଶାର ରାଜଭବନରେ ଥିବା ୧୦ ଫୁଟ୍‌ର ଭାରତ ମାତାଙ୍କ ପ୍ରତିମୂର୍ତ୍ତି ଏବଂ ପଥରରେ ନିର୍ମିତ ୭ ଫୁଟ୍‌ର କୋଣାର୍କ ଚକ୍ର ନିର୍ମାଣ କରିଛନ୍ତି। ୨ ମାସ ତଳେ ସେ ଏକ ପେନ୍‌ସିଲ୍‌ ମୁନରେ ୦.୫ ସେଣ୍ଟିମିଟରର ଅଶୋକସ୍ତମ୍ଭ ନିର୍ମାଣ କରିଥିଲେ। ଯାହାକୁ ନିର୍ମାଣ କରିବାକୁ ତାଙ୍କୁ ୧ ଘଣ୍ଟା ସମୟ ଲାଗିଥିଲା। ଏନେଇ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ଏବଂ ୱାର୍ଲଡ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।