ତିର୍ତ୍ତୋଲ ଉପନିର୍ବାଚନ ଗଣତି ସରିଲା : ବିଜେଡିର ବିଜୟ ଶଙ୍କର ୪୧,୭୦୩ ଭୋଟ୍‌ରେ ଆଗୁଆ, ଆନୁଷ୍ଠାନିକ ବିଜୟ ଘୋଷଣାକୁ ଅପେକ୍ଷା

ବିଜେଡି ପାଇଲା ୮୮,୩୧୦ଟି ଭୋଟ୍‌, ପ୍ରତିନ୍ଦ୍ୱନ୍ଦ୍ୱୀ ବିଜେପିକୁ ୪୬,୬୦୭ଟି ଭୋଟ୍‌

ଜଗତ୍‌ସିଂହପୁର: ତିର୍ତ୍ତୋଲ ବିଧାନସଭା ଲାଗି ଅନୁଷ୍ଠିତ ଉପନିର୍ବାଚନରେ ବିଜୁ ଜନତା ଦଳ ବାଜିମାତ୍‌ କରିଛି । ଯଦିଓ ବିଜେଡିର ବିଜୟ ସୁନିଶ୍ଚିତ ହୋଇଛି ତେବେ  ନିର୍ବାଚନ ଅଧିକାରୀଙ୍କ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ଏହି ବିଜୟ ଫଳରେ ତିର୍ତ୍ତୋଲ ଆସନ ପୁଣି ଥରେ ବିଜେଡି ପାଖକୁ ଫେରିଯାଇଛି । ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଦିବଂଗତ ବିଷ୍ଣୁଚରଣ ଦାସଙ୍କ ପୁତ୍ର ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ପରାସ୍ତ କରିବା ନିଶ୍ଚିତ ହୋଇଛି। ବିଜେଡି ବିଜେପି ଠାରୁ ୪୧,୭୦୩ଟି ଭୋଟରେ ଆଗୁଆ ରହିଛି । ବିଜୟ ଶଙ୍କରଙ୍କୁ ୮୮,୩୧୦ଟି ଭୋଟ୍‌ ମିଳିଥିବା ବେଳେ ରାଜକିଶୋର ବେହେରାଙ୍କୁ ୪୬,୬୦୭ଟି ଭୋଟ୍‌ ମିଳିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୮,୭୭୮ଟି ଭୋଟ୍‌ ପାଇଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଥମେ ତିର୍ତ୍ତୋଲରେ ୨୭ ରାଉଣ୍ଡରେ ଗଣତି କରାଯିବ ବୋଲି ସ୍ଥିର ହୋଇଥିଲେ ହେଁ ପରେ ତାହା ୨୯ ରାଉଣ୍ଡକୁ ବଢ଼ିଥିଲା।

୨୦୧୯ରେ ତିର୍ତ୍ତୋଲ ବିଧାୟକ ଭାବେ ବିଷ୍ଣୁଚରଣ ଦାସ ନିର୍ବାଚିତ ହୋଇଥିଲେ। ଏହାର କିଛିଦିନ ପରେ ଅସୁସ୍ଥତା ହେତୁ ତାଙ୍କର ପରଲୋକ ଘଟିଲା। ଫଳରେ ଖାଲି ପଡ଼ିଥିବା ତିର୍ତ୍ତୋଲ ଆସନ ଲାଗି  ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବିଜେଡି ପକ୍ଷରୁ ସ୍ବର୍ଗତଃ ଦାସଙ୍କ ପୁତ୍ର ବିଜୟଶଙ୍କରଙ୍କୁ ପ୍ରାର୍ଥୀ କରାଯାଇଥିଲା। ଗତ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ଭୋଟର ଫଳାଫଳ ଆଜି ପ୍ରକାଶିତ ହୋଇଛି।  ଏହି ନିର୍ବାଚନରେ ତିର୍ତ୍ତୋଲବାସୀ ଅନୁକମ୍ପା ପ୍ରଦର୍ଶନ କରିବା ସହ  ବିଜେଡି ଉପରେ ପୁନଃଆସ୍ଥା ପ୍ରକଟ କରିଛନ୍ତି।  ତିର୍ତ୍ତୋଲରେ ବିଜୟ ଶଙ୍କର ବିଜୟୀ ହେବା ପରେ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖାଯାଇଛି।

ସୂଚନାଯୋଗ୍ୟ, ୨୦୧୯ ବିଧାନସଭା ନିର୍ବାଚନରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ମତଦାତା ବିଜୟ ଶଙ୍କର ଦାସଙ୍କ ସ୍ୱର୍ଗତ ପିତା ବିଷ୍ଣୁ ଚରଣ ଦାସଙ୍କୁ ବିପୁଳ ସମର୍ଥନ ଜଣାଇଥିଲେ। ୨୦୧୯ ତିର୍ତ୍ତୋଲ ନିର୍ବାଚନରେ ବିଷ୍ଣୁ ଦାସ ୫୪.୧୮ ପ୍ରତିଶତ ଅର୍ଥାତ ୯୩୯୭୬ ଭୋଟ୍‌ ପାଇଥିଲେ। ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ୩୦.୯୦ ପ୍ରତିଶତ ଅର୍ଥାତ ୫୩୫୧୮ ଭୋଟ, କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ମଲ୍ଲିକଙ୍କୁ ୧୩.୭୩ ପ୍ରତିଶତ ଅର୍ଥାତ ୨୩,୮୦୯ ଭୋଟ୍‌, ନୋଟାରେ ୦.୬୬ ପ୍ରତିଶତ ଓ ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ରବୀନ୍ଦ୍ର ନାଥ ସେଠୀଙ୍କୁ ୦.୫୩ ପ୍ରତିଶତ ଅର୍ଥାତ ୯୩୨ ଭୋଟ ମିଳିଥିଲା।

ସମ୍ବନ୍ଧିତ ଖବର