ବିଜେଡି ବନାମ ବିଜେଡି; କୁଞ୍ଜଲତା ଜିତିଲେ, ତ୍ରିବେଣୀ ହାରିଲେ

ଗୁଳିଚାଳନା, ଅପହରଣକୁ ନେଇ ଚର୍ଚ୍ଚାରେ ଥିଲା ନିର୍ବାଚନ  

ସୁନ୍ଦରଗଡ଼: ବାଲିଶଙ୍କରା ପଞ୍ଚାୟତସମିତି ଅଧ୍ୟକ୍ଷ ଆସନ ପାଇଁ ବିଜେଡି ବନାମ ବିଜେଡି ମଧ୍ୟରେ ହୋଇଥିବା ଲଢ଼େଇ ମଧ୍ୟରେ ଗୁଳିଚାଳନା ଓ ଅପହରଣ ପରି ହିଂସ୍ରକ ଘଟଣା ଘଟିଥିଲା। ଏଥିରେ ତଳସରାର ପୂର୍ବତନ କଂଗ୍ରେସ ବିଧାୟକ ତଥା ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ରାଜ୍ୟ ସାଧାରଣସମ୍ପାଦକ ଭାବେ ନିଯୁକ୍ତ ଡ. ପ୍ରଫୁଲ୍ଲ ମାଝୀଙ୍କ ସମ୍ପୃକ୍ତି ଅଭିଯୋଗ ସମଗ୍ର ରାଜ୍ୟରେ ଚର୍ଚ୍ଚାମର ପ୍ରସଙ୍ଗ ହୋଇଥିଲା। ନିଜ ପତ୍ନୀ ପୂର୍ବତନ ଅଧ୍ୟକ୍ଷା ତ୍ରିବେଣୀ ମାଝୀଙ୍କୁ ବିଜୟୀ କରିବା ପାଇଁ ସେ ବାହାର ଜିଲ୍ଲାରେ ଅଜ୍ଞାତବାସରୁ ଫେରୁଥିବା ପ୍ରତିପକ୍ଷଙ୍କ ଉପରେ ଏପରି ହିଂସ୍ରକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏପରି ଏକ ବିବାଦୀୟସ୍ଥିତିରେ ଅନୁଷ୍ଠିତ ନିର୍ବାଚନରେ ଦୁଇ ଥର ଅଧ୍ୟକ୍ଷ ଆସନ ହାତେଇଥିବା କିଞ୍ଜିରକେଲା ସମିତିସଭ୍ୟା କୁଞ୍ଜଲତା ଭିତିରିଆ ୧୧ ସମିତିସଭ୍ୟଙ୍କ ସମର୍ଥନରେ ପ୍ରଫୁଲ୍ଲଙ୍କ ପତ୍ନୀ ତ୍ରିବେଣୀଙ୍କୁ ପରାଜିତ କରି ତୃତୀୟ ଥର ପାଇଁ ଅଧ୍ୟକ୍ଷା ନିର୍ବାଚିତ ହେବା ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି। ‘ପୂର୍ବତନ ବିଧାୟକ ଡ. ମାଝୀଙ୍କ ହିଂସ୍ରକ ଚେଷ୍ଟା ଫେଲ୍ ମାରିଛି ଓ ଧର୍ମର ଜୟ ହୋଇଛି’ ବୋଲି ନବ ନିର୍ବାଚିତା ଅଧ୍ୟକ୍ଷା କୁଞ୍ଜଲତା ଗଣମାଧ୍ୟମକୁ ନିଜ ବିଜୟ ସନ୍ଦେଶ ଦେଲା ବେଳେ କହିଛନ୍ତି।

