‘ସମ୍ବାଦ‘ ଉତ୍ତର ଓଡ଼ିଶା ସଂସ୍କାରଣରେ ବିତର୍କ ଓ ସାରେଗାମା ପ୍ରତିଯୋଗିତା

ବାଲେଶ୍ୱର: ଜୋନ୍‌ସ୍ତରୀୟ ବାର୍ଷିକ ସମ୍ବାଦ ସାରେଗାମା ଓ ବିତର୍କ ପ୍ରତିଯୋଗିତା ବାଲେଶ୍ବର ଶିଳ୍ପାଞ୍ଚଳ ସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି। ପ୍ରତିଯୋଗିତାକୁ ଫକୀରମୋହନ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ମୁନେଶ ଚନ୍ଦ୍ର ଅଧିକାରୀ ଉଦ୍‌ଘାଟନ କରିବା ସହ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ସମ୍ବାଦର ପ୍ରୟାସକୁ ପ୍ରଶଂସା କରିଥିଲେ। ଉଭୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ବିତର୍କ ପ୍ରତିଯୋଗିତାରେ ବାଲେଶ୍ବର ଡିଆଇଇଟିର ଛାତ୍ର ଦୀପକ କୁମାର ନାୟକ ପ୍ରଥମ, କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ ଛାତ୍ରୀ ତନୁଶ୍ରୀ ନାୟକ ଦ୍ବିତୀୟ ଏବଂ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ଅପର୍ଣ୍ଣା ସିଂ ତୃତୀୟ ସ୍ଥାନ ପାଇଥିଲେ। ବିଚାରକ ଭାବେ ବିଶିଷ୍ଟ ପ୍ରାବନ୍ଧିକ ତଥା ଗବେଷକ ଡ. ମନ୍ମଥ କୁମାର ପ୍ରଧାନ, ବିଶିଷ୍ଟ ସାହିତ୍ୟିକ ଡ. ରବିନାରାୟଣ ଦାସ ଓ ସାହିତ୍ୟିକ ତଥା ଗବେଷକ ଡ. ରମାକାନ୍ତ ବେହେରା ଯୋଗ ଦେଇ ମୂଲ୍ୟାୟନ କରିଥିଲେ।

ସେହିପରି ସାରେଗାମା ପ୍ରତିଯୋଗିତାରେ ବାଲେଶ୍ବର ସ୍କୁଲ୍‌ ଅଫ୍ ଇଂଜିନିୟରିଂର ଛାତ୍ର ଚିରାଗଦୀପ ପଣ୍ଡା ପ୍ରଥମ, ବାଲେଶ୍ବର ସାଗର କଲେଜର ଛାତ୍ର ସତ୍ୟସୁନ୍ଦର ଘଢ଼ାଇ ଦ୍ବିତୀୟ ଏବଂ ସେଣ୍ଟ ଭିନସେଣ୍ଟ ଉଚ୍ଚମାଧ୍ୟମିକ ସ୍କୁଲ୍‌ର ଛାତ୍ରୀ ଭାବନା ଭୂମିଷ୍ଠା ତୃତୀୟ ସ୍ଥାନ ପାଇଥିଲେ। ଏଥିରେ ବିଚାରକ ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଅମୃତାଂଶୁ ପଟ୍ଟନାୟକ, ଜଳେଶ୍ବର ମଦନମୋହନ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବବ୍ରତ ଦାସ, ସଂଗୀତ ନିର୍ଦ୍ଦେଶକ ତଥା ପ୍ରଯୋଜକ ଡା. ସମ୍ବିତ ଦାସ ଓ ସୁନାମଧନ୍ୟ କଣ୍ଠଶିଳ୍ପୀ ସୁଦୀପ୍ତା ଦାସ ଯୋଗ ଦେଇ ମୂଲ୍ୟାୟନ କରିଥିଲେ। ସଂସ୍କରଣ ମୁଖ୍ୟ ଗୌତମ ଶଙ୍କର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସମସ୍ତ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର