ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜୟପୁରର ବିକାଶ ପାଇଁ ୩ଟି ଅନୁରୋଧ କଲେ ବିଜେଡି ନେତ୍ରୀ ଇନ୍ଦିରା

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବପୁରାତନ ସହରର ସାମଗ୍ରୀକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୩ଟି ଅନୁରୋଧ କରିଛନ୍ତି ବିଜେଡି ନେତ୍ରୀ ଡ.ଇନ୍ଦିରା ନନ୍ଦଙ୍କ ନେତୃତ୍ବରେ  ଏକ ଦଳ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡ.ନନ୍ଦ ମୁଖ୍ୟମନ୍ତ୍ରୀ ତଥା ବିଭିନ୍ନ ବିଭାଗର ରାଜ୍ୟସ୍ତରୀୟ ଅଧିକାରୀ, ସଚିବ ଆଦିଙ୍କୁ କରିଥିବା ଅନୁରୋଧ ସଂପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ। ଏଥିରେ ଦେଓମାଳି-ଜଗନ୍ନାଥସାଗର-ଗୁପ୍ତେଶ୍ବରକୁ ଟୁରିଜମ୍ କରିଡ଼ର ଭାବେ ଘୋଷଣା, ଉପରକୋଲାବ ପ୍ରକଳ୍ପ କେନାଲଗୁଡ଼ିକ ପୁନଃରୁଦ୍ଧାର କରିବା ଓ ଜୟପୁରରେ ନର୍ସିଂ ମହାବିଦ୍ୟାଳୟ ଖୋଲିବା ଆଦି ବିବରଣୀରେ ସେ ଆଲୋଚନା କରିଥିଲେ।

ରାଜାଙ୍କ ଅମଳରେ ୭୫ହେକ୍ଟର ଜମିରେ ଥିବା ଜଗନ୍ନାଥ ସାଗରରୁ ଲୋକେ ପିଇବା ପାଇଁ ପାଣି ନେବା ସହ ଗାଧେଇବା ଠାରୁ  ସମସ୍ତ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରି ଆସୁଥିଲେ। ଧିରେ ଧିରେ ନଳକୂଅ ଓ କୂଅ ଖୋଳିବା ପରେ ଏହାର ବ୍ୟବହାର କମିବା ସହ ସାଗରର ଅବସ୍ଥା ଖରାପ ହେଲା। ତତ୍କାଳୀନ ମନ୍ତ୍ରୀ ସ୍ବର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ର ୧୯୭୭ମସିହାରେ ଏହାର ପୁନଃରୁଦ୍ଧାର କରାଇଥିଲେ।

୨୦୦୫ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟପୁର ଗସ୍ତରେ ଆସିବା ସମୟରେ ତତ୍କାଳୀନ ଜଳସେଚନ ମନ୍ତ୍ରୀ ରବି ନାରାୟଣ ନନ୍ଦ ସାଗରକୁ ବୁଲାଇ ଦେଖାଇଥିଲେ। ଏହାର ପୁନଃରୁଦ୍ଦାର ପାଇଁ ସାଢ଼େ ୭କୋଟି ଟଙ୍କା ରାଜ୍ୟସରକାର ଅନୁଦାନ ଦେଇଥିଲେ। ଏଥିରେ ସାଗରର ପୁନଃରୁଦ୍ଧାର କରି ମାଟି ଓ ଦଳ ବାହାର କରିବା, ପାର୍କ ନିର୍ମାଣ, ଜଗନ୍ନାଥ ସାଗରର ପାର୍ଶ୍ବରେ ମଇଳା ପାଣି ନିଷ୍କାସନ ପାଇଁ ନାଳ ନିର୍ମାଣ, ସହରର ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଖ୍ରୀଷ୍ଠୀୟାନ ପେଟ୍ଟାରୁ ଜଗନ୍ନାଥସାଗର ପାର୍ଶ୍ବ ଜୟନଗର ପଂଚାନନ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରି ଏହି ଟଙ୍କା ଖର୍ଚ୍ଚ କରାଯାଇଥିବା ଡ.ନନ୍ଦ ସୂଚନା ଦେଇଥିଲେ।

ଏହା ପର ଠାରୁ ଏବେ ପର୍ଯ୍ୟନ୍ତ ଏହାର ଦେଖାରଖା ଓ ରକ୍ଷଣାବେକ୍ଷଣ ନ କରିବା ଫଳରେ ଏଥିରେ ଦଳ, ପଙ୍କ ଭର୍ତ୍ତି ହେବା ସହ ଜରାଜୀର୍ଣ୍ଣ ଅବସ୍ଥାକୁ ପଳାଇ ଆସିଛି ବୋଲି ଡ.ନନ୍ଦ କହିଥିଲେ। ଦେଓମାଳି-ଜଗନ୍ନାଥସାଗର-ଗୁପ୍ତେଶ୍ବରକୁ ଟୁରିଜମ୍ କରିଡ଼ର ଭାବେ ଦୀର୍ଘ ମିଆଦି ଯୋଜନା କରାଗଲେ ଜଗନ୍ନାଥ ସାଗରର ପୁନଃରୁଦ୍ଧାର ହୋଇପାରିବ ବୋଲି ଅନୁରୋଧ କରାଯାଇଛି ବୋଲି ଡ.ନନ୍ଦ କହିଥିଲେ।  ଉପରକୋଲାବ ଜଳସେଚନ ପ୍ରକଳ୍ପ ୧୯୭୫ମସିହାରେ ଯଦିଓ ଆରମ୍ଭ ହୋଇଥିଲେ ହେଁ ୧୯୯୦ମସିହାରେ ଜଳସେଚନ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ୫୮.୮୩କିଲୋମିଟର ମୁଖ୍ୟ କେନାଲ ଓ  ୫୭୫.୮କିଲୋମିଟର ମାଇନର ଓ ସବମାଇନର କେନାଲ ଯୋଗେ ୪୭ହଜାର ହେକ୍ଟର ଓ ଉଠାଜଳସେଚନରେ ୨୨ହଜାର ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ରହିଥିଲା।

ବତାସନା, ଢ଼ାମଣାହାଣ୍ଡି, ଜୟପୁର, ଅନ୍ତା, ଧନପୁର, ପଦ୍ମପୁର, ଗିରିଗାଁ, ବାଗଦେରୀ, ପକନାଗୁଡା, କୋଟପାଡ, ଶଙ୍କରଡା ଏଭଳି ୧୧ଟି ସବମାଇନର ଯୋଗେି ଖରିଫ ଓ ରବିରେ ପାଣି ଯୋଗାଇବା ଲକ୍ଷ୍ୟ ଓ  ଉଦେଶ୍ୟ ରହିଥିଲା । ଏବେ ବି ତଳମୁଣ୍ଡର କାଳିଆଗାଁ,ସଲପା, ଘାଟବାଗ୍ରା, ଘିଉରୀ, ପଦ୍ମପୁର, ଦୁର୍ଗାଭଟ୍ଟା, ଡାଙ୍ଗରା, ହାଡ଼ିଆ ଆଦି ଅଂଚଳର ଚାଷ ଜମିକୁ ଦୁଇ ଋତୁରେ ପାଣି ପହଚୁଂନି କି ଉଦେଶ୍ୟ ସାଧିତ ହୋଇନି।  ଦୀର୍ଘ ୩୦ବର୍ଷ ହେବ ଉପଯୁକ୍ତ ରକ୍ଷଣାବେକ୍ଷଣ, ଦେଖାରଖା, ମରାମତି ଅଭାବରୁ ଏବେ କେନାଲରେ ବହୁ ସ୍ଥାନରେ ଘାଇ ସୃଷ୍ଟି ହେବା ସହ ଶୋଚନୀୟ ହୋଇ ପଡ଼ିଛି। ଅନ୍ୟ ପକ୍ଷରେ ବହୁ ଜମିରେ ପାଣି ମାଡ଼ୁନଥିଲେ ହେଁ ବହୁ ଚାଷୀ ଜଳକର ଦେଇ ଆସୁଛନ୍ତି ବୋଲି ଡ.ନନ୍ଦ କହିଥିଲେ। ଜଳସେଚନ ପ୍ରକଳ୍ପ ୪୦ବର୍ଷ ଚାଲିଥାଏ। ଏଥିରୁ ୩୦ବର୍ଷ ସରିଯାଇଥିବାରୁ ଆଉ ୧୦ବର୍ଷ ଚାଳିବ। ତେଣୁ ଏହାକୁ ପୁନଃରୁଦ୍ଧାର ପାଇଁ ଦୀର୍ଘ ମିଆଦି ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା କହିଛନ୍ତି ଡ.ନନ୍ଦ। କୋରାପୁଟ ଜିଲ୍ଲାର ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ରହିଥିଲା।

ତେବେ କୋରାପୁଟରେ ମେଡିକାଲ କଲେଜ ଓ  ଜୟପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖୋଲାଯିବା ପରେ ଏହି ସମସ୍ୟା ଦୁର ହୋଇଛି । ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ଅଭିଛେଦ ଅଙ୍ଗ ଷ୍ଟାଫ ନର୍ସ। ଜିଲ୍ଲାରେ ଏମାନଙ୍କ ସଂଖ୍ୟା ବହୁତ କମ୍ ରହିଛି।  ଏମାନଙ୍କ ବିନା ସ୍ବାସ୍ଥ୍ୟ ସେବା ସମ୍ଭବ ନୁହେଁ। ତେଣୁ ଜୟପୁରରେ  ନର୍ସିଂ ମହାବିଦ୍ୟାଳୟ ଖୋଲାଗଲେ ଅଂଚଳବାସୀ ଉପକୃତ ହୋଇ ପାରିଥାନ୍ତେ।

ଅଂଚଳର ଶିକ୍ଷିତ ବେକାର ଯୁବକଓ ଯୁବତୀ ମାନେ କର୍ମସଂସ୍ଥାନ ପାଇ ପାରିଥାନ୍ତେ ବୋଲି ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ଡ.ନନ୍ଦ। ଏହି ସମ୍ବାଦିକ ସମ୍ମିଳନୀରେ ତାଙ୍କ ସହ ବରିଷ୍ଟ ବିଜେଡି ନେତା ବାଲା ରାୟ, ଦୁର୍ଗା ମିଶ୍ର, ଛାତ୍ର ବିଜେଡି ନଗର ସଭାପତି ଆଶିଷ ନାୟକ, ଯୁବ ବିଜେଡି ନଗର ସଭାପତି ତାପସ ପଣ୍ଡା, ଉପସଭାପତି ଶଙ୍କର ରାଉତ, ଛାତ୍ର ଜିଲ୍ଲା ଉପସଭାପତି ଅନ୍ବେଶ ଖୋସ୍ଲା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର