ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ପରାମର୍ଶ ଦେଲେ ପୂର୍ବତନ ସାଂସଦ

ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

ରାୟଗଡା: ରାୟଗଡା ସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ ପୌର ପରିଷଦର କାଉନସେଲର ଏବଂ ବିଜେଡି କର୍ମୀଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ପୂର୍ବତନ ସାଂସଦ ଏନ. ଭାସ୍କର ରାଓ, ପୌର ପରିଷଦର ଅଧ୍ୟକ୍ଷ ମହେଶ ପଟ୍ଟନାୟକ, ରାଇସିଂହ ବିଡିକା ପ୍ରମୁଖ ଉପସ୍ଥିତ ରହି ପୌରାଞ୍ଚଳରେ ବିଜେଡି ସରକାରଙ୍କ ଜନହିତକର କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ପରାମର୍ଶ ଦେଇଥିଲେ। ପୂର୍ବତନ ସାଂସଦ ଏନ. ଭାସ୍କର ରାଓ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ପୌର ପରିଷଦର ଉନ୍ନୟନ କାର୍ଯ୍ୟକୁ ତଦାରଖ କରିବା ସହ କିପରି ୱାର୍ଡରେ ନବୀନ ସରକାରଙ୍କର ସମସ୍ତ ଯୋଜନା ଲୋକେ ପାଇ ପାରିବେ ସେନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ କହିଥିଲେ। ଏବେ ଠାରୁ ଲୋକଙ୍କ ପାଖରେ ପହଞ୍ଚି କାମ ଆରମ୍ଭ କରିବାକୁ କହିଥିଲେ। ସେହିପରି ପଛୁଆ ବର୍ଗ ସର୍ଭେ ଚାଲିଥିବାରୁ ଯେପରି ସମସ୍ତ ପଛୁଆ ବର୍ଗର ଲୋକେ ସାମିଲ ହେବେ ସେଥିପାଇଁ କର୍ମୀମାନଙ୍କୁ ସହଯୋଗ କରିବାକୁ କହିଥିଲେ। ଜଣେ ବି ପଛୁଆ ବର୍ଗର ଲୋକ ଯେପରି ଏହି ସର୍ଭେରେ ରହି ନଯାନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ପଛୁଆ ବର୍ଗର ଲୋକଙ୍କ ପାଇଁ ସରକାର ଦେଉଥିବା ସମସ୍ତ ସୁବିଧା ଉଠାଇବାକୁ ସେ ପରାମର୍ଶ ଦେଇଥିଲେ। ପ୍ରକାଶ ଥାଉ କି, ରାୟଗଡା ପୌର ପରିଷଦ ଅଧିନରେ ୨୪ଟି ଓ୍ବାର୍ଡ ରହିଥିବା ବେଳେ ୨୨ଟିରେ ବିଜେଡି ବିଜୟୀ ହୋଇଥିଲା। ଏଥିସହ ପୌର ପରିଷଦର ଅଧ୍ୟକ୍ଷ ପଦକୁ ମଧ୍ୟ ହାତେଇ ଥିଲା। ସେହିପରି ବିଜେଡି ଆଗାମୀ ନିର୍ବାଚନରେ ମଧ୍ୟ ବିପୁଳ ସଂଖ୍ୟାରେ ଯେପରି ବିଜୟୀ ହେବ ସେଥିପାଇଁ ଏବେ ଠାରୁ ତୃଣମୂଳସ୍ତରରେ ଲୋକଙ୍କୁ ସହଯୋଗ କରିବା ଆରମ୍ଭ କରିବାକୁ
କୁହାଯାଇଥିଲା।

Sambad

ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତଙ୍କୁ ସରକାର ସହଯୋଗ କରି ଆସୁଥିବା ବେଳେ ଜଣେ ବି ଲୋକ ଯେପରି ସରକାରୀ ଯୋଜନାରୁ ବାଦ ନପଡନ୍ତି ସେଥିପ୍ରତି କର୍ମୀମାନଙ୍କୁ ଦଷ୍ଟି ଦେବାକୁ କୁହାଯାଇଥିଲା। ଆଜି ପୌର ପରିଷଦର ଶତାଧିକ କର୍ମୀ ଏହି ସମ୍ମିଳନୀରେ ଉପସ୍ଥିତ ରହି ଆସନ୍ତା କାଲି ଠାରୁ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ୱାର୍ଡରେ ବିଜେଡି ତରଫରୁ ଆରମ୍ଭ ହୋଇଥିବା ସମସ୍ତ ଉନ୍ନୟନ କାର୍ଯ୍ୟକୁ ଯେପରି ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରାଯିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ କୁହାଯାଇଥିଲା। ବିଜେଡି ସରକାର ସମସ୍ତ ଉନ୍ନୟନ କାର୍ଯ୍ୟ କରୁଥିବା ବେଳେ ଅନ୍ୟମାନେ ସେଥିରେ ପଶି ତାକୁ ବିଭ୍ରାଟ କରୁଥିବା ମଧ୍ୟ କୁହାଯାଇଥିଲା। ଏଥିରେ କେହି ବିଚଳିତ ନହୋଇ କାମ କରିବାକୁ କୁହାଯାଇଥିଲା। ତେବେ ଲୋକଙ୍କ ସେବା ପାଇଁ ନିର୍ବାଚିତ ହୋଇଥିବାରୁ
ସେମାନଙ୍କ ସେବା କରିବା ଆମର କର୍ତ୍ତବ୍ୟ ବୋଲି ମଞ୍ଚାସୀନ ଅତିଥିମାନେ କହିଥିଲେ। ପ୍ରତ୍ୟେକ ୱାର୍ଡରେ ବିଜେଡି ସରକାରଙ୍କର ସମସ୍ତ କାର୍ଯ୍ୟ ଏବଂ ରାୟଗଡା ପୌର ପରିଷଦ ତରଫରୁ କରାଯାଉଥିବା ଉନ୍ନୟନ କାର୍ଯ୍ୟର ବିବରଣୀ ଏକ ପୋଷ୍ଟର ଏବଂ ବ୍ୟାନର ମାଧ୍ୟମରେ ସମସ୍ତ ୱାର୍ଡରେ ଲଗାଯିବା ନେଇ ସୂଚନା ଦିଆଯାଇଥିଲା। ତେବେ ଏହି କର୍ମୀ ସମ୍ମିଳନୀ ପରେ ଆଗକୁ ପ୍ରତ୍ୟେକ ୱାର୍ଡରେ ସମ୍ମିଳନୀ କରାଯିବା ସହ ଲୋକଙ୍କ ସମସ୍ୟାକୁ ସମାଧାନ କରିବାକୁ ବିଜେଡି ପ୍ରୟାସ କରିବା ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର