ଖୋର୍ଦ୍ଧା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ମତଦାନ ହୋଇଥିବା ମୋଟ ଭୋଟର ୫୧ ପ୍ରତିଶତରୁ ଅଧିକ ଭୋଟ ପାଇ ୨୮ଟି ଆସନ ହାତେଇଛି। ପୂର୍ବ ପଞ୍ଚାୟତ ନିର୍ବାଚନ ତୁଳନାରେ ବିଜେପିର ଆସନ ସଂଖ୍ୟା ସାଂଘାତିକ ଭାବେ ହ୍ରାସ ପାଇଥିବା ବେଳେ ୨୦୧୭ ନିର୍ବାଚନ ଠାରୁ ୭ ପ୍ରତିଶତ କମ୍ ଭୋଟ ପାଇଛି। ପଞ୍ଚାୟତ ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଳାର ଭୁବନେଶ୍ୱର ମହାନଗର ନିଗମ, ଖୋର୍ଦ୍ଧା ଓ ଜଟଣୀ ପୌର ପରିଷଦ ଏବଂ ବାଣପୁର ଓ ବାଲୁଗାଁ ବିଜ୍ଞପିତ ଅଞ୍ଚଳ ପରିଷଦର ଭୋଟର ବ୍ୟତୀତ ଗ୍ରାମାଞ୍ଚଳର ମୋଟ ୧୦, ୩୦,୬୦୯ ଭୋଟରଙ୍କ ମଧ୍ୟରୁ ୭,୮୭,୨୪୨ଜଣ ଭେଟର ନିଜର ମତଦାନ କରିଥିଲେ। ଅର୍ଥାତ୍ ୭୬.୩୮ ପ୍ରତିଶତ ଭୋଟର ନିଜର ମତଦାନ କରିଥିଲେ।
୨୦୧୭ ପଞ୍ଚାୟତ ନିର୍ବାଚନରେ, ଖୋର୍ଦ୍ଧା ଗ୍ରାମାଞ୍ଚଳର ମୋଟ ଭୋଟର ଥିଲେ ୯୬୧୪୬୦। ୭୬.୨୦ ପ୍ରତିଶତ ମତଦାନ ହୋଇଥିଲା, ଅର୍ଥାତ୍ ୭ଲକ୍ଷ ୩୨ହଜାର ୬୩୨ ଖଣ୍ଡ ଭୋଟ ବ୍ୟାଲ୍ଟ ବକ୍ସରେ ପଡ଼ିଥିଲା। ୩୦ ଜିଲ୍ଲା ପରିଷଦରୁ ବିଜେଡି ୨୦ ଓ ବିଜେପି ୧୦ଟି ଆସନ ପାଇଥିଲେ। ୨୦୨୨ ପଞ୍ଚାୟତ ନିର୍ବାଚନରେ ୦.୧୮ ପ୍ରତିଶତ ଅଧିକ ମତଦାନ ହୋଇଥିବା ବେଳେ ବିଜେଡି ମଧ୍ୟ ଆପାତଃ ଅଧିକ ଭୋଟ ଓ ଆସନ ପାଇଛି। ୨୦୨୨ ପଞ୍ଚାୟତ ନିର୍ବାଚନରେ ସମସ୍ତ ୩୦ଟି ଜୋନରେ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଦେଇଥିବା ବେଳେ ମୋଟ ୧୨୯ ଜଣ ପ୍ରାର୍ଥୀ ନିର୍ବାଚନରେ ଲଢ଼ିଥିଲେ।
ଏହା ମଧ୍ୟରୁ ବିଜେଡି ୨୮ଟି ଆସନରେ, ବିଜେପି ୨ଟି ଆସନରେ ଜିତିଛି। ବିଜେଡିର ସମସ୍ତ ପ୍ରାର୍ଥୀଙ୍କୁ ୫୧.୨୨ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ୨୯.୯୫ ପ୍ରତିଶତ ଭୋଟ, କଂଗ୍ରେସ ପ୍ରାର୍ଥୀଙ୍କୁ ୬.୫୦ ଏବଂ ୩୯ଜଣ ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ୯.୦୯ ପ୍ରତିଶତ ଭୋଟ ଯାଇଛି। ମତଦାନ ଅନୁଶୀଳନରେ, ମତଦାନ ହୋଇଥିବା ମୋଟ ଭୋଟ ମଧ୍ୟରୁ ୪ଲକ୍ଷ ୩ହଜାର ୨୩୭ ଟି ଭୋଟ ବିଜେଡି ଖାତାକୁ ଯାଇଛି। ଅର୍ଥାତ୍ ବ୍ୟାଲେଟ୍ ବକ୍ସରେ ପଡ଼ିଥିବା ମୋଟ ଭୋଟ ମଧ୍ୟରୁ ୫୧.୨୨ ପ୍ରତିଶତ ଭୋଟ ବିଜେଡି ପାଇଛି।
ବିଜେପି ଖାତାକୁ ୨ ଲକ୍ଷ ୩୫ ହଜାର ୮୫୭ ଭୋଟ, ଅର୍ଥାତ୍ ପଡ଼ିଥିବା ମୋଟ ଭୋଟର ୨୯.୯୫ ପ୍ରତିଶତ ଭୋଟ ଯାଇଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ୩୬.୪୩ ପ୍ରତିଶତ ଭୋଟ ପାଇଥିଲା। କଂଗ୍ରେସକୁ ମୋଟ ୫୧, ୨୧୦ଟି ଭୋଟ ମିଳିଛି, ଅର୍ଥାତ୍ ମୋଟ ଭୋଟର ୬.୫୦ ପ୍ରତିଶତ ଭୋଟ ମିଳିଛି। ଅନେକ ଜୋନରେ କଂଗ୍ରେସର ପ୍ରାର୍ଥୀ ନାକଚ ଭୋଟ ଠାରୁ କମ୍ ଭୋଟ ପାଇଛନ୍ତି। ଏହା ମଧ୍ୟରେ ବାଲିଅନ୍ତା, ବାଣପୁର, ଚିଲିକା, ଭୁବନେଶ୍ୱର, ଟାଙ୍ଗୀ ବ୍ଲକର ଜୋନ ରହିଛି। ମତଦାନ ହୋଇଥିବା ମୋଟ ଭୋଟ ମଧ୍ୟରୁ ନାକଚ ହୋଇଥିବା ଭୋଟ ସଂଖ୍ୟା ୨୫,୫୭୩, ଅର୍ଥାତ୍ ୩.୨୪ ପ୍ରତିଶତ ଭୋଟ।