କୁଞ୍ଜଲତା ୨୦୦୭ ଓ ୨୦୧୨ରେ ଅଧ୍ୟକ୍ଷା ନିର୍ବାଚିତା ହୋଇଥିବା ବେଳେ ତ୍ରିବେଣୀ ୨୦୧୭ରେ ଅଧ୍ୟକ୍ଷା ଆସନ ପାଇଥିଲେ। ୨୦୧୯ ନିର୍ବାଚନରେ ପ୍ରଫୁଲ୍ଲ ତଳସରା ବିଧାନସଭାରୁ ପରାଜିତ ହେବା ପରେ ନିଜ ଧର୍ମପତ୍ନୀଙ୍କ ସହ ୬ ମାସ ତଳେ ବିଜେଡିରେ ସାମିଲ ହୋଇଥିଲେ। କିନ୍ତୁ ସ୍ଥାନୀୟ ବିଜେଡି ତାଙ୍କୁ ଗ୍ରହଣ କରି ପାରି ନଥିଲା। ତାର କିଛି ଝଲକ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଥିଲା। ପ୍ରଫୁଲ୍ଲଙ୍କ ପତ୍ନୀ ତ୍ରିବେଣୀ ତଳସରା ପଞ୍ଚାୟତ ସମିତିସଭ୍ୟା ଭାଥବେ ନିର୍ବାଚନ ଲଢ଼ୁଥିବା ବେଳେ ଦଳର କିଛି ନେତା ତାଙ୍କ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲେ। ଯାହାକୁ ନେଇ ପ୍ରଫୁଲ୍ଲ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ବିଜେଡି ନେତାମାନଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା। ତେବେ ତ୍ରିବେଣୀ ବିଜୟୀ ହୋଇ ଅଧକ୍ଷା ଆସନ ପାଇଁ ପାଦ ବଢ଼ାଇଥିଲେ। କିନ୍ତୁ ସେପଟେ ବିଜେଡିର କୁଞ୍ଜଲତା ଭିତିରିଆ ମଧ୍ୟ ଅଧ୍ୟକ୍ଷା ଆଶାୟୀ ଭାବେ ମୈଦାନକୁ ଓହ୍ଲାଇ ପଞ୍ଚାୟତ ଭୋଟଗଣତି ପରଠାରୁ ୧୦ ଜଣ ସମିତିସଭ୍ୟଙ୍କୁ ନେଇ ଅଜ୍ଞାତବାସରେ ଚାଲିଯାଇଥିଲେ।

ଅନ୍ୟପଟେ ପ୍ରଫୁଲ୍ଲ ମଧ୍ୟ ୮ ଜଣ ସମିତିସଭ୍ୟଙ୍କୁ ଗୋପନସ୍ଥାନରେ ରଖି କୁଞ୍ଜଲତା ନେଇଥିବା ସମିତିସଭ୍ୟଙ୍କୁ କୌଣସି ମତେ ନିଜ ସମର୍ଥନରେ ଆଣିବାକୁ କସରତ ଆରମ୍ଭ କରି ଦେଇଥିଲେ। ଶନିବାର ଅଧ୍ୟକ୍ଷ ନିର୍ବାଚନ ଥିବାରୁ ଜଗତସିଂପୁରରେ ଅଜ୍ଞାତବାସରେ ଥିବା କୁଞ୍ଜଲତା ଶୁକ୍ରବାର ସକାଳେ ଟ୍ରାଭେଲର ଓ ସ୍କୋର୍ପିଓ ଗାଡ଼ିରେ ୧୦ ସମିତିସଭ୍ୟଙ୍କ ସମେତ ୨୫ ଜଣ ସମର୍ଥକଙ୍କ ସହ ସୁନ୍ଦରଗଡ଼ ଫେରୁଥିଲେ। ଠିକ୍ ଏହି ସମୟରେ ଜଗତସିଂପୁରରୁ ଗାଡି ନଂ ଓଡି- ୦୨-ଏଏମ୧୨୪୦ ସହ ଅନ୍ୟ ଦୁଇଟି ଗାଡ଼ିରେ ଡ. ମାଝୀ ଓ ତାଙ୍କ ସମର୍ଥକ ତାଙ୍କୁ ପିଛା କରିଥିଲେ ବୋଲି କୁଞ୍ଜଲତା ଅଭିଯୋଗ କରିଛନ୍ତି। ସନ୍ଧ୍ୟା ୬ଟାରେ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବାଉଁଶୁଣି ନିକଟ ଏନଏଚ ୫୭ ସିଙ୍ଗାରି ଛକରେ ହଠାତ ପଛପଟୁରୁ ପିଛା କରୁଥିବା ୩ଟି ଗାଡ଼ିରୁ ସେମାନଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରାଯାଇଥିଲା। ପରେ ଗାଡ଼ିଗୁଡ଼ିକୁ ଅଟକାଇ କିଛି ଲୋକ ବନ୍ଧୁକ ଦେଖାଇ ୩ ସମିତିସଭ୍ୟ ବିନୟ, ପ୍ରଫୁଲ୍ଲ, ସୁରେଶ କିଏ ବୋଲି ପଚାରିଥିଲେ। କିନ୍ତୁ ଭୟରେ କେହି ପରିଚୟ ଦେଇ ନଥିଲେ। ଏହା ପରେ ସେମାନେ କୁଞ୍ଜଲତା ଭିତିରିଆଙ୍କ ଭାଇ ରଞ୍ଜନ ମାଝୀ ଓ ଦିଅର ବିଶ୍ବଜିତ ଭିତିରିଆଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ।

