ରାୟଗଡ଼ା: ୨୦୧୯ ନିର୍ବାଚନରେ ରାୟଗଡ଼ା ବିଧାନସଭା ଆସନରେ ଜିତିଥିଲେ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି। ୨୦୨୨ ପୌର ନିର୍ବାଚନରେ ଗୁଣପୁର ପୌରାଧ୍ୟକ୍ଷ ଆସନକୁ ଛଡ଼ାଇ ନେଲେ ସ୍ବାଧୀନ ପ୍ରାର୍ଥିନୀ ମମତା ଗୌଡ଼। ଗୁଣପୁର, ରାମନାଗୁଡା, କାଶୀପୁର ବ୍ଲକ୍ ସହିତ କୋଲନରା, କାଶୀପୁର ବ୍ଲକ୍ ଉପାଧ୍ୟକ୍ଷ ପଦବି ମଧ୍ୟ ବିଜେଡି ହାତରୁ ଛଡାଇ ନେଇଛନ୍ତି ବିଦ୍ରୋହୀ। ବିଜେଡି ଜିଲ୍ଲା ନେତୃତ୍ବକୁ ଚାଲେଞ୍ଜ ଦେଇ ପ୍ରତି ନିର୍ବାଚନରେ ବିଦ୍ରୋହୀ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରି ଚାଲିଛନ୍ତି। ଯାହା ଆଗାମୀ ଦିନରେ ଜିଲ୍ଲାରେ ଶାସକ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିବାକୁ ଯାଉଛି। ୨୦୧୯ ସାଧାରଣ ନିର୍ବାଚନ ପରଠୁ ଜିଲ୍ଲାରେ ବିଦ୍ରୋହୀ ପ୍ରାର୍ଥୀଙ୍କ ଦବଦବା ବଢ଼ିବାରେ ଲାଗିଛି। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ ଗୁଣପୁର ବିଧାନସଭା ଆସନରୁ ବିଧାୟକ ଭାବେ ଜିତିଥିଲେ ତ୍ରିନାଥ ଗମାଙ୍ଗ। ୨୦୧୯ ନିର୍ବାଚନ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହେବା ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ୨୮ ହଜାରରୁ ଉର୍ଦ୍ଧ୍ବ ଭୋଟ ନେଇ ତ୍ରିନାଥ ବିଜେଡି ରାସ୍ତାରେ କଣ୍ଟା ସାଜିବା ସହ ବିଜୟ ବ୍ୟବଧାନକୁ କମାଇଥିଲେ।

Advertisment

୨୦୨୦ରେ ଅନୁଷ୍ଠିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡି ବିଦ୍ରୋହୀ ପ୍ରାର୍ଥୀଙ୍କୁ ନିଜର କରି କ୍ରସ ଭୋଟିଂ ଜରିଆରେ ଅଧ୍ୟକ୍ଷ ପଦବି ହାତେଇଥିଲା। ୨୨ ଆସନ ବିଶିଷ୍ଟ ଜିଲ୍ଲା ପରିଷଦରେ କଂଗ୍ରେସ ୧୧ଟି, ବିଜେଡ଼ି ୭ଟି, ବିଜେପି ୪ଟି ଆସନ‌ରେ ବିଜୟୀ ହୋଇଥିଲେ। ଉପନିର୍ବାଚନରେ ବିଜେଡିକୁ ସର୍ବାଧିକ ୧୩ଟି, କଂଗ୍ରେସକୁ ୫ଟି ଭୋଟ ମିଳିଥିଲା। କିନ୍ତୁ ନିର୍ବାଚନ ବିଜୟୀ ପରେ ବିଜେଡି ବିଦ୍ରୋହୀଙ୍କୁ ମନାଇବାର କଳାକୁ ବେଶୀ ଦିନ ବଜାଇ ପାରିଲାନି। ଯେଉଁଥିପାଇଁ ଜିଲ୍ଲାର ଅଧା ବ୍ଲକରେ ବିଦ୍ରୋହି ନେତା-କର୍ମୀଙ୍କ ମନମାନି ଶାସକ ଦଳ ଅପେକ୍ଷା ବଢ଼ିବାରେ ଲାଗିଛି। ବିଶେଷ କରି ସ୍ବାଧୀନ ବିଧାୟକ ପ୍ରାର୍ଥୀ ମକରନ୍ଦ ମୁଦୁଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ ଏବଂ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ଭେଟି କଂସାରିଗୁଡା ରିଫାଇନେରୀ ୟୁନିଟ୍ ପ୍ରତିଷ୍ଠା ସଂପର୍କରେ ଆଲୋଚନା କରିବା କାଶୀପୁର ବ୍ଲକରେ ବିଜେଡି କର୍ମୀଙ୍କୁ ଦୁଇ ଭାଗ କରିଥିଲା।

