ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବା ସହ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀକୁ କ୍ଲିନ ସ୍ବିପ କରିଛି। ଜିଲ୍ଲାରେ ରହିଥିବା ୭ଟି ଯାକ ବ୍ଲକରେ ବିଜେଡିର ସମର୍ଥିତ ପ୍ରାର୍ଥୀ ମାନେ ବିଜୟୀ ହୋଇଛନ୍ତି। ମାଲକାନଗିରି ସଦର ବ୍ଲକରେ ଗୋରି ପଡିଆମି ଅଧ୍ୟକ୍ଷ ପଦବୀ ହାତେଇଥିବା ବେଳେ କାଲିମେଳା ବ୍ଲକରେ ସୁବାଷିନୀ ସୋଡି, ପଡିଆ ବ୍ଲକରେ ଯମୁନା ମୁଚାକି, ମାଥିଲି ବ୍ଲକରେ ମହେଶ ପ୍ରସାଦ ବାକା, ଖଇରପୁଟ ବ୍ଲକରେ ବିଘ୍ନ କିରସାନି, ଚିତ୍ରକୋଣ୍ଡା ବ୍ଲକରେ ରାଜେଶ୍ବରୀ ଖିଲ ଏବଂ କୋରକୋଣ୍ଡା ବ୍ଲକରେ ଜିତୁ ବୁରୁଡି ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। ଜିଲ୍ଲାରେ ବିଜେଡି ମହଲରେ ଖୁସିର ଲହରି ଖେଳି ଯାଇଛି। ମାଲକାନଗିରି ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇଥିବା ବିଜେଡି ଏଥର କଣ ଏମିତି ଯାଦୁ କଲା ଯେ ଲୋକେ ବିଜେଡିକୁ ହିଁ ପ୍ରଥମ ପସନ୍ଦ କଲେ। ତେବେ ଏହି ସଫଳତା ପଛରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ପ୍ରଦୀପ ମାଝିଙ୍କ ନେତୃତ୍ବ ବୋଲି କୁହାଯାଉଛି। ଏମାନଙ୍କ ସହ ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥୀ ବେହେରା, ପ୍ରକାଶ ଡାଙ୍ଗ, ପ୍ରକାଶ ମହାନ୍ତି ପ୍ରମୁଖ ରହିଛନ୍ତି।
ତେବେ ପଞ୍ଚାୟତ ନିର୍ବାଚନରେ ବିଜେଡି ଯେଉଁ ସଫଳତା ପାଇଛି ତାହା ପୌର ନିର୍ବାଚନରେ ମଧ୍ୟ ଦୋହରାଇବ ବୋଲି ଆଶା ପ୍ରକଟ କରିଛି। ପଞ୍ଚାୟତ ନିର୍ବାଚନରେ ଯେଉଁ ଫର୍ମୁଲା ପ୍ରୟୋଗ କରାଯାଇଥିଲା ପୌର ନିର୍ବାଚନରେ ମଧ୍ୟ ବିଜେଡି ସେହି ସମାନ ଫର୍ମୁଲା ବ୍ୟବହାର କରିବ ବୋଲିଲ ଜଣାପଡିଛି। କିନ୍ତୁ କଂଗ୍ରେସ ଏବଂ ବିଜେପି ମଧ୍ୟ ଟକ୍କର ଦେବେ ବୋଲି ଆଲୋଚନା ଜୋର ଧରିଛି। ଆସନ୍ତାକାଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ନେଇ ନିର୍ବାଚନ ହେବ। ତେବେ ବିଜେଡିରେ କିଏ ଅଧ୍ୟକ୍ଷ ପଦବୀରେ ବସିବ ସେନେଇ କଳ୍ପନା ଜଳ୍ପନା ଚାଲିଛି। ଜିଲ୍ଲା ପରିଷଦ, ବ୍ଲକ ଅଧ୍ୟକ୍ଷ ଗୁଡିକ ହାତେଇବା ପରେ ପୌରାଧ୍ୟକ୍ଷ ଏବଂ ସମସ୍ତ ୧୯ଟି ୱାର୍ଡରେ କାଉନସିଲର ମଧ୍ୟ ବିଜେଡି ହାତେଇବ ବୋଲି ଯୁକ୍ତି ବାଢିଛି। ତେବେ ପୌର ନିର୍ବାଚନରେ ବିଜେଡିର ଏହି ବଜୟଧାରା ଜାରି ରହୁଛି କି ନାହିଁ ଦେଖିବାକୁ ବାକି ରହିଲା।