ବିଜୁ ପ୍ରିମିଅର ଲିଗ୍ ଉଦ୍ୟାପିତ: ଖୋର୍ଦ୍ଧା ଛାତ୍ର ବିଜେଡି ଚାମ୍ପିଅନ  

ଖୋର୍ଦ୍ଧା: ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆ ଠାରେ ଚାଲିଥିବା ବିଜୁ ପ୍ରିମିଅର ଲିଗ୍ ଉଦ୍ୟାପିତ ହୋଇଯାଇଛି । ଫାଇନାଲ୍ ମ୍ୟାଚ୍ରେ ଖୋର୍ଦ୍ଧା ଯୁବ ବିଜେଡିକୁ ହରାଇ ଖୋର୍ଦ୍ଧା ଛାତ୍ର ବିଜେଡି ଚାମ୍ପିଅନ ହୋଇଛି ।

ଫାଇନାଲ୍ ମ୍ୟାଚ୍ରେ ଖୋର୍ଦ୍ଧା ଯୁବ ବିଜେଡି ଟସ୍ ଜିଣି ବ୍ୟାଟିଂ ଆରମ୍ଭ କରିଥିଲା । ୧୩ ଓଭରରେ ୮ ୱିକେଟ୍ ବିନିମୟରେ ୯୧ ରନ୍ ସଂଗ୍ରହ କରିଥିଲେ । ଏହାର ଜବାବରେ ଖୋର୍ଦ୍ଧା ଛାତ୍ରବିଜେଡି ୧୨.୩ ଓଭରରେ ୪ ୱିକେଟ୍ ହରାଇ ୯୨ ରନ୍ ସଂଗ୍ରହ କରି ଚଳିତ ବର୍ଷର ବିଜେତା ହୋଇଥିଲେ । ଖୋର୍ଦ୍ଧା ଛାତ୍ର ବିଜେଡିର ବିମଳ ମହାପାତ୍ର ୩୧ ରନ୍ ଓ ଗୋଟିଏ ୱିକେଟ୍ ନେଇ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀ ପ୍ରସାଦ ତ୍ରିପାଠୀଙ୍କ ସହ ଅନ୍ୟ ନିର୍ବାଚନମଣ୍ଡଳୀର ବିଧାୟକ ଯୋଗ ଦେଇଥିଲେ । ମ୍ୟାଚ୍କୁ ପ୍ରକାଶ କୁମାର ପଟ୍ଟନାୟ ଓ ଅସିତ କୁମାର ପରିଡ଼ା ଅମ୍ପାୟର ଭାବେ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଅସିତ କୁମାର ଦାସ ସହଯୋଗ କରିଥିଲେ । ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ଅଭିଷେକ ସିଂହ ସାମନ୍ତ, ଚଣ୍ଡୀପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ଯୁବ ବିଜେଡି ଉପସଭାପତି ଦିଲୀପ କୁମାର ମହାପାତ୍ର, ଅବିନାଶ ପଟ୍ଟନାୟକ, ଅର୍ଚିସ୍ମାନ୍ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।

ଏହି ଅବସରରେ ବିଧାୟକ ଏକାଦଶ ଓ ଖୋର୍ଦ୍ଧା ବିଜୁ ୱାରିଅର୍ସ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ହୋଇଥିଲା । ବିଧାୟକ ଏକାଦଶର କ୍ୟାପ୍ଟେନ୍ ଭାବେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳ ୧୨ ଓଭରରେ ୨୦୨ ରନ୍ ସଂଗ୍ରହ କରିଥିଲେ । ପ୍ରଥମେ ଯାଜପୁର ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଓପନିଂ କରିଥିଲେ ।  ବିଧାୟକ ଦେବୀ ରଂଜନ ତ୍ରିପାଠୀ ସର୍ବାଧିକ ୯୫ ରନ୍ ସଂଗ୍ରହ କରିଥିଲେ । ଏହାର ଜବାବରେ ବିଜୁ ୱାରିଅର୍ସ ନିର୍ଦ୍ଧାରିତ ଓଭରରେ ୧୫୦ରନ୍ ସଂଗ୍ରହ କରିଥିଲେ ।

ସମ୍ବନ୍ଧିତ ଖବର