ଭୟ ପାଇଯାଇଛି ବିଜେଡି, ରାଜନୀତି ନାରେ ଲୋକଙ୍କୁ ବିଭ୍ରାନ୍ତି କରୁଛି: କେନ୍ଦ୍ରମନ୍ତ୍ରୀ

ମୋ ଅନୁପସ୍ଥିତିରେ ହିଁ ବିଜେଡି ବିଜେପିରେ ବିଶୃଙ୍ଖଳା କରିଥାଏ: ବିଶ୍ବେଶ୍ବର

ବାରିପଦା: କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ନିଜ ସଂସଦୀୟ କ୍ଷେତ୍ରକୁ ଗସ୍ତ କରିଛନ୍ତି ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ। ଆଉ ପ୍ରଥମରୁ ହିଁ ରାଜ୍ୟ ସରକାର ଏବଂ ବିଜେଡି ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍ କରି ନିଜେ ବାହାବା ନେବାକୁ ଚେଷ୍ଟା କରୁଥିବା ରାଜ୍ୟ ସରକାରଙ୍କୁ ପରୋକ୍ଷରେ ଚେତାବନୀ ମଧ୍ୟ ଦେଇଛନ୍ତି। ଦରକାର ପଡ଼ିଲେ ମୟୂରଭଞ୍ଜରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରୁ ଲାଭ ନେବାକୁ ଚେଷ୍ଟା କରୁଥିବା ରାଜ୍ୟ ସରକାରଙ୍କୁ ସାବାଡ୍ କରାଯିବ।

ଜିଲ୍ଲାରେ ଏନେଇ ଲାଗିଥିବା ବିଭିନ୍ନ ହୋର୍ଡିଂ, ନାମଫଳକ ଆଦିକୁ ଡ୍ରୋଜର୍ ଲାଗଇ ଉପାଡ଼ି ଫୋପାଡ଼ିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ଜଳ ଜୀବନ ମିଶନ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟକୁ ହଜାର ହଜାର(ପ୍ରାୟ ୩୩୨୩) କୋଟି ଯୋଗାଇ ଦେଇଛନ୍ତି। ମାତ୍ର ବିଜ୍ଞାପନ ଆଦିରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହୁଛି। ରାଜ୍ୟ ସରକାରଙ୍କ ଏପରି ଅପପ୍ରଚାରକୁ ଆଉ ସହ୍ୟ କରାଯିବ ନାହିଁ। ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ଚେତାଇ ଦିଆଯିବ।

ସେହିପରି ସେ କେନ୍ଦ୍ରରେ ମନ୍ତ୍ରୀପଦ ପାଇବା ପରେ ବିଜେଡି ଭୟଭୀତ ହୋଇପଡ଼ିଛି। କାରଣ ମୟୂରଭଞ୍ଜରେ ବିଜେଡିର ସତ୍ତା ନାହିଁ। ତେଣୁ ରାଜନୀତି ନା’ରେ ବିଜେଡି ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରୁଥିବା ଶ୍ରୀ ଟୁଡୁ ଅଭିଯୋଗ କରିଛନ୍ତି। ତାଙ୍କ ଅନୁପସ୍ଥିତିରେ ହିଁ ବିଜେଡି ବିଜେପିରେ ବିଶୃଙ୍ଖଳା ସୃଷ୍ଟି କରୁଥିବା କହି ତାତ୍ସଲ୍ୟ କରିଛନ୍ତି ବିଶ୍ବେଶ୍ବର। ବିଜେପିରୁ ୧୫ଜଣ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ଇସ୍ତଫା ଦେବା ପ୍ରସଙ୍ଗକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଉ ଏହି ଘଟଣାରେ ସିଧାସଳଖ ବିଜେଡିକୁ ଘେରିଛନ୍ତି ସେ।

ସାରା ରାଜ୍ୟରେ ବିଜେଡି ଲୋକଙ୍କ ବିଶ୍ଗାସ ହରାଇସାରିଛି। ତେଣୁ ମୟୂରଭଞ୍ଜରେ ବିଜେପିରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ବିଜେଡି କରୁଥିବା ଉଦ୍ୟମ କେବେ ସଫଳ ହେବ ନାହିଁ। ବିଜେପି ସବୁବେଳେ ଏକ ଥିଲା ଏବଂ ଏକାଠି ରହିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଶ୍ବେଶ୍ବର। ସେହିପରି ବାଙ୍ଗିରିପୋଷି ଘାଟି ରାସ୍ତା ସମ୍ପ୍ରସାରଣ ନେଇ ବିଜେଡି ନେତା ଏବଂ ସାଂସଦଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ଘାଟି ରାସ୍ତାକୁ ନେଇ ଏକାଧିକ ବିଜେଡି ନେତା କେବଳ ବାକ୍ୟବାଣ କରିଛନ୍ତି। ମାତ୍ର ଦିଲ୍ଲୀରେ ସେ କରିଥିବା ଉଚ୍ଚସ୍ତରୀୟ ବୈଠକରେ ବିଜେଡି ନେତାଙ୍କ ମିଛ ଧରାପଡ଼ିଯାଇଥିଲା। ତେଣୁ ଘାଟିରାସ୍ତାକୁ ନେଇ ବିଜେଡି କେବଳ ରାଜନୀତି କରୁଛି ବୋଲି ଶ୍ରୀ ଟୁଡୁ ଅଭିଯୋଗ କରିଛନ୍ତି। ଏପରିକି ପୂର୍ବତନ ଡିଜି ବିଜୟ ଶର୍ମା ବିଶୋଇ ଏବଂ ବାଙ୍ଗିରିପୋଷି ପଟୁ ଏହି ଘାଟି ରାସ୍ତାରେ ଦୁଇଟି ପୁଲିସ୍ ଗାଡି ପାଟ୍ରୋଲିଂ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରିନଥିଲା। ଏବେ ପୁନର୍ବାର ଏସ୍ପିଙ୍କ ସହିତ ଏନେଇ ଆଲୋଚନା କରିଥିବା କହି ପ୍ରଶାସନିକ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି ବିଶ୍ବେଶ୍ବର। ଏପରିକି ଜିଲ୍ଲାର ବିକାଶକୁ ନେଇ ସେ ବାରମ୍ବାର ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ସାମିଲ କରି କାର୍ଯ୍ୟ କରିବାକୁ ଚାହୁଁଥିଲେ ମଧ୍ୟ ସେମାନେ ସହଯୋଗ କରୁନାହାନ୍ତି। କେନ୍ଦ୍ରମନ୍ତ୍ରୀ ବିଜେଡି ବିରୋଧରେ ଏପରି ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିବା ଜିଲ୍ଲା ରାଜନୀତିକୁ ଆହୁରି ସରଗରମ କରିବ ବୋଲି ଚର୍ଚ୍ଚା ଜୋର୍ ଧରିଛି।

 

ସମ୍ବନ୍ଧିତ ଖବର