ରାୟଗଡ଼ାରେ ଦମ୍ଭ ଦେଖାଇବାକୁ ବିଜେଡ଼ି ପ୍ରସ୍ତୁତ, ମିଶ୍ରଣ ପର୍ବରେ ସାମିଲ୍ ହେବେ ବିରୋଧୀ ଦଳର ନେତା

ସୋମବାର ରାୟଗଡ଼ା ଆସୁଛନ୍ତି ବବି, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରୋଡ୍ ମ୍ୟାପ୍

ରାୟଗଡ଼ା: ସୋମବାର ରାୟଗଡ଼ାରେ ଶକ୍ତି ପ୍ରଦର୍ଶନ କରିବ ବିଜେଡ଼ି। ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ (ବବି)ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ ମିଶ୍ରଣ ପର୍ବ। ବିଜେଡ଼ିରେ ସାମିଲ୍ ହେବେ ବିରୋଧୀ ଦଳର ବରିଷ୍ଠ ନେତା ଓ କର୍ମୀ। ବବିଙ୍କ ଗସ୍ତକୁ ନେଇ ବିଜେଡ଼ି ଶିବିର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଆରମ୍ଭ ହୋଇଛି ପ୍ରସ୍ତୁତି।
ସୋମବାର ଅପରାହଣ୍ ୪ଟାରେ ରାୟଗଡ଼ାରେ ପହଞ୍ଚିବେ ବବି। ୫ଟାରେ ତେଜସ୍ବୀ ହୋଟେଲ୍ ସମ୍ମୁଖ ପଡ଼ିଆରେ ମିଶ୍ରଣ ପର୍ବ ଆୟୋଜନ ପାଇଁ ସ୍ଥିର ହୋଇଛି। ମିଶ୍ରଣ ପର୍ବରେ ରାୟଗଡ଼ା, ବିଷମକଟକ, ଗୁଣପୁର ନିର୍ବାଚନ ମଣ୍ଡଳୀ ସମେତ ୩ ପୌରାଞ୍ଚଳର ବିରୋଧୀ ଦଳର ନେତା, କର୍ମୀଙ୍କୁ ମିଶାଇବାକୁ ବିଜେଡ଼ି ଯୋଜନା କରିଛି।

ରାୟଗଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଆନନ୍ଦ ସାରକା ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ନିଜ ସମର୍ଥକଙ୍କ ସହ ବିଜେଡ଼ିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ଏ ନେଇ ଆନନ୍ଦ କିଛି ସ୍ପଷ୍ଟ କରିନାହାନ୍ତି। ସେହିପରି ରାୟଗଡ଼ା ବ୍ଲକର କାରୁବାଇ, ଦୁର୍ଗାପାଡ଼ୁ, ପିପଳପଦର ସମେତ କାଶୀପୁର ବ୍ଲକର ବହୁ ପଞ୍ଚାୟତର କର୍ମୀ ବିଜେଡ଼ିରେ ସାମିଲ୍ ହେବେ। ୨୦୧୯ ସାଧାରଣ ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡ଼ିରୁ ନିଲମ୍ବିତ କେ. ରାମକ୍ରିଷ୍ଣା ପୁଣି ଥରେ ଦଳକୁ ଫେରିଥିବା ବେଳେ ନିକଟରେ ଗୁଡାରିରେ ମିଶ୍ରଣ ପର୍ବ ଶେଷ ହୋଇଛି। ଦଳର ସାଂଗଠନିକ ସଂପାଦକ ରାୟଗଡ଼ା ଗସ୍ତରେ ଆସୁଥିବାରୁ ପୁରୁଖା ନେତା ଓ କର୍ମୀ ସେମାନଙ୍କ ଦକ୍ଷତା ପ୍ରମାଣ କରିବାକୁ ଲାଗି ପଡିଛନ୍ତି। ଅନ୍ୟପକ୍ଷରେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବବି ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବେ।

୨୦୧୭ ପଞ୍ଚାୟତ ନିର୍ବାଚନରେ ୨୨ ଆସନ ବିଶିଷ୍ଟ ରାୟଗଡ଼ା ଜିଲ୍ଲା ପରିଷଦକୁ କଂଗ୍ରେସ ଅକ୍ତିଆର କରିଥିଲା। ସର୍ବାଧିକ ୧୧ ଆସନରେ କଂଗ୍ରେସ ବିଜୟୀ ହୋଇଥିଲା। ବିଜେଡ଼ି ୭ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ମିଳିଥିଲା ୪ଟି ଆସନ। ୨୦୨୨ ପଞ୍ଚାୟତ ନିର୍ବାଚନରେ ଅଧିକ ଆସନରେ ବିଜୟୀ ହୋଇ ଜିଲ୍ଲା ପରିଷଦ ଦଖଲ କରିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି। ଅନ୍ୟପକ୍ଷରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ପାଇଁ କଣ୍ଟା ହୋଇଥିବା ବହୁ ତୁଙ୍ଗ ନେତାଙ୍କୁ ମିଶ୍ରଣ ପର୍ବ ମାଧ୍ୟମରେ ଦଳରେ ସାମିଲ୍ କରି ବିରୋଧୀ ଶିବିର ଖାଲି କରିବାରେ ଲାଗିଛି ବିଜେଡ଼ି।

ଅନ୍ୟପକ୍ଷରେ ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ବିକାଶ ପାଇଁ ସରକାରଙ୍କୁ ସମର୍ଥନ କରୁଥିବା ନେଇ ଘୋଷଣା କରିଥିବାରୁ ରାୟଗଡ଼ା, କାଶୀପୁରର ୬ ଜିଲ୍ଲା ପରିଷଦ ଆସନରେ ଦଳକୁ ସଫଳତା ମିଳିବ। ସେହିପରି ସଡ଼କ ଦୁର୍ଘଟଣାରେ କଂଗ୍ରେସର ଗୁଣପୁର ବିଧାୟକ ପ୍ରାର୍ଥୀ ବରିଷ୍ଠ ଆଦିବାସୀ ନେତା ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରେ କଂଗ୍ରେସ ସ୍ଥିତି ଦୟଦୀୟ ହୋଇଥିବା ବେଳେ ଗୁଣପୁର ନଗର କଂଗ୍ରେସ ସଭାପତି, ବ୍ଲକ୍ କଂଗ୍ରେସ ସଭାପତି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ସମେତ ବହୁ ନେତା ବିଜେଡ଼ିରେ ଯୋଗ ଦେଇଛନ୍ତି। ତେବେ ବବିଙ୍କ ଉପସ୍ଥିତିରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବା ପାଇଁ ସ୍ଥିର ହୋଇଛି। ମଙ୍ଗଳବାର ରାୟଗଡ଼ାରେ ବିଜୁ ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ ହେବାକୁ ଥିବାରୁ ବବିଙ୍କ ସହ ବିଜେଡ଼ିର ୮ ମନ୍ତ୍ରୀ ଓ ବହୁ ବିଧାୟକ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର