ତୁଟିଲା କାଶୀପୁର ବିଜେଡି ବିବାଦ: ଗୋଟିଏ ମଞ୍ଚରେ ପାତ୍ର-ମହାପାତ୍ର

କାଶୀପୁର ବ୍ଲକ୍ ବିଜେଡି କାର୍ଯ୍ୟାଳୟ ଉଦ୍‌ଘାଟିତ

ରାୟଗଡ଼ା/କାଶୀପୁର: ୨୦୧୭ ପଞ୍ଚାୟତ ନିର୍ବାଚନ ପରଠୁ କେହି କାହା ମୁହଁ ଚାହୁଁନଥିଲେ। କୌଣସି କାର୍ଯ୍ୟକ୍ରମରେ ଏକାଠି ହେଉନଥିଲେ। ଉଭୟଙ୍କ ମଧ୍ୟରେ ଚାଲିଥିଲା ଛାୟା ଯୁଦ୍ଧ। କର୍ମୀ ବି ଦୁଇଭାଗ ହୋଇଯାଇଥିଲେ। ଅଧା ଜଗଦୀଶ ପାତ୍ରଙ୍କୁ ଅଧା କୃଷ୍ଣ ମହାପାତ୍ରଙ୍କୁ ସମର୍ଥନ କରୁଥିଲେ। ଯାହାର ପରିଣାମ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ିକୁ ଭୋଗିବାକୁ ପଡିଥିଲା। ୪ ହଜାର ଭୋଟରେ ବିଜେଡ଼ି ରାୟଗଡ଼ା ବିଧାନସଭା ଆସନ ଓ ମାତ୍ର ୩ ହଜାର ଭୋଟ ବ୍ୟବଧାନରେ କୋରାପୁଟ ଲୋକସଭା ଆସନକୁ ହରାଇଥିଲା। କାଶୀପୁର ବ୍ଲକ୍ ରାଜନୀତିରେ ଜଗଦୀଶ ପାତ୍ର ଓ କୃଷ୍ଣ ମହାପାତ୍ରଙ୍କ ପତିଆରା ରହିଛି। ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଜଗଦୀଶ ପାତ୍ର ବିଜେଡ଼ି ରାଜନୀତିରେ ସକ୍ରିୟ ଅଛନ୍ତି।

କୃଷ୍ଣ ମହାପାତ୍ର ମଧ୍ୟ ତୃଣମୂଳସ୍ତରରେ ସଂଗଠନ ସଜାଡ଼ି ଦଳ ପାଇଁ ଦୀର୍ଘ ବର୍ଷ ହେଲା କାମ କରି ଆସୁଥିଲେ। କିନ୍ତୁ କ୍ଷମତା ରାଜନୀତିକୁ ନେଇ ୨୦୧୨ ପଞ୍ଚାୟତ ନିର୍ବାଚନରୁ ଆରମ୍ଭ ହୋଇଥିଲା ବିବାଦ। ଆଦିବାସୀ ମାନ୍ୟତା ଦାବିରେ ଝୋଡ଼ିଆ ପଞ୍ଚାୟତ ନିର୍ବାଚନ ବର୍ଜନ କରିଥିଲେ। ଝୋଡ଼ିଆ ବସବାସ କରୁଥିବା ଅଞ୍ଚଳରେ କୃଷ୍ଣଙ୍କ ଦବଦବା ରହିଥିଲେ ମଧ୍ୟ କୃଷ୍ଣ କୌଣସି ପଦକ୍ଷେପ ନେଇନଥିଲେ। ସେହିପରି ୨୦୧୭ ପଞ୍ଚାୟତ ନିର୍ବାଚନରେ ୨୪ ପଞ୍ଚାୟତ ବିଶିଷ୍ଟ କାଶୀପୁର ବ୍ଲକର ୧୩ ସମିତି ସଭ୍ୟ ଆସନ ବିଜେଡ଼ି ଓ କଂଗ୍ରେସ ୧୧ଟିରେ ବିଜୟୀ ହୋଇଥିଲା। ଅଧ୍ୟକ୍ଷା ନିର୍ବାଚନରେ ଅଙ୍କ ଓଲଟପାଲଟ ଯୋଗୁ ୧୩ ସମିତିସଭ୍ୟଙ୍କ ସମର୍ଥନରେ ବ୍ଲକ୍ ଦଖଲ କରିଥିଲା କଂଗ୍ରେସ। ଯାହା ବିଜେଡ଼ି ନେତା ଓ କର୍ମୀଙ୍କୁ ଶକ୍ତ ଧକ୍କା ସଦୃଶ୍ୟ ହୋଇଥିଲା।

