ବିଜେଡିରୁ ରାଜଗାଙ୍ଗପୁର ନଗର ସଭାପତି ଓ ପୂର୍ବତନ ପୌର-ଉପାଧ୍ୟକ୍ଷ ନିଲମ୍ବିତ

ସୁନ୍ଦରଗଡ଼/ରାଜଗାଙ୍ଗପୁର: ବିଜୁ ଜନତା ଦଳର ରାଜଗାଙ୍ଗପୁର ଟାଉନ ସଭାପତି ରାଜେନ୍ଦ୍ର କୁମାର ବେହେରା ଓ ପୂର୍ବତନ ପୌର-ଉପାଧ୍ୟକ୍ଷ ଅଶୋକ ଦାସଙ୍କୁ ୬ବର୍ଷ ପାଇଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଳମ୍ବିତ କରାଯାଇଛି। ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ କର୍ମକର୍ତ୍ତାଙ୍କୁ ରାଜ୍ୟ କମିଟିର ନିର୍ଦ୍ଦେଶକ୍ରମେ ନିଲମ୍ବିତ କରାଯାଇଥିବା ସୁନ୍ଦରଗଡ଼ ଜିଲ୍ଲା ବିଜେଡି ସଭାପତି ବିନୟ କୁମାର ଟପ୍ପୋ ପ୍ରକାଶ କରିଛନ୍ତି। ଏ ନିଲମ୍ବନ ଆଦେଶ ପରେ ଦଳର ଅନ୍ୟ ବିଶୃଙ୍ଖଳିତ କର୍ମକର୍ତ୍ତାଙ୍କ ମଧ୍ୟରେ ଛନକା ପଶି ଯାଇଛି। ଦଳରେ ଉଠିଥିବା ଚର୍ଚ୍ଚାକ୍ରମେ, ବିଜେଡିର ରାଜଗାଙ୍ଗପୁର ନଗର ସଭାପତି ରାଜେନ୍ଦ୍ର କୁମାର ବେହେରା ଗତ ଜୁନ ୧୬ରେ ସ୍ଥାନୀୟ ଡାକ ବଙ୍ଗଳାରେ ଆୟୋଜିତ ଏକ ବୈଠକରେ ସରକାରୀ ଓକିଲ ତଥା ଦଳର ପୁରୁଖା ନେତା ରାଜେନ୍ଦ୍ର କୁମାର ଲେଙ୍କାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ସଭାପତି ପଦବିରେ ଥାଇ ଏପରି ବିଶୃଙ୍ଖଳାକୁ ଦଳ ସହଜରେ ଗ୍ରହଣ କରି ନଥିଲା। ସେହିପରି ସମବାୟ ନିର୍ବାଚନରେ ରାଜଗାଙ୍ଗପୁରରୁ ୨ଜଣ ସମବାୟ ନିର୍ଦ୍ଦେଶକ ବିରୋଧୀ ଦଳରୁ ନିର୍ବାଚିତ ହୋଇଥିଲେ। ଏହା ସଭାପତିଙ୍କ ଅପାରଗତା ବୋଲି କୁହାଯାଇଥିଲା। ସେହିପରି ପୂର୍ବତନ ନଗର ସଭାପତି ତଥା ପୌର-ଉପାଧ୍ୟକ୍ଷ ଅଶୋକ କୁମାର ଦାସଙ୍କ ବିଶୃଙ୍ଖଳାକୁ ନେଇ ଦଳ ଅସନ୍ତୁଷ୍ଟ ଥିଲା ।

ରାଜଗାଙ୍ଗପୁରର ପୂର୍ବତନ ପୌର ନିର୍ବାହୀ ଅଧିକାରୀଙ୍କ ପ୍ରତି ଅଶୋକ କୁମାର ଦାସଙ୍କ ଚାପ ଓ ଦୁର୍ବ୍ୟବାହାର ପରେ ତାଙ୍କୁ ରାତି ଅଧିଆ ଘର ଛାଡ଼ିବାକୁ ପଡ଼ିବା ଦଳର ଭାବମୂର୍ତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ସେହିପରି ରାଉରାକେଲା ସମବାୟ ନିର୍ବାଚନରେ ଦୁଇ କର୍ମକର୍ତ୍ତା ଦଳ ବିରୋଧରେ ଯାଇଥିବା ଅଭିଯୋଗ ହୋଇଥିଲା। ଏସବୁ ଦଳବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଥିବା ନେଇ ଜିଲ୍ଲା ସଭାପତି ରାଜ୍ୟ କମିଟିର ଦୃଷ୍ଟି ଆର୍କଷଣ କରିଥିଲେ। ବିଜେଡି ଏକ ଶୃଙ୍ଖଳିତ ଦଳ, ଏଠାରେ ବିଶୃଙ୍ଖଳା କରୁଥିବା କର୍ମୀ ଓ ନେତାଙ୍କ ସ୍ଥାନ ନାହିଁ। ତେଣୁ ଉଭୟ ନେତାଙ୍କୁ ଦଳ ୬ବର୍ଷ ପାଇଁ ପ୍ରାଥମିକ ସଦସ୍ୟ ପଦରୁ ନିଳମ୍ବିତ କରିଥିବା ପ୍ରକାଶ ପାଇଛି। ଦଳ ପକ୍ଷରୁ ଉଭୟଙ୍କୁ ଡାକ ଯୋଗେ ନିଲମ୍ବନ ପତ୍ର ପ୍ରେରଣ କରାଯାଇଥିବା ସୂଚନା ମିଳିଛି। ପୂର୍ବରୁ ଦଳର ନଗର ସଭାପତି ଅମରେଶ ପଣ୍ଡା ଓ ଏବେ ରାଜେନ୍ଦ୍ର କୁମାର ବେହେରାଙ୍କ ସହ ଅଶୋକ ଦାସ ନିଲମ୍ବିତ ହେବା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର