ଦେଶ ଓ ଦେଶବାସୀଙ୍କ ସୁରକ୍ଷା ଚିନ୍ତାରେ ମଗ୍ନ ଶତାୟୁ ବିଶ୍ୱନାଥ

ସ୍ୱାଧୀନତା ସଂଗ୍ରାମୀଙ୍କ ୧୦୬ ତମ ଜୟନ୍ତୀରେ ସମ୍ବର୍ଦ୍ଧନା

ମାଛଗାଁ: ୧୯୧୭ ଜୁନ୍‌ ୧୭ ତାରିଖରେ ସିଣ୍ଢୋଳ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ସ୍ୱାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସ। ସେ ୧୦୬ ବର୍ଷରେ ପଦାର୍ପଣ କରିଥିବା ବେଳେ ତାଙ୍କ ବାସଭବନରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବାଲିକୁଦା ପଞ୍ଚାୟତ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ଉପଧ୍ୟକ୍ଷା ପ୍ରିୟମ୍ବଦା ପଲାଉର, ଅରିଲ ସରପଞ୍ଚ ପ୍ରଶାନ୍ତ ବାରିକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଯୁଗଳ ମହାନ୍ତି ପ୍ରମୁଖ ପହଞ୍ଚି ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷାଗତ ଯୋଗ୍ୟତା କହିଲେ ସପ୍ତମ ଶ୍ରେଣୀ। ତେବେ ବୟସର ସାୟାହ୍ନରେ ବେଶ୍‌ ଚଳଚଞ୍ଚଳ ଥିଲେ ହେଁ ସ୍ମରଣ ଶକ୍ତି କିଛି ମାତ୍ରାରେ ହରାଇଛନ୍ତି। କାନକୁ ଠିକ୍ ଭାବେ ଶୁଭୁନି। ସବୁବେଳେ ଚିନ୍ତା ‘ମୋ ଦେଶ କେମିତି ଭଲରେ ରହିବ, ମୋ ଦେଶବାସୀ କେମିତି ସୁରକ୍ଷିତ ରହିବ’। ଏହି ସଂଗ୍ରାମୀ ମାତ୍ର ୧୬ ବର୍ଷ ବୟସରେ ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇ ମହାତ୍ମା ଗାନ୍ଧୀଙ୍କ ‘କର ବା ମର’ ସଂଗ୍ରାମରେ ସାମିଲ ହୋଇଥିଲେ। ମାଳତୀ ଚୌଧୁରୀ, ପ୍ରାଣକୃଷ୍ଣ ପଢ଼ିଆରୀ, ମାଗୁଣି ରାଉତ, ନିତ୍ୟାନନ୍ଦ କାନୁନ୍‌ଗୋ, ନବକୃଷ୍ଣ ଚୌଧୁରୀ ଥିଲେ ତାଙ୍କର ପ୍ରମୁଖ ସହଯୋଗୀ। ଭାରତଛାଡ ଆନ୍ଦୋଳନରେ ସାମିଲ ହୋଇ ୩ ବର୍ଷ ଚୌଦ୍ବାର ଜେଲ୍‌ରେ ଥିଲେ। ସେଦିନର ଲୋମ ଟାଙ୍କୁରା ଦୃଶ୍ୟକୁ ମନେ ପକାଇ ବିଶ୍ବନାଥ କହିଛନ୍ତି ଇଂରେଜମାନଙ୍କ ଅସହ୍ୟ ନିର୍ଯାତନା ଗାଳି ମାଡ଼ ସହିଥିଲେ। ପିଠି ଉପରେ କଟା ଦାଗ ନିର୍ଯାତନାର ଚିହ୍ନ ମଧ୍ୟ ରହିଛି। ପରବର୍ତ୍ତୀ ସମୟରେ ଏରସମା ଥାନା ପୋଡ଼ି ଘଟଣା ବେଳେ ବ୍ରିଟିସ୍‌ ଅତ୍ୟାଚାର ସୀମାଲଂଘି ଥିଲା।

କେତେକ ପ୍ରମୁଖ ସହଯୋଗୀଙ୍କୁ ହରାଇବାକୁ ପଡ଼ିଥିଲା। ବ୍ରିଟିସ୍‌ ମାଡ଼ ବେଳେ ବିଶ୍ବନାଥ ବଞ୍ଚିଥିଲେ ବି ମରିଯାଇଥିବା ଛଳନା କରି ସୌଭାଗ୍ୟକ୍ରମେ ବଞ୍ଚି ଯାଇଥିଲେ। ସେଦିନର ସ୍ମୃତି ଆଜି ବି ତାଙ୍କ ଆଖିରେ ଲୁହ ଆଣିଦିଏ। ଏସବୁ ସତ୍ତ୍ବେ ଦେଶକୁ ସ୍ବାଧୀନତା ଆଣିଦେବା ଝୁଙ୍କ୍‌ ତାଙ୍କୁ ଆଗକୁ ବଢ଼ାଇଥିଲା। ତିନି ପୁଅ ତିନି ଝିଅଙ୍କୁ ନେଇ ଥିବା ଯୌଥ ପରିବାରରେ ୨୬ ସଦସ୍ୟ ବିଶ୍ବନାଥଙ୍କ ଆଦର୍ଶରେ ଅନୁପ୍ରାଣିତ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବେ ବିଶ୍ୱନାଥସଙ୍କୁ ଦୁଇଥର ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ କରାଯାଇଛି। ୨୦୧୨ରେ ତତ୍କାଳୀନ ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ରାଷ୍ଟ୍ରପତି ଭବନରେ ତାଙ୍କୁ ସ୍ଵତନ୍ତ୍ର ସୈନିକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୨୦ ଅଗଷ୍ଟ ୯ କ୍ରାନ୍ତି ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ଦ୍ବିତୀୟ ଥର ସମ୍ବର୍ଦ୍ଧିତ କରା ଯାଇଥିଲା। ସାମ୍ପ୍ରତିକ କରୋନା କଟକଣା ଥିବାରୁ ରାଷ୍ଟ୍ରପତିଙ୍କ ନିର୍ଦେଶ କ୍ରମେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବିଶ୍ବନାଥ ଦାସଙ୍କ ବାସଭବନରେ ପହଁଚି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏପରିକି ମହାମହିମ ଓଡ଼ିଶା ରାଜ୍ୟପାଳଙ୍କ ଦ୍ବାରା ସେ ୭ ଥର ପୁରସ୍କୃତ ହୋଇଛନ୍ତି।

ସମ୍ବନ୍ଧିତ ଖବର