ସାମ୍ବାଦିକ ସମ୍ମିଳନୀରେ କୃଷ୍ଣଙ୍କ ଘୋଷଣା: ପଞ୍ଚାୟତ ନିର୍ବାଚନରେ କାଶୀପୁରରେ ଉଡ଼ିବ ବିଜେଡ଼ି ପତାକା

ରାୟଗଡ଼ା: ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ଭୋଟ ନେବା। ନିର୍ବାଚନ ପରେ ଯିଏ ବେଶି ଭୋଟ ପାଇ ସରକାରକୁ ଆସିବ ଆମେ ତାକୁ ସମର୍ଥନ କରିବା। ଆଗାମୀ ପଞ୍ଚାୟତ ନିର୍ବାଚନରେ କାଶୀପୁରର ସମସ୍ତ ଘରେ ବିଜେଡ଼ି ପତାକା ଉଡ଼ିବା ସହ ୨୪ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟକୁ ଅପ୍ରତିଦ୍ବନ୍ଦୀ ଏବଂ ୩ ଜିଲ୍ଲା ପରିଷଦ ଆସନରେ ବିଜେଡ଼ି ପ୍ରାର୍ଥୀକୁ ଜିତାଇବା। ରାୟଗଡ଼ାରେ ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏପରି କହିଛନ୍ତି ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ପରାମର୍ଶଦାତା କୃଷ୍ଣ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି, ନବୀନ ପଟ୍ଟନାୟକଙ୍କୁ ଛାଡ଼‌ିଲେ ଓଡ଼ିଶାରେ ଆଉ କେହି ଭଲ ନେତା ନାହାଁନ୍ତି। ବିଜେପି, କଂଗ୍ରେସରେ ନେତୃତ୍ବ ସଙ୍କଟ ଲାଗି ରହିଥିବାରୁ ସାଢ଼େ ୪ କୋଟି ଜନତାଙ୍କ ପ୍ରିୟ ନେତା ହେଉଛନ୍ତି ନବୀନ।

ନିର୍ବାଚନ ପରେ ନେତାଙ୍କ ମଧ୍ୟରେ ବିଭାଜନ ରହିଲେ ଅଞ୍ଚଳର ବିକାଶ ହେବନି। କ୍ଷମତାର ଥିବା ସରକାର ସହ ହାତ ମିଳାଇ ଚାଲିଲେ ଗାଁ, ଗାଁରେ ବିକାଶ ପହଞ୍ଚିବ। ବିଜେଡ଼ିକୁ ପୂର୍ଣ୍ଣ ସମର୍ଥନ ପାଇଁ ଆମେ ନିଷ୍ପତ୍ତି ନେଇଛୁ। ଏ ନେଇ ମାଣ୍ଡିବିଶି, ସିରିକଣା କର୍ମୀ ସମ୍ମିଳନୀରେ ଘୋଷଣା ମଧ୍ୟ ହୋଇଛି। କାଶୀପୁର ଏକ ଗରିବ ବ୍ଲକ୍ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ବିକାଶ ଚାହୁଁଛନ୍ତି। ଯେଉଁ ଦିନ ପର୍ଯ୍ୟନ୍ତ ଗରିବ ଲୋକ ନିଜ ଗୋଡ଼ରେ ଛିଡା ହୋଇନାହାଁନ୍ତି ସେ ଦିନ ପର୍ଯ୍ୟନ୍ତ ବିକାଶ ହୋଇଛି ବୋଲି ଭାବିବା ନାହିଁ। ଆମେ ଏମିତି କାମ କରିବା ଯାହା ଫଳରେ କାଶୀପୁରରେ ଗୋଟିଏ ବି ବିପିଏଲ୍ ପରିବାର ରହିବେ ନାହିଁ। ସମସ୍ତେ ଏପିଏଲ୍ ଶ୍ରେଣୀରେ ରହିବେ। କେବଳ ନବୀନ ପଟ୍ଟନାୟକ ଚାହିଁଲେ ଆମର ଏହି ସ୍ବପ୍ନ ପୂରଣ ହେବନି ଏଥି ପାଇଁ ସମସ୍ତେ ଉଦ୍ୟମ କରିବା ଦରକାର। କାଶୀପୁର ବ୍ଲକର ୪୦ ହଜାର ପରିବାରର ୧.୪୦ ଲକ୍ଷ ଜନତା ନିଷ୍ପତ୍ତିକୁ ସମର୍ଥନ କଲେ ଓଡ଼ିଶା ସହିତ ଭାରତରେ ଅନାହାର ମୃତ୍ୟୁକୁ ପରିଚିତ କାଶୀପୁର ବ୍ଲକର ଚେହେରା ବଦଳି ପାରିବ। କାଶୀପୁରକୁ ଧନି ବ୍ଲକରେ ପରିଣତ କରିବା ପାଇଁ ପଞ୍ଚାୟତ ନିର୍ବାଚନରେ ସଭିଁଏ ଏକାଠି ହୋଇ ବିଜେଡ଼ି ପତାକା ତଳେ କାମ କରିବାକୁ କୃଷ୍ଣ ଆହ୍ବାନ ଦେଇଛନ୍ତି।

