ମୟୂରଭଞ୍ଜରେ ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ; ବିଜେଡିର ସଜବାଜ

ବାରିପଦା: ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ମୁହାଁ ହେଲେଣି। ଏନେଇ ଆଜି ସ୍ପଷ୍ଟ ସୂଚନା ମିଳିଛି। କାରଣ ରାଜ୍ୟରେ ଶାସନରେ ଥିବା ବିଜୁ ଜନତା ଦଳ(ବିଜେଡି) ଆରମ୍ଭ କରିଛି ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି। ଆଉ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ଵବି ଦାୟିତ୍ବରେ ଥିବା ମୟୂରଭଞ୍ଜ ଜିଲ୍ଲାରୁ। ଆଜିଠାରୁ ମୟୂରଭଞ୍ଜରେ ଏକପ୍ରକାର ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିଛି। ବାରିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡ଼ସାହି ବ୍ଲକରୁ ଆରମ୍ଭ ହୋଇଛି ବିଜେଡିର ଜୋନସ୍ତରୀୟ ବୈଠକ।

ଆଜି ପ୍ରଣବ ପ୍ରକାଶ ଦାସ ଉଦଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉଦଳା, ଉଦଳା ଏନଏସି, କପ୍ତପଦା ଓ ଜିବି ନଗରରେ ଏକାଧିକ ବୈଠକରେ ଯୋଗଦେଇ କର୍ମୀମାନଙ୍କୁ ୟାସ ବାତ୍ୟାରେ ସେମାନଙ୍କର ସେବା ପାଇଁ ଧନ୍ୟବାଦ ଦେଇଥିଲେ। ନିଜକୁ ପ୍ରଧାନ କର୍ମୀ ଭାବେ ବିବେଚନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ତୃଣମୂଳ ସ୍ତରକୁ ନେବାକୁ ଆହ୍ବାନ ଦେଇଥିଲେ। ପରେ ବାରିପଦା ନିର୍ବାଚନମଣ୍ଡଳୀରେ ହୋଇଥିଲା ଜୋନସ୍ତରୀୟ ବୈଠକ।

ଯଦିଓ ଏହି ବୈଠକରେ ଵବି ଯୋଗଦେଇଥିଲେ, ତଥାପି ତାଙ୍କ ଅନୁପସ୍ଥିତିରେ ବରିଷ୍ଠ ନେତା ଜନ୍ମେଜୟ ଲେଙ୍କା, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୁର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ପ୍ରମୁଖଙ୍କ ସମେତ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ପୁରା ମୟୂରଭଞ୍ଜ ଜିଲ୍ଲାର ୯ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ସଂସଦୀୟ କ୍ଷେତ୍ରରେ ଏହିପରି ବୈଠକ ଆୟୋଜନ ହେବ। ଜିଲ୍ଲାସ୍ତରୀୟ ନେତା ଓ କର୍ମୀଙ୍କୁ ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ଚଳଚଞ୍ଚଳ ରଖିବାକୁ ଏପରି ବୈଠକମାନ ଆୟୋଜନ ହେବ।

 

କହିବାକୁ ଗଲେ ଆଜିଠୁଁ ବିଜେଡିର ପଞ୍ଚାୟତ ନିର୍ବାଚନ ସଜବାଜ ଆରମ୍ଭ ହୋଇଛି। ମୟୂରଭଞ୍ଜରେ ବିଜେଡି ବବିଙ୍କ ନେତୃତ୍ୱରେ ପଞ୍ଚାୟତ ନିର୍ବାଚନ ଲଢ଼ିବ। ଉଲ୍ଲେଖଯୋଗ୍ୟ ଯେ ମୟୂରଭଞ୍ଜରେ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଚରମ ବିପର୍ଯ୍ୟୟ ଭୋଗିଥିଲା। ବିଜେପି ୫୬ ଜିଲ୍ଲାପରିଷଦ ଆସନରୁ ବିଜେପି ୪୯ ଆସନରେ ବିଜୟୀ ହୋଇଥିଲା। ପରେ ୨୦୧୯ ସାଧାରଣ ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ବିଜେପି ୬ ବିଧାନସଭା ସହିତ ମୟୂରଭଞ୍ଜ ଲୋକସଭା ଆସନରେ ବିଜୟୀ ହୋଇଥିଲା। ରାଜ୍ୟର ସବୁଠି ଶଙ୍ଖ ବାଜୁଥିବା ବେଳେ ମୟୂରଭଞ୍ଜରେ କିନ୍ତୁ ପଦ୍ମର ଦବଦବା ଦେଖିବାକୁ ମିଳିଥିଲା। ଏମଧ୍ୟରେ କିନ୍ତୁ ବିଜେଡି ଓ ବିଜେପି ର ସାଙ୍ଗଠନିକ ସ୍ତରରେ ପରିବର୍ତ୍ତନ ହୋଇଛି।

ବିଜେଡିରେ ଅରୁଣ ସାହୁଙ୍କ ବଦଳରେ ଖୋଦ ଵବି ଦାୟିତ୍ୱରେ ଅଛନ୍ତି। ବିଜେପିରେ ୬ ବିଧାୟକ ଏବଂ ସାଂସଦ ଥିବା ସତ୍ତ୍ୱେ ଜିଲ୍ଲାରେ ସେପରି ଆଖିଦୃଶିଆ ପ୍ରଦର୍ଶନ ଦେଖିବାକୁ ମିଳୁନି। ତେଣୁ ଜିଲ୍ଲାପରିଷଦ ସଭାପତି ହାସଲ କରିବା ବିଜେଡି ପାଇଁ ଏକ ଚ୍ୟାଲେଞ୍ଜ ଥିବା ବେଳେ ଏହାକୁ ବଜାୟ ରଖିବା ବିଜେପି ପାଇଁ ଆହ୍ବାନଭରା ରହିବ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଚଳିତ ପଞ୍ଚାୟତ ନିର୍ବାଚନ ରୋଚକ ହେବ ନିଶ୍ଚୟ। ବବିଙ୍କ ନେତୃତ୍ୱରେ ବିଜେଡି ପଞ୍ଚାୟତ ନିର୍ବାଚନରେ କିପରି ପ୍ରଦର୍ଶନ କରିବ ତାହା ସମସ୍ତଙ୍କ ପାଇଁ ଅପେକ୍ଷାସାପେକ୍ଷ।

ସମ୍ବନ୍ଧିତ ଖବର