ଯାହାର ପ୍ରଭାବ ୨୦୨୨ ପଞ୍ଚାୟତ ନିର୍ବାଚନରେ ପଡିଥିଲା। ଦଳ ଦୁଇ ଭାଗ ହୋଇ ନିର୍ବାଚନ ଲଢ଼ିବା ଯୋଗୁ ୩ ଜିଲ୍ଲା ପରିଷଦରୁ ୨ଟିରେ ବିଜୟୀ ହୋଇଥିଲା। ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ସହ ବ୍ଲକ୍ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ପଦବିକୁ ବିଦ୍ରୋହୀ ଛଡ଼ାଇ ନେଇଛନ୍ତି। ସେହିପରି ରାମନାଗୁଡା, ଗୁଣପୁର, କାଶୀପୁର, କୋଲନରାରେ ମଧ୍ୟ ବିଦ୍ରୋହୀଙ୍କ ଦବଦବାକୁ ନେଇ ଦଳ ଅଡ଼ୁଆରେ ପଡିଥିଲା। ଗୁଣପୁର ବ୍ଲକ୍ ସହିତ ଦୁଇଟି ଜିଲ୍ଲା ପରିଷଦ ଜୋନକୁ ବିଦ୍ରୋହୀ ପ୍ରାର୍ଥିୀ ନିଜ ଅକ୍ତିଆରକୁ ନେଇଥିଲେ। ଫଳରେ ବିଜେଡିର ବରିଷ୍ଠ ନେତା ଅଶ୍ବିନୀ ଗମାଙ୍ଗଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା। ରାମନାଗୁଡା ବ୍ଲକରେ ମଧ୍ୟ ସମାନ୍ ଅବସ୍ଥା। ବ୍ଲକର ଦୁଇ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଗୋଟିଏରେ କଂଗ୍ରେସ ବାଜିମାତ୍ କରି ବରିଷ୍ଠ ବିଜେଡି ନେତା ଗଗନ ଆଚାର୍ୟ୍ୟଙ୍କୁ ପରାଜିତ କରିଛି। ପରେ ବ୍ଲକ୍ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବିକୁ ମଧ୍ୟ  ବିଦ୍ରୋହି ହାତେଇ ନେବା ବିଜେଡି ଶିବିରକୁ ଶକ୍ତ ଧକକା ଦେଇଛି।

କୋଲନରାରେ ମଧ୍ୟ ଦୁଇଟି ଆସନରୁ ଦଳ ଗୋଟିଏରେ ପରାଜିତ ହେବା ସହ ବ୍ଲକ୍ ଉପାଧ୍ୟକ୍ଷ ପଦବିକୁ ହାତଛଡ଼ା କରିଛି। ଦୀର୍ଘବର୍ଷ ଧରି ପଦ୍ମପୁର ବ୍ଲକରେ ବିଜେଡି ସଂଗଠନ ସମ୍ଭାଳୁଥିବା ଗୋଦାବରୀ ରାଉତ ୨୦୨୧ରେ ଦଳ ଛାଡ଼ିବା ପରେ ପଞ୍ଚାୟତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥି ଭାବେ ନିର୍ବାଚନ ଲଢ଼ିଥିଲେ। ଜିଲ୍ଲା ପରିଷଦ ସଦସ୍ୟ ସହ ଇନ୍ଦୁପୁର ପଞ୍ଚାୟତରୁ ଗୋଦାବରୀ ସମିତିସଭ୍ୟ ପ୍ରାର୍ଥୀ ହୋଇଥିଲେ। ସମିତିସଭ୍ୟ ଭାବେ ବିଜୟୀ ହେବା ପରେ ବ୍ଲକ୍ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ପାଇଁ ଗୋଦାବରୀ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ। ଦଳରୁ ନିଲମ୍ବିତ ଗୁଡାରି ବିଜେଡି ନେତା ରାମକ୍ରିଷ୍ଣା ଦଳକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳକୁ ଫେରିଥିଲେ। କିନ୍ତୁ ନିର୍ବାଚନରେ ରାମକ୍ରିଷ୍ଣାଙ୍କ ପ୍ରାର୍ଥୀଙ୍କୁ ଦଳ ଅଣଦେଖା କରିଥିଲା। କିନ୍ତୁ ଅଧ୍ୟକ୍ଷ ନିର୍ବାଚନରେ ଦଳ ରାମକ୍ରିଷ୍ଣାଙ୍କ ପ୍ରାର୍ଥୀକୁ ଗୁରୁତ୍ବ ଦେଇ ନିର୍ବାଚନୀ ବୈତରଣୀ ପାର୍ ହୋଇଥିଲା।