ଅନ୍ୟପକ୍ଷରେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ବିଜେଡ଼ି ପ୍ରତି ସମର୍ଥନ ଅଛି, ଆଗକୁ ରହିବ ମଧ୍ୟ ବୋଲି ଘୋଷଣା କରିଛନ୍ତି। ନିର୍ବାଚନ ଜିତିବାର କିଛି ମାସ ପରେ ହିଁ ରାୟଗଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଆଲୋଚନା କରିବା ସହ ସମର୍ଥନ ଜଣାଇଥିବା ବିଧାୟକ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଭୁବନେଶ୍ବରରେ ବିଜେଡ଼ିର ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଉପସ୍ଥିତିରେ ବିଧାୟକ ମକରନ୍ଦ ମୁଦୁଲି ବିଜେଡ଼ିରେ ବିଦ୍ଧିବଦ୍ଧ ଭାବେ ମିଶିବା ନେଇ ଆଲୋଚନା ହୋଇଥିଲା।

ଆଲୋଚନାରେ କୃଷ୍ଣ ମହାପାତ୍ରଙ୍କ ସମେତ ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ ଅତୁନ ସବ୍ୟସାଚୀ ନାୟକ ଓ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। କିନ୍ତୁ କୌଣସି କାରଣ ପାଇଁ ଦଳୀୟ ଫୋରମରେ ମିଶ୍ରଣ ପର୍ବ ହୋଇ ପାରିନଥିବା ବେଳେ ବିଜେଡ଼ିର ସମସ୍ତ କାର୍ଯ୍ୟକ୍ରମରେ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ଓ ପରାମର୍ଶଦାତା କୃଷ୍ଣ ମହାପାତ୍ରଙ୍କ ଉପସ୍ଥିତି ଭୋଟରଙ୍କୁ ଦ୍ବନ୍ଦ୍ବରେ ପକାଉଛି। ୨୦୧୯ ନିର୍ବାଚନରେ ମକରନ୍ଦ କଂଗ୍ରେସ ଟିକେଟରୁ ବଞ୍ଚିତ ହେବା ପରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ବିଜେଡ଼ିର ହେଭିୱେଟ୍ ନେତା ତଥା ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକାଙ୍କୁ ୪ ହଜାର ୮୭୦ ଭୋଟରେ ପରାସ୍ତ କରିଥିଲେ। ଯାହା ବିଜେଡ଼ି ଶିବିର ପାଇଁ ଶକ୍ତ ଧକ୍କା ହୋଇଥିଲା। ଭୋଟ ବିଭାଜନ ଯୋଗୁ ପ୍ରାୟ ୧୦ ବର୍ଷ ପରେ ବିଜେଡ଼ି ହାତରୁ ରାୟଗଡ଼ା ବିଧାନସଭା ଆସନ ସହ କୋରାପୁଟ ଲୋକସଭା ଆସନ ମଧ୍ୟ ଖସିଥିଲା।

ସମ୍ବନ୍ଧିତ ଖବର