ବାରିପଦା: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ଘରେ ବିଜୁ ପକ୍କା ଷ୍ଟିକର୍ ଲାଗିବାକୁ ନେଇ ବିଜେପି-ବିଜେଡି ମଧ୍ୟରେ ବାକ୍ଯୁଦ୍ଧ ଲାଗିରହିଥିବାବେଳେ ମୟୂରଭଞ୍ଜରେ ମଧ୍ୟ ଏହାର ତାତି ଦେଖିବାକୁ ମିଳିଛି। ଏହାକୁ ନେଇ କଥାକଟି ଉତ୍ତେଜନାର ରୂପ ନେଇଛି। ଏହି ସମୟରେ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣି ବିଜେଡ଼ି କର୍ମୀ ହଙ୍ଗାମା କରିଛନ୍ତି। ଫଳରେ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସାଂସଦ ଓ ୪ ବିଧାୟକଙ୍କୁ ୩ ଘଣ୍ଟା ଧରି ଅଟକ ରହିବାକୁ ପଡ଼ିଛି। ଏହି ଘଟଣାକୁ ନେଇ ଆଜି ଦିନତମାମ ମୟୂରଭଞ୍ଜ ରାଜନୀତି ସରଗରମ ହୋଇଉଠିଛି।
ମଙ୍ଗଳବାର ପୂର୍ବାହ୍ନରେ ପ୍ରୟାସ ସମ୍ମିଳନୀ କକ୍ଷରେ ଲୋକସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସଂପାଦକ ବିଶ୍ବେଶ୍ବର ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ‘ଦିଶା’ ବୈଠକ। ଏଥିରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ଜିଲ୍ଲାର ଏକାଧିକ ବିଧାୟକ, ଜିଲ୍ଲାପାଳ, ପିଡି ଡିଆରଡିଏଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଆଲୋଚନାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁର୍ମୁ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ଘରେ ବିଜୁ ପକ୍କାଘର ଷ୍ଟିକର ଲାଗିବାକୁ ବିରୋଧ କରି ନିଜର ମତ ରଖିଥିଲେ। ହେଲେ ଏହି ପ୍ରସଙ୍ଗ ବୈଠକ ଏଜେଣ୍ଡାରେ ନଥିବା ଦର୍ଶାଇ ବିରୋଧ କରିଥିଲେ ରାଜ୍ୟସଭା ସାଂସଦ ମମତା। କଥା କଟାକଟିରୁ ସୁଜାତା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ସାଂସଦ ମମତା ବୈଠକକୁ ବର୍ଜନ କରିବା ସହିତ ବାହାରକୁ ପଳାଇ ଆସିଥିଲେ। ତାଙ୍କ ସହିତ ବିଜେଡି ସମର୍ଥିତ ଏକାଧିକ ଜନପ୍ରତିନିଧି ମଧ୍ୟ ବାହାରକୁ ଆସିଯାଇଥିଲେ।
ଏହାପରେ ଆରମ୍ଭ ହୋଇଥିଲା ରାଜନୈତିକ ହାଇଡ୍ରାମା। ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ଶତାଧିକ କାର୍ଯ୍ୟକର୍ତ୍ତା ପ୍ରୟାସ ସମ୍ମିଳନୀ ଗୃହ ନିକଟକୁ ଯାଇ ରୁଣ୍ଡ ହୋଇଥିଲେ। ଲୋକସଭା ସାଂସଦ, ବାରିପଦା, ରାଇରଙ୍ଗପୁର, ଉଦଳା, ଯଶିପୁର ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଗାଡ଼ିକୁ ଅଟକ ରଖିଥିଲେ। ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ୪ ବିଧାୟକ, ଜଣେ ସାଂସଦ ଓ ସୁଜାତାଙ୍କୁ ଅଟକ ରଖିଥିଲେ ବିଜୁ ଜନତା ଦଳର ଛାତ୍ର, ଯୁବ ଓ ମହିଳା କର୍ମୀ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେବାରୁ ଅତିରିକ୍ତ ଏସ୍ପି ସୁଦାମ ଚରଣ ସାହୁ, ବାରିପଦା ସଦର ଏସ୍ଡିପିଓ କେ.କେ.ହରିପ୍ରସାଦ, ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସୁଜାତା କ୍ଷମା ମାଗନ୍ତୁ ବୋଲି ଜିଦ୍ ଧରି ବସିଥିଲେ ବିଜେଡି କର୍ମକର୍ତ୍ତା। ଏପଟେ ସୁଜାତା ଆଦୌ କିଛି ଭୁଲ କରିନାହାନ୍ତି ଏବଂ କ୍ଷମା ମାଗିବାର ପ୍ରଶ୍ନ ଉଠୁନଥିବା ମତ ରଖିଥିଲେ।
ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ସୁଦାମ ମାରାଣ୍ଡି ଘଟଣାସ୍ଥଳରେ ପହଞ୍ଚି ଦଳୀୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବା ସହ ବିଜୁ ବାବୁଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିବା ବିଜେପି ନେତ୍ରୀଙ୍କୁ ସମାଲୋଚନା କରିଥିଲେ। ପରେ ପୁଲିସ୍ ଅଧିକାରୀ ଓ ଦଳୀୟ କର୍ମକର୍ତ୍ତାଙ୍କ ସହିତ ବହୁ ବିଚାରବିମର୍ଶ ପରେ ଅଟକ ଥିବା ବିଜେପି ନେତା/ନେତ୍ରୀଙ୍କୁ ଛାଡ଼ିବାକୁ ସୁଦାମ ଘୋଷଣା କରିଥିଲେ। ତଥାପି ବିଜୁ ଯୁବ, ଛାତ୍ର ଓ ମହିଳା କର୍ମକର୍ତ୍ତାମାନେ କ୍ଷମା ମାଗିବା ଜିଦ୍ରେ ଅଟଳ ରହିବାରୁ ପୁଲିସ୍ ପ୍ରାୟ ୩୦ରୁ ଅଧିକ ନେତାଙ୍କୁ ଗାଡ଼ିରେ ନେଇ ଯାଇଥିଲା। ଏହି ଘଟଣାକୁ ନେଇ ଆଜି ମୟୂରଭଞ୍ଜରେ ଚର୍ଚ୍ଚାର ବିଷୟ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/dgjdgjdgjdgjdgggggggg.jpg)