ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ବିଜେଡି ଦଳର ସ୍ଥିତି ମଜବୁତ ରହିଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଆଉ ପାଦେ ଆଗକୁ ଯାଇ ୯ ଗୋଟି ଜିଲ୍ଲା ପରିଷଦ ଆସନରୁ ୯ ଗୋଟିରେ ବିଜୟୀ ହେବ। ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ନବ ବାବୁ ଯେଉଁ ସଫଳତା ଆଣିଥିଲେ ଏବେ ସେ ବିଜେଡିକୁ ଆସିବା ପରେ ସେହି ସଫଳତା ଅନେକ ଗୁଣ ବୃଦ୍ଧି ପାଇଛି ବୋଲି ବିଜେଡି ଦଳର ବରିଷ୍ଠ ଉପ ସଭାପତି ତଥା ପର୍ଯ୍ୟବେକ୍ଷକ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Advertisment

ଆଜି ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୌମ୍ୟରଞ୍ଜନ ପଟ୍ଟନାୟକକହିଥିଲେ ଯେ, ବିଜେଡି ଜିଲ୍ଲା ସଭାପତି ବିଧାୟକ କିଶୋର ମହାନ୍ତି ଓ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବଳିଷ୍ଠ ନେତୃତ୍ବ ଜିଲ୍ଲା ସଂଗଠନକୁ ଅଧିକ ଶକ୍ତିଶାଳୀ କରିଛି। ଜିଲ୍ଲା ପର୍ଯ୍ୟବେକ୍ଷକ ସାଂସଦ ସୁବାସ ସିଂ କହିଥିଲେ ଯେ, ଦଳ ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ଆହୁରି ଆଗକୁ ଯିବ ଓ ସଂଗଠିତ ହେବ। ସଭାପତି କିଶୋର ମହାନ୍ତି କହିଥିଲେ ଯେ, ଆଜିର କାର୍ଯ୍ୟକାରିଣୀ ବୈଠକ ସଫଳ ହୋଇଛି। ଏହି ବୈଠକରେ ନବୀନ ବାବୁଙ୍କ ଲୋକାଭିମୂଖୀ କାର୍ଯ୍ୟକ୍ରମ ସଂପର୍କରେ ଓ ଦଳର ସାଂଗଠନିକ ବ୍ୟାପାର ସଂପର୍କରେ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ସୌମ୍ୟରଞ୍ଜନ ପଟ୍ଟନାୟକ , ସୁବାସ ସିଂ ଓ ମନ୍ତ୍ରୀ ନବକିଶୋର ଦାସ  କର୍ମକର୍ତ୍ତାମାନଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିବାରୁ  ସେ ଧନ୍ୟବାଦ ଜ୍ଞାପନ କରିଥିଲେ।

ସକାଳେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ସଭାପତି କିଶୋର ମହାନ୍ତି ସଭାପତିତ୍ବ କରିଥିଲେ। ଜିଲ୍ଲା ସଂପାଦକ ବିଶ୍ବନାଥ ନାୟକ ସଂଯୋଜନା କରିଥିବା ବେଳେ ରାଜ୍ୟ ଉପସଭାନେତ୍ରୀ ସାଧନା ସାମନ୍ତରାୟ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପରିଷଦ ସଦସ୍ୟ ତାପସ ରାୟ ଚୌଧୁରୀ, ନଗର ସଭାପତି ସନ୍ଦୀପ ଅଗସ୍ତି, ଉପସଭାପତି ରାଜୁ ପାଣିଗ୍ରାହୀ, ରଘୁମଣି ପଟେଲ, ମିନତି ନାଏକ, ରବିରତ୍ନ ପ୍ରଧାନ, ମିତ୍ରଭାନୁ ସାହୁ, ଜୟକୁମାରୀ ପଟେଲ, ନନ୍ଦକିଶୋର ଅଗ୍ରୱାଲ, ଜଗନ୍ନାଥ ଜେନା, କିର୍ମିରା ବ୍ଲକ ଅଧ୍ୟକ୍ଷ ତେଜରାଜ ସାହୁ, ଲଇକେରା ବ୍ଲକ ଅଧ୍ୟକ୍ଷା ରୋଜାଲିନ ପଟେଲ, ବିଜେଡି ସମସ୍ତ ବ୍ଲକ ସଭାପତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଯୁବ ସଭାପତି ପ୍ରଶାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।