ଏହା ପରଠୁ ପାତ୍ର ଓ ମହାପାତ୍ରଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଥିଲା। ଯାହାକୁ ଅଧିକ ଖୋରାକ୍ ଯୋଗାଇଥିଲା ମକରନ୍ଦ ମୁଦୁଲି ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟ୍ ପାଇବାରୁ ବଞ୍ଚିତ ହେବା। ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବା ପାଇଁ ମକରନ୍ଦଙ୍କୁ ବଳ ଯୋଗାଇଥିଲେ କୃଷ୍ଣ। ଯାହା ଫଳରେ ମତଦାନରେ କୃଷ୍ଣଙ୍କୁ ସମର୍ଥନ କରୁଥିବା ନେତା, କର୍ମୀ ବିଜେଡ଼ି ବଦଳରେ ସ୍ବାଧୀନ ପ୍ରାର୍ଥୀ ମକରନ୍ଦଙ୍କୁ ଭୋଟ ଦେଇଥିଲେ। କୃଷ୍ଣଙ୍କ ସମର୍ଥନରେ ବିଜେଡ଼ି ଶିବିର ଏବଂ ପୁରୁଣା ସଂଗଠନ ପାଇଁ ମକରନ୍ଦ କଂଗ୍ରେସ ଶିବିରରୁ ଭୋଟ ହାତେଇ ସାଧାରଣ ନିର୍ବାଚନରେ ରାଜ୍ୟରେ ଏକମାତ୍ର ସ୍ବାଧୀନ ବିଧାୟକ ଭାବେ ନିର୍ବାଚନ ଜିତିଥିଲେ।

ମକରନ୍ଦଙ୍କ ବିଜୟ ବିଜେଡ଼ି ଶିବିରକୁ ଚକିତ କରିବା ସହ ଦୁଇ ଆଦିବାସୀ ଭେଟରାନ୍ ନେତା ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ଓ ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ରାଜନୈତିକ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଥିଲା। ଦୁଇ ନେତାଙ୍କ ପରାଜୟ ବିଜେଡ଼ି ପାଇଁ କ୍ଷତିକାରକ ହେବା ପରେ ଗୋଷ୍ଠୀ କନ୍ଦଳ ସଜାଡ଼ିବା ପାଇଁ ଦଳ ପର୍ଯ୍ୟବେକ୍ଷକ ଭାବେ ସଞ୍ଜୟ ଦାଶବର୍ମାଙ୍କୁ ଦାୟିତ୍ବ ଦେଇଥିଲା। କିନ୍ତୁ ସଞ୍ଜୟଙ୍କ ଉଦ୍ୟମ ଫଳପ୍ରଦ ନ ହେବା ପରେ ପର୍ଯ୍ୟବେକ୍ଷକ ଦାୟିତ୍ବ ଗ୍ରହଣ କରିଥିଲେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ। ଅତନୁ ନିଜ ପ୍ରଥମ ଗସ୍ତରେ ହିଁ କାଶୀପୁର ବିବାଦ ଦୂର ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଆଲୋଚନା ଆରମ୍ଭ କରିଥିଲେ। ଦୁଇ ନେତାଙ୍କୁ ଏକାଠି କରିବାକୁ ଚାଲିଥିବା ପ୍ରୟାସ ଶେଷରେ ଆଜି ସଫଳ ହୋଇଛି।

କାଶୀପୁର ବ୍ଲକ୍ ସଦର ମହକୁମାରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟନୀ ଉତ୍ସବରେ ଜଗଦୀଶ-କୃଷ୍ଣ ଏକାଠି ହେବା ସହ ପଞ୍ଚାୟତ ନିର୍ବାଚନ ଏକାଠି ଲଢ଼ିବାକୁ କର୍ମୀଙ୍କ ସମ୍ମୁଖରେ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ରାୟଗଡ଼ାରେ ଦଳର ସଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଉପସ୍ଥିତିରେ ଆଜି ଅନୁଷ୍ଠିତ ମିଶ୍ରଣ ପର୍ବରେ ଦୁଇ ନେତା ପୁଣି ଗୋଟଏ ମଞ୍ଚରେ ଏକାଠି ହେବା କର୍ମୀଙ୍କ ମହଲରେ ଜୋଶ୍ ଭରିଛି। କାଶୀପୁର ବିଜେଡ଼ି କାର୍ଯ୍ୟାଳୟ ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ସଭାପତି ସୁଧୀର ଦାଶ, କାଶୀପୁର ବ୍ଲକ୍ ବିଜେଡ଼ି ସଭାପତି ବିନୋଦ ନାୟକ, ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ହରପ୍ରସାଦ ନାୟକ, ଅମିତ ନାୟକ, କମଳ ଲୋଚନ ସାଉନ୍ତା, ପ୍ରତାପ ବାଘ, ବିଜୟରତ୍ନ ଚୌଧୁରୀ, ନବ ମିଶ୍ର, ଶରତ ଗୌଡ଼, ରତିକାନ୍ତ ନାୟକ, ଭାସ୍କର ପାଟଯୋଶୀ, ଜଗବନ୍ଧୁ ନାୟକ, ଶାରଦା ନାୟକ ପ୍ରମୁଖ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର