ଖୋର୍ଦ୍ଧା: କେନ୍ଦ୍ର ସରକାର ରାଜ୍ୟକୁ ଦେଉଥିବା ରିହାତି ଚାଉଳ ପରିମାଣ ହ୍ରାସ କରିବା, ଉଷୁନା ଧାନ ଉଠାଣ ପରିମାଣ କମାଇବା ପ୍ରତିବାଦରେ ଆଜି ଖୋର୍ଦ୍ଧା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭାର ଆୟୋଜନ କରାଯାଇଛି। ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଖୋର୍ଦ୍ଧା ପୌର ପରିଷଦର ଶତାଧିକ ଦଳୀୟ କର୍ମକର୍ତା ସହ ପୌରାଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି ପ୍ରମୁଖ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏହାପରେ ଖୋର୍ଦ୍ଧା ବ୍ଲକ ବିଜେଡିର କର୍ମକର୍ତା, ସଦସ୍ୟମାନେ ମଧ୍ୟ ଅନୁରୂପ ଭାବେ ଧାରଣାସ୍ଥଳରେ ପହଞ୍ଚିଥିଲେ।
ସେଠାରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ରାଜ୍ୟ ମହିଳା ବିଜେଡିର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର, ଜିଲ୍ଲା ଛାତ୍ର ବିଜେଡି ସଭାପତି ବିଶ୍ୱଦୀପ ପ୍ରଧାନ, ଜିଲ୍ଲାର ଆମଓଡ଼ିଶା ସଂଯୋଜକ ତଥା ଉପସଭାପତି ଦିଲିପ ହୋତା, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ଖୋର୍ଦ୍ଧା ନଗର ବିଜେଡି ସଭାପତି ମହମ୍ମଦ ଆରିଫ, ଜିଲ୍ଳା ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ବିଜେଡି ମହିଳା ନେତ୍ରୀ ଗୀତାଞ୍ଜଳି ପାଟ୍ଟଷାଣୀ ପ୍ରମୁଖ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ଗରିବ ଓ ଚାଷୀ ମାରଣ ନୀତିକୁ କଡ଼ା ସମାଲୋଚନା କରିଥିଲେ। ଧାରଣା ଓ ପ୍ରତିବାଦ ସଭା ପରେ ବିଜେଡି କର୍ମକର୍ତା ମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।