ପ୍ରଦୀପ ମାଝୀ ଦଳ ଛାଡିବା ପରେ ଜିଲ୍ଲା କଂଗ୍ରେସର ମହାମେଳି, ୨୦୦ ବିଜେଡି କର୍ମୀ କଂଗ୍ରେସରେ ଦେଲେ ଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କଂଗ୍ରେସର ମଙ୍ଗ ଧରି ଆସୁଥିବା ପ୍ରଦୀପ ମାଝୀ ଦଳ ଛାଡିବା ପରେ ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମହାମେଳି। ଏହି ମେଳିରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଉପସ୍ଥିତିରେ ୨ ଶହ ବିଜେଡି କର୍ମୀ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରମ ପର୍ବରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ସଭାପତିତ୍ବ କରିଥିଲେ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ କଂଗ୍ରେସ ଦଳ କିଭଳି ମଜବୁତ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ପ୍ରଦୀପ ମାଝୀ ଦଳ ଛାଡିଥିଲେ ମଧ୍ୟ କଂଗ୍ରେସରେ କୌଣସି ପ୍ରଭାବ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିବ ନାହିଁ। ତୃଣମୂଳସ୍ତରରେ କଂଗ୍ରେସ କର୍ମୀ ସଜାଗ ହୋଇ ରହିଛନ୍ତି। ପ୍ରଦୀପ ମାଝୀ ଗଲେ ବି କର୍ମୀମାନେ କଂଗ୍ରେସରେ ହିଁ ରହିବେ, କଂଗ୍ରେସ ଯୋଗୁଁ ପ୍ରଦୀପ ମାଝୀ ଭୋଟ ପାଇ ଆସୁଥିଲେ।

ନିଜସ୍ବ କୌଣସି ବ୍ୟକ୍ତିଗତ ଭୋଟ ତାଂକର ସେଭଳି ନଥିଲା। ପ୍ରଦୀପ ମାଝୀଙ୍କ ବିନା ଦଳ ଆଗକୁ ଯିବ। ପ୍ରଦୀପ ମାଝୀ ଛାଡିବା ପରେ ମାଲକାନଗିରିର ଜିଲ୍ଲା କଂଗ୍ରେସରେ କୌଣସି ପ୍ରଭାବ ପକାଇବ ନାହିଁ। ପ୍ରଦୀପ ମାଝୀ ଗଲା ପରେ ସଂଗଠନ ଆହୁରି ମଜବୁତ ହେବ ବୋଲି କଂଗ୍ରେସ ନେତା ମାନେ କହିଥିଲେ। ଏହି ଅବସରରେ ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା ପୁଣି କଂଗ୍ରେସରେ ଯୋଗ ଦେଇଛନ୍ତି। ପ୍ରଦୀପ ମାଝୀଙ୍କୁ ବିରୋଧ କରି ସେ କଂଗ୍ରେସ ତ୍ୟାଗ କରିଥିଲେ। ପ୍ରଦୀପ ମାଝୀ ଦଳ ଛାଡିବା ପରେ ପୁଣି ନିଜ ଦଳକୁ ସେ ଫେରିଥିବାରୁ ଖୁସି ଜାହିର କରିଥିଲେ। କଂଗ୍ରେସକୁ ଆଗକୁ ମଜବୁତ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟୀ କରିବା ନେଇ ପ୍ରତିଶୃତି ଦେଇଥିଲେ। କଂଗ୍ରେସର ଏହି ସଭାରେ ହଜାରରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଲା ମାଢୀ, କେଶୁ ରାଓ, ଜି.ଶ୍ରୀନିବାସ ରାଓ, ପର୍ଶୁ ଭକ୍ତ, ପଦ୍ମ ପାଙ୍ଗୀ, ପ୍ରାଣକୃଷ୍ଣ ମଣ୍ଡଳ, ଇର୍ମା ପଡିଆମୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର