ରାୟଗଡ଼ାରେ ଦ୍ବିତୀୟ ଦିନ ଭୋଟ ଗଣତି, ୯ ଜୋନରୁ ୫ରେ ବିଜେଡ଼ି, ୪ଟିରେ କଂଗ୍ରେସ ଆଗୁଆ

ରାୟଗଡ଼ା: ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ବିତୀୟ ଦିନରେ ମଧ୍ୟ ବିଜେଡ଼ିର ଆଧିପତ୍ୟ ଦେଖିବାକୁ ମିଳିଛି। ଆଜି ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ‘ଖ’ ଜୋନରେ ଭୋଟ ଗଣତି ହେଉଥିବା ବେଳେ ୫ଟିରେ ବିଜେଡ଼ି, ୪ଟିରେ କଂଗ୍ରେସ ଆଗୁଆ ରହିଛି। ରାମନାଗୁଡା, ପଦ୍ମପୁର, ମୁନିଗୁଡ଼ା, ବିଷମକଟକ, କଲ୍ୟାଣସିଂହପୁରରେ ବିଜେଡ଼ି ଲିଡ୍ କରୁଥିବା ବେଳେ କୋଲନରା, ରାୟଗଡ଼ା, ଏବଂ ଗୁଣପୁର ‘ଖ’ ଆସନରେ କଂଗ୍ରେସ ଆଗୁଆ ରହିଛି। ପ୍ରଥମଦିନ ଗଣତିର ୧୧ ଜୋନ୍ ମଧ୍ୟରୁ ୯ ଜୋନକୁ ବିଜେଡ଼ି ପୋଛି ନେଇଥିବା ବେଳେ ରାମନାଗୁଡା ଏବଂ ଗୁଣପୁର ‘କ’ ଜୋନରେ କଂଗ୍ରେସ ବିଜୟୀ ‌ହୋଇଥିଲା। ଅପରାହ୍ନ ସୁଦ୍ଧା ମିଳିଥିବା ସୂଚନାନୁଯାୟୀ, ନବମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ପଦ୍ମପୁର ‘ଖ’ ଜୋନରେ ବିଜେଡ଼ି ୨୩୭୬ ଭୋଟରେ ଆଗୁଆ ରହିଛି। ଏହି ଜୋନରୁ ପ୍ରାର୍ଥୀ ହୋଇଥିବା ବିଜେଡ଼ିର ମଣ୍ଟୁ ଆଚାର୍ଯ୍ୟ ଗଣତି ଆରମ୍ଭରୁ ହିଁ ବିରୋଧୀ ପ୍ରାର୍ଥୀଙ୍କୁ ପଛରେ ପକାଇ ଭୋଟ ବ୍ୟବଧାନ ବଢ଼ାଇ ଚାଲିଛନ୍ତି। ସେହିପରି ରାମନାଗୁଡା ‘ଖ’ ଜୋନରେ ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ସୁରେଶ ଗମାଙ୍ଗ ୧୫୯୫ ଭୋଟରେ ଆଗୁଆ ରହିଛି। ବିଷମକଟକ ‘ଖ’ ଜୋନରେ ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବିଜୟଶାନ୍ତି କୁମୁରିକା ୫୧୯ ‌ଭୋଟରେ ଆଗୁଆ ରହିଛନ୍ତି। ମୁନିଗୁଡ଼ା ‘ଖ’ ଜୋନରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ବିପୁଳ ଭୋଟରେ ବିରୋଧୀ ପ୍ରାର୍ଥୀଙ୍କଠୁ ଆଗରେ ରହିଛନ୍ତି। ବିଜେଡ଼ି ପ୍ରାର୍ଥୀ ମାଧବୀ କନ୍ଧପାଣି ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ୨୩୪୬ ଭୋଟରେ ଆଗରେ ରହିଥିବା ଜଣା ପଡିଛି।

ଗୁଣପୁର ‘ଖ’ ଜୋନରେ ୫ମ ରାଉଣ୍ଡ ଶେଷ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ କୁନି ନିମାଲା ଆଗରେ ରହିଛନ୍ତି। କୁନି ୩୪୬୦ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥିନୀ ରଶ୍ମିରେଖା ଶତପଥୀ ୩୩୪୧ ଭୋଟ ପାଇ ପଛରେ ଅଛନ୍ତି। କୋଲନରା ‘ଖ’ ଜୋନରେ ମଧ୍ୟ କଂଗ୍ରେସ ଆଗୁଆ ରହିଛି। କଂଗ୍ରେସ ପ୍ରାର୍ଥିନୀ ସୁନିତା ତାଡିଙ୍ଗ୍ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ୮୭୦ ଭୋଟରେ ଆଗୁଆ ରହିଛନ୍ତି। ବିଜେଡ଼ିର ଲିଲି କାଡ୍ରକା ଦ୍ବିତୀୟ ସ୍ଥାନରେ ଥିବା ଜଣା ପଡିଛି। କଲ୍ୟାଣସିଂହପୁର ‘ଖ’ ଜୋନରେ ବିଜେଡ଼ି ପ୍ରାର୍ଥିନୀ ବୋମି ଗୌରୀ ଦେବୀ ୫ମ ରାଉଣ୍ଡ ଶେଷ ସୁଦ୍ଧା ୯୮୧ ଭୋଟରେ ଆଗୁଆ ରହିଛନ୍ତି। ରାୟଗଡ଼ା ‘ଖ’ ଜୋନରେ ମଧ୍ୟ କଂଗ୍ରେସ ପ୍ରାର୍ଥିନୀ ଆଗରେ ଥିବା ଜଣା ପଡିଛି। କଂଗ୍ରେସ ପ୍ରାର୍ଥିନୀ ପଦ୍ମାବତୀ ମାଣ୍ଡାଙ୍ଗି ୬୫୩୨ ଭୋଟ ପାଇ ଆଗରେ ଥିବା ବେଳେ ବିଜେଡ଼ି ପ୍ରାର୍ଥିନୀ ସଂଧ୍ୟାରାଣୀ ସାରକା ୫୩୮୮ ଭୋଟ ପାଇଛନ୍ତି। କଂଗ୍ରେସ ୧୧୪୪ ଭୋଟରେ ଆଗରେ ରହିଛି। କାଶୀପୁର ‘ଖ’ ଜୋନରେ ମଧ୍ୟ କଂଗ୍ରେସ ଆଗୁଆ ରହିଛି। ୫ମ ରାଉଣ୍ଡ ଶେଷ ସୁଦ୍ଧା କଂଗ୍ରେସ ପ୍ରାର୍ଥିନୀ ରଞ୍ଜିତା ନାୟକ ୧ ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜେଡ଼ିର ପଦମିଲା ନାୟକଙ୍କଠୁ ଆଗରେ ରହିଛନ୍ତି।

ସମ୍ବନ୍ଧିତ ଖବର