ପଶ୍ଚିମ ଓଡ଼ିଶାରେ ବିଜେଡି ବଢ଼ାଉଛି କାୟା, ଲୋକପ୍ରିୟତା ହରାଉଛି ବିଜେପି

ସମ୍ବଲପୁର: ପଂଚାୟତ ନିର୍ବାଚନର ଭୋଟ ଗଣତି ଚାଲିଛି। ଏହା ସହିତ ବଢୁଛି ରାଜନୈତିକ ଉଷ୍ମତା। ଏଯାଏ ବିଭିନ୍ନ କେନ୍ଦ୍ରରେ ତୃତୀୟ ଓ ଚତୁର୍ଥ ରାଉଣ୍ଡ ଗଣତି ସରିଛି। ଏହି ଅନୁସାରେ ବିଜେଡି ସପକ୍ଷରେ ଏକପାଖିଆ ମତ ରହିଥିବା ଜଣାପଡ଼ିଛି। ଗତ ୨୦୧୭ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ୬ଟି ଜିଲ୍ଲାପରିଷଦ ବିଜେପି ହାତକୁ ଯାଇଥିବାବେଳେ ଏଥର ଦଳର ସ୍ଥିତି ଅତ୍ୟନ୍ତ ବିପର୍ଯ୍ୟୟ ହୋଇଛି। ମୋଟା ମୋଟି ଭାବରେ କହିବାକୁ କଲେ ବିଜେଡି ବଢୁଛି, ବିଜେପି ଛିଣ୍ଡୁଛି। ଅପରପକ୍ଷରେ କଂଗ୍ରେସ ଯଦିଓ ହାତ ଗଣତି କେତୋଟି ସ୍ଥାନରେ ଦ୍ବିତୀୟ ସ୍ଥାନରେ ରହିଛି, ତଥାପି ପୂର୍ବାପେକ୍ଷା ଦଳର ସ୍ଥିତି ସୁଧୁରିଥିବା କହିବାକୁ ହେବ।

ପଞ୍ଚାୟତ ନିବର୍ବାଚନର ପ୍ରଥମ ପର୍ଯ୍ୟାୟ ଗଣତିରେ ଆଜି ବିଜେଡି ବାଜିମାତ୍‌ କରିଛି। ଏହି ତିନିଦିନିଆ ଗଣତିର ପ୍ରଥମ ଦିନରେ ବିଜେଡି ଭଲ ସ୍କୋର୍‌ କରିଥିବା ବେଳେ ଏକଦମ୍‌ ପଛରେ ପଡ଼ିଯାଇଛି ବିଜେପି। ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଚିତ୍ର ସଂପୂର୍ଣ୍ଣ ଓଲଟପାଲଟ ହୋଇଯାଇଛି। ଏହା ବିଜେଡି ଶିବିରରେ ଉତ୍ସାହ ଆଣିଥିବା ବେଳେ ବ‌ିଜେପି ଶିବିରରେ ନିରଶ ଛାଇଯାଇଛି। ସବୁଠୁ ଅଧିକ ଚମକାଇ ଦେଇଛି ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା।

ସମ୍ବଲପୁର ଜିଲ୍ଲାରେ ଗଣତି ହୋଇଥିବା ୯ଟି ଜିଲ୍ଲା ପରିଷଦ ଜୋନ୍‌ ମଧ୍ୟରୁ ବିଜେଡି ୮ଟିରେ ଆଗୁଆ ଥିବା ବେଳେ ବିଜେପି କେବଳ ରେଢ଼ାଖୋଲ ଜୋନ୍‌-୧ରେ ଆଗୁଆ ରହି ସନ୍ତୁଷ୍ଟ ରହିଛି। ସେହିପରି ଦେବଗଡ଼ରେ ଗଣତି ହୋଇଥିବା ୩ରୁ ୩ଟି ଜୋନ୍‌ରେ ବିଜେଡି ଆଗଇଛି। ଅନ୍ୟପକ୍ଷରେ କଂଗ୍ରେସକୁ ସଂପୂ୍ର୍ଣ୍ଣ ନିରାଶ କରିଛି ଝାରସୁଗୁଡ଼ା ଜିଲ୍ଲା। ଦିନେ କଂଗ୍ରେସର ଗଡ଼ ଥିବା ଏହି ଜିଲ୍ଲାରୁ ଦଳ ସଂପୂର୍ଣ୍ଣ ମୂଳପୋଛ ହୋଇଯିବାର ଦ୍ବାରରେ ଠିଆ ହୋଇଛି। ଜିଲ୍ଲାରେ ଆଜି ଗଣତି ହୋଇଥିବା ୫ଟି ବ୍ଲକ୍‌ରୁ ସମସ୍ତ ଜୋନ୍‌କୁ ବିଜେଡି ବିପୁଳ ଭୋଟ୍‌ରେ ଆଗଇଥିବାବେଳେ ବିଜେପିକୁ ନିରାଶ ହେବାକୁ ପଡ଼ିଛି। ବରଗଡ଼ ଜିଲ୍ଲାରେ ବିଜେପିର ସମ୍ମାନ କିଛି ଅଂଶରେ ରକ୍ଷା ପାଇଯାଇଛି। ଏହି ଜିଲ୍ଲାରେ ଗଣତି ଚାଲିଥିବା ୧୨ଟି ଜୋନ୍‌ରୁ ୫ରାଉଣ୍ଡ ସୁଦ୍ଧା ବିଜେଡି ୭ଟି ଜୋନ୍‌ ଆଗୁଆ ଥିବା ବେଳେ ବିଜେପି ୫ଟି ଜୋନ୍‌ରେ ଆଗୁଆ ରହିଛି। ମିଳିଥିବା ଶେଷ ସୂଚନା ଅନୁଯାୟୀ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ୨୯ଟି ଜୋନ୍‌ରୁ ବିଜେଡି ୨୩ଟି ଜୋନ୍‌ରେ ଆଗୁଆ ଥିବା ବେଳେ ବିଜେପି ୬ଟିରେ ଆଗୁଆ ରହିଛି।
ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବିଜେଡି ବାଜିମାତ କରିଛି। ତେବେ ଏହି ଜିଲ୍ଲାରେ କଂଗ୍ରେସ କିଛି ଅଂଶରେ ନିଜର ସମ୍ମାନ ବଞ୍ଚାଇ ପାରିଛି। ବଲାଙ୍ଗୀର ଜିଲ୍ଲାର ସମସ୍ତ ୧୪ଟି ବ୍ଲକ୍‌ରେ ଗଣତି ହୋଇଥିବା ବେଳେ ୧୩ଟିରେ ବିଜେଡି ଆଗରେ ରହିଛି। କେବଳ ଗୋଟିଏ ବ୍ଲକ୍‌ ବଙ୍ଗମୁଣ୍ଡାରେ ବିଜେପି ଆଗରେ ରହିଛି। ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀର, ପୁଇନ୍ତଲା, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ବେଲପଡ଼ା, ଖପ୍ରପୋଲ, ଟିଟିଲାଗଡ଼ ବ୍ଲକରେ ବିଜେଡି ଆଗୁଆ ରହିଛି। ବଲାଙ୍ଗୀର, ଦେଓଗାଁ ଓ ବଙ୍ଗୋମୁଣ୍ଡାରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ କଳହାଣ୍ଡି‌ ଜିଲ୍ଲାରେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ କିଛିଟା ଫାଇଦା ଆଶା କରିଥିବା ବିଜେପି ଓ କଂଗ୍ରେସକୁ ସେପରି ସଫଳତା ମିଳି ନଥିବା ଦେଖାଯାଇଛି। ସନ୍ଧ୍ୟା ୫ଟା ସୁଦ୍ଧା ହୋଇଥିବା ଗଣତି ଅନୁଯାୟୀ ଜୁନାଗଡ଼, କେସିଂଗା, ନର୍ଲା ଓ ଲାଞ୍ଜିଗଡ଼ ବ୍ଲକରେ ବିଜେଡି ଆଗରେ ରହିଛି। ଗୋଲାମୁଣ୍ଡା, କୋକସରା, ଜୟପାଟଣା, କଲମପୁର, କର୍ଲାମୁଣ୍ଡା ବ୍ଲକରେ ବିଜେଡି ଆଗୁଆ ରହିଛି। କେବଳ ଜୟପାଟଣା ବ୍ଲକରେ ବିଜେପି ଆଗରେ ରହିଛି। ସେହିପରି ନୂଆପଡ଼ା ଜିଲ୍ଲା ସିନାପାଲି ଓ କୋମନା ବ୍ଲକରେ ପଞ୍ଚମ ରାଉଣ୍ଡ ସୁଦ୍ଧା ଉଭୟ ବ୍ଲକରେ ବିଜେଡି ଆଗରେ ରହିଛି। ସିନାପାଲିରେ କଂଗ୍ରେସ ଓ କୋମନାରେ ବିଜେପି ଦ୍ବିତୀୟ ସ୍ଥାନରେ ରହିଛି। ନୂଆପଡ଼ା ଓ ଖଡ଼ିଆଳ ବ୍ଲକରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ ରହିଛି। ଏହି ବ୍ଲକ ବିଜେପି ଦ୍ବିତୀୟ ସ୍ଥାନରେ ରହିଛି।

ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକରେ ପଞ୍ଚମ ପର୍ଯ୍ୟାୟ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ସେହିପରି ଡୁଙ୍ଗୁରିପାଲିରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ ରହିଛି। ସୋନପୁର, ଉଲୁଣ୍ଡା, ବିନିକା, ବୀରମହାରାଜପୁର ବ୍ଲକରେ ତୃତୀୟ ରାଉଣ୍ଡ ଗଣତି ସରିଛି। ଏହି ସବୁ ବ୍ଲକରେ ବିଜେଡି ଆଗରେ ରହିଛି। ବୌଦ୍ଧ ଜିଲ୍ଲାରେ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ଗଣତି ସରିଛି। ବୌଦ୍ଧ ଜୋନରେ ବିଜେପି ଆଗରେ ରହିଥିବାବେଳେ ଅନ୍ୟ ଦୁଇଟି ବ୍ଲକରେ ବିଜେଡି ଆଗରେ ରହିଛି। ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ବ୍ଲକ୍‌ ଜୋନ୍‌-୧ ଜିଲ୍ଲା ପରିଷଦ ଆସନ ଗଣନି ହୋଇଥିବା ବେଳେ ୧୫ଟିରେ ବିଜେଡି ଆଗୁଆ ରହିଛି।

ସମ୍ବନ୍ଧିତ ଖବର