ଗୁଳିମାଡ଼ରେ ଟ୍ରାଭେଲର ଗାଡ଼ି ଭାଙ୍ଗି ଯାଇଥିଲା। ଘଟଣା ପରେ ବୌଦ୍ଧ ଓ ସୋନପୁର ପୁଲିସକୁ ଖବର ଦିଆଯାଇଥିଲା। ବୌଦ୍ଧ ଏସଡିପିଓ ଆନନ୍ଦବର୍ଦ୍ଧନ ଗୁରୁଙ୍କ ସମେତ ବାଉଁଶୁଣି ପୁଲିସ ଘଟଣାର ଛାନଭିନ ଚଲାଇଥିଲେ। ଘଟଣା ପରେ ଭୟଭୀତ କୁଞ୍ଜଲତା ଓ ସମିତିସଭ୍ୟମାନେ ପୁଲିସ ସୁରକ୍ଷା ବଳୟରେ ସୁନ୍ଦରଗଡ଼ ପହଞ୍ଚି ମତଦାନ ପ୍ରକ୍ରିୟାରେ ଭାଗ ନେଇଥିଲେ। କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଏସପି ସାଗରିକା ନାଥଙ୍କ ଉପସ୍ଥିତିରେ ଏସଡିପିଓ ମଧୁସିକ୍ତା ମିଶ୍ରଙ୍କ ନେତୃତ୍ବରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। କୁଞ୍ଜଲତାଙ୍କ ବିଜୟରେ ସ୍ଥାନୀୟ ବିଜେଡି ଶିବିରରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଥିଲା। ବିଜୟ ଶୋଭାଯାତ୍ରା ବେଳେ ବିଜେଡି ସମର୍ଥକ ପ୍ରଫୁଲ୍ଲଙ୍କ ବିରୋଧରେ ନାରାବାଜି କରିଥିଲେ। ଜିଲ୍ଲା ପରିଷଦ ନିର୍ବାଚନରେ ଅଭୂତପୂର୍ବ ବିଜୟ ହାସଲ କରିଥିବା ବିଜେଡିରେ ପଞ୍ଚାୟତସମିତି ଅଧ୍ୟକ୍ଷ ଆସନ ପାଇଁ ଏପରି ଟଣାଓଟରା ପ୍ରଶ୍ନବାଚୀ ସୃଷ୍ଟି କରିଛି।

୧୯୯୭ରେ ଅଧ୍ୟକ୍ଷ ପ୍ରାର୍ଥୀ ବିନୟ ଅପହୃତ ହୋଇଥିଲେ
ଅଧ୍ୟକ୍ଷ ଆସନ ପାଇଁ ଗୁଳିଚାଳନା ଓ ପ୍ରାର୍ଥୀ, ସମର୍ଥକଙ୍କୁ ଅପହରଣ ଘଟଣା ବାଲିଶଙ୍କରାରେ ପ୍ରଥମ ନୁହେଁ। ଏହା ପୂର୍ବରୁ ୧୯୯୭ରେ ତତ୍କାଳୀନ କଂଗ୍ରେସ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ବିନୟ ଟପ୍ପୋ ନିର୍ବାଚନ ଦିନ ବିରୋଧୀ ବିଜେପି ସମର୍ଥକଙ୍କ ଦ୍ବାରା ବନ୍ଧୁକମୁନରେ ଅପହୃତ ହୋଇଥିଲେ। ବିଜେପିର ସହଦେବ ଖାଖାଙ୍କ ସମର୍ଥକମାନେ ତାଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ପରେ ଜିଲ୍ଲା ପୁଲିସ ତାଙ୍କୁ ବଡ଼ଗାଁରୁ ଉଦ୍ଧାର କରି ଆଣିବା ପରେ ସେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର