ଖୋର୍ଦ୍ଧା: ଓଡ଼ିଶାର ଅନ୍ୟତମ ଐତିହାସିକ ବିଦ୍ୟାଳୟ ଖୋର୍ଦ୍ଧାରେ ଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟର ୨୦ ଏକରରୁ ୬ ଏକର ଜମି ଏବେ ବିଭିନ୍ନ ଅନୁଷ୍ଠାନ, ପ୍ରଭାବଶାଳୀ ବ୍ୟକ୍ତିଙ୍କ ବେଆଇନ ଦଖଲରେ ରହିଛି। ଏନେଇ ସମ୍ବାଦ ପକ୍ଷରୁ ଖବର ପ୍ରକାଶ ପାଇବା ପରେ ଆଜି ବିଜେବି ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏନେଇ ସ୍ବତନ୍ତ୍ର ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଳୟର ଜମି ଚିହ୍ନଟ ଓ ଜବରଦଖଲ ଜମି ମୁକୁଳାଇବାକୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଓ ତହସିଲଦାରଙ୍କୁ ପତ୍ର ଲେଖିବ।
ଆଜି ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ପାଳନ ନିମନ୍ତେ ଅନୁଷ୍ଠିତ ୪ର୍ଥ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଅନେକ ଛାତ୍ର ବିଦ୍ୟାଳୟର ଜମି ସହରର ପ୍ରଭାବଶାଳୀ ରାଜନେତା, ବ୍ୟକ୍ତିବିଶେଷଙ୍କ ଦ୍ବାରା ଜବରଦଖଲ ହୋଇଥିବା ଘଟଣାରେ କ୍ଷୋଭ ପ୍ରକାଶ କରିଥିଲେ। ଏନେଇ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ଦୃଢ଼ ପଦକ୍ଷେପ ନେଉ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ତେବେ ଜମି ଫେରାଇ ଆଣିବାକୁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବା ପୂର୍ବରୁ ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ତହସିଲଦାରଙ୍କୁ ଜମି ଚିହ୍ନଟ ପାଇଁ ଲିଖିତ ଅନୁରୋଧକରିବାକୁ ନିଷ୍ପତ୍ତି ହୋଇଥିଲା। ଏହାସହ ଜମି ଜବରଦଖଲ ସଂକ୍ରାନ୍ତରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକ ଆୟୋଜନ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା।
/sambad/media/post_attachments/wp-content/uploads/2023/08/BJB-college-Old-Student-Meeting-Khordha-1-e1693152824537-1024x417.jpg)
ବୈଠକରେ ପୁରାତନ ଛାତ୍ର ସଂସଦର ସଭାପତି ତଥା ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅଧ୍ୟକ୍ଷତା କରିଥିଲେ। ପୂର୍ବତନ ପୁଲିସ ଅଧିକାରୀ ଦେବ ପ୍ରସଦା ମଜୁମଦାର ଉତ୍ସବ ନିମନ୍ତେ ଅନୁଷ୍ଠିତ ବିଭିନ୍ନ ଉପ କମିଟିର ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଦିଲିପ କୁମାର ପଟ୍ଟନାୟକ କ୍ରୀଡ଼ା, ବିଧାନ ଚନ୍ଦ୍ର ମହାନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ, ଗୋପାଳ ଦାସ ସ୍ମରଣିକା ପ୍ରକାଶନ, ଉମାଶଙ୍କର ପ୍ରସାଦ ରାମ କାର୍ଯ୍ୟକ୍ରମର ପ୍ରଚାରପ୍ରସାର, ଲକ୍ଷ୍ମୀନାରାୟଣ ଭଞ୍ଜ ଆଦାୟ ଅର୍ଥ ସମ୍ପର୍କରେ ତଥ୍ୟ ରଖିଥିଲେ। ସ୍ମରଣିକା ନିମନ୍ତେ ଲେଖା ପ୍ରଦାନ ସମୟ ଆସନ୍ତା ସେପ୍ଟମ୍ବର ୧୫ ତାରିଖକୁ ସମୟ ବୃଦ୍ଧି କରାଯାଇଥିଲା। ବୈଠକ ତିନି ଦିନ ଆୟୋଜନ କରିବା, ବକ୍ସି ଜଗବନ୍ଧୁଙ୍କ ସମ୍ପର୍କରେ ନାଟକ ମଞ୍ଚସ୍ଥ କରିବାକୁ ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ ରାଜକିଶୋର ପରମଗୁରୁ, ଡ ବିଜୟ କେତନ ପଟ୍ଟନାୟକ, ଡ ପ୍ରମୋଦ କୁମାର ମେକାପ, ବିମଳଚନ୍ଦ୍ର ଷଡ଼ଙ୍ଗୀ, ଇଂ ସୁରେନ୍ଦ୍ର କୁମାର ମହାନ୍ତି, ବିକ୍ରମ ଦାସ, ନରସିଂହ ପ୍ରସାଦ ପଟ୍ଟନାୟକ, ସରୋଜ କୁମାର ପଟ୍ଟନାୟକ ପ୍ରମୁଖ ପୁରାତନ ଛାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରଧାନଶିକ୍ଷକ ପ୍ରଭାକର ସାହୁ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/BJB-High-School-Khordha-750x430-1.jpg)