ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ବେଳେ ବିଜେଡିରେ ବିଦ୍ରୋହ: ଦଳରୁ ଇସ୍ତଫା ଦେଲେ ଗୁଡ଼ଭେଲା ବ୍ଲକ୍‌ ଅଧ୍ୟକ୍ଷ

ମୁଖ୍ୟମନ୍ତ୍ରୀଙ୍କ ସଭା ବେଳେ ମହୁମାଛି ଆକ୍ରମଣ ଭୟ

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଗସ୍ତରେ ଆସି ୧୦୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫ଟି ପ୍ରକଳ୍ପକୁ ଲୋକାର୍ପଣ କରିବେ। ତେବେ ନବୀନଙ୍କ ଗସ୍ତ ଦିନ ବିଜେଡି ନେତା ତଥା ଗୁଡଭେଲା ବ୍ଲକ୍‌ ଅଧ୍ୟକ୍ଷ ଅଶୋକ ଦୋରା ଆଜି ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇ ବିଜେଡି ପାଇଁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗସ୍ତ ଅବସରରେ ଚଳଚଳଞ୍ଚଳ ହୋଇଉଠିଛି ବଲାଙ୍ଗୀର ସହର। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ୨୦ରୁ ଊର୍ଧ୍ୱ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯାଇଛି। ଅପରପକ୍ଷେ ମୂଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଦଳରେ ବିଦ୍ରୋହ ଦେଖା ଦେଇଛି। ଦଳର ବରିଷ୍ଠ ନେତା ତଥା ଗୁଡଭେଲା ବ୍ଲକ୍‌ ଅଧ୍ୟକ୍ଷ ଅଶୋକ ଦୋରା ଆଜି ବିଜେଡି ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇ ଦଳ ପାଇଁ ଏକ ଅସ୍ୱସ୍ତିକର ପରିସ୍ଥିତି କରିଛନ୍ତି।

ଆଜି ସକାଳେ ବିଜେଡିର ବରିଷ୍ଠ ନେତା ତଥା ଗୁଡ଼ଭେଲା ବ୍ଲକ୍‌ ଅଧ୍ୟକ୍ଷ ଅଶୋକ ଦୋରା ବ୍ଲକ୍‌ କାର୍ଯ୍ୟରେ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କ ଅଯଥା ହସ୍ତକ୍ଷେପ, ବଦଳି ହୋଇଥିବା ଗୁଡ଼ଭେଲା ବିଡିଓଙ୍କୁ ଶ୍ରୀମତୀ ସାହୁ ପୁଣି ଥରେ ଆଣି ଗୁଡଭେଲା ବ୍ଲକରେ ଅବସ୍ଥାପିତ କରିବା ଘଟଣାରେ ଉତ୍‌କ୍ଷିପ୍ତ ଶ୍ରୀ ଦୋରା ଆଜି ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରୁଥିବାରୁ ପ୍ରଶାସନ ପକ୍ଷରୁ ୨୦ରୁ ଉର୍ଧ୍ୱ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ପ୍ରଶାସନ ଅଟକ ରଖିଥିବା ବେଳେ ଶ୍ରୀ ଦୋରାଙ୍କ ପରି ଜଣେ ବରିଷ୍ଠ ନେତାଙ୍କ ଦଳରୁ ଇସ୍ତଫା ବିଜେଡି ନେତୃତ୍ୱ ପ୍ରତି ଏକ ଚାଲେଞ୍ଜ ବୋଲି ଚର୍ଚା ହେଉଛି। ବିଶେଷ କରି ଯେଉଁଦିନ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଯାଉଛନ୍ତି, ସେହିଦିନ ତାଙ୍କ ଦଳର ଜଣେ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେବା ଘଟଣା ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଯୋର ଧରିଛି।


ଅପରପକ୍ଷେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗୀର ଜିଲ୍ଲା ଅବସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମଗ୍ର ସହରରେ ୨୩ ପ୍ଲାଟୁନ୍‍ ଫୋସ ମୂତୟନ ସହିତ ଜିଲ୍ଲାର ସମସ୍ତ ଇନସପେକ୍ଟର, ସବ୍‌ ଇନ୍‌ସପେକ୍ଟରଙ୍କୁ ସହରର ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ପ୍ରତିଷେଧକ ବ୍ୟବସ୍ଥା ସ୍ୱରୁପ ପୁଲିସ ପକ୍ଷରୁ ବହୁ ବିଜେପି ଓ କଂଗ୍ରେସ ନେତା କର୍ମୀଙ୍କୁ ଅଟକ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଆଜି ଜିଲ୍ଲାର ୫ଟି ପ୍ରକଳ୍ପକୁ ଲୋକାର୍ପଣ କରିବେ। ସେଥିମଧ୍ୟରେ ୫୫.୩୬ କୋଟି ଟଙ୍କା ବ୍ୟୟରେ ବଲାଙ୍ଗୀର ସହର ଜଳଯୋଗାଣ ପ୍ରକଳ୍ପ, ୧୬ କୋଟି ଟଙ୍କା ବ୍ୟୟରେ ମା ଓ ଶିଶୁ ଚିକିତ୍ସାଳୟ, ଦୁଇଟି ସେତୁ ଓ ଗୋଟିଏ ମହାବିଦ୍ୟାଳୟ ଗୃହକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍‌ଘାଟନ କରିବେ। ସେହିପରି ମୁଖ୍ୟମନ୍ତ୍ରୀ ୩ଟି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ତଳ ସୁରକ୍ଷା ପାଇଁ ଜିଲ୍ଲା ଓ ପୁଲିସ ପ୍ରଶାସନ ଯଥେଷ୍ଟ ବ୍ୟବସ୍ଥା କରିଥିଲେ ମଧ୍ୟ ଉପରୁ ମହୁମାଛି ଆକ୍ରମଣ ନେଇ ପ୍ରଶାସନ ଚିନ୍ତିତ ରହିଛି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ଠାରୁ ମାତ୍ର ୧୫/୨୦ ମିଟର ଦୂରରେ ଥିବା ଶିମିଳି ଗଛରେ ୧୦ଟିରୁ ଉର୍ଧ୍ୱ ମହୁଫେଣା ଥିବାରୁ ଯେ କୌଣସି ମୁହୂତର୍ତ୍ତରେ ଏହି ମହୁମାଛି ଲୋକଙ୍କୁ ଆକ୍ରମଣ କରି ପାରନ୍ତି ବୋଲି ପ୍ରଶାସନର ଚିନ୍ତାର କାରଣ ହୋଇଛି।

 

ସମ୍ବନ୍ଧିତ ଖବର