ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ଓ ଗୁଣ୍ଡାରାଜ ବିରୋଧରେ ବିଜେପିର ବିକ୍ଷୋଭ

ଖୋର୍ଦ୍ଧା: ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଚାଲୁଥିବା ଦୁର୍ନୀତି ଓ ଏନେଇ ପ୍ରତିବାଦ କରୁଥିବା ଦଳିତ ଲୋକଙ୍କ ଉପରେ ବିଜେଡି ବିରୋଧରେ ଆଜି ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ମଧ୍ୟାହ୍ନ ୧୨ଟାରେ ବିଜେପିର ନେତା ଓ କର୍ମୀମାନେ ସ୍ଥାନୀୟ ନୂଆ ବସ୍‌ଷ୍ଟାଣ୍ତ ଠାରୁ ଏକ ରାଲିରେ ବାହାରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶାସକ ବିଜେଡିର ଗୁଣ୍ଡାରାଜକୁ ତୀବ୍ର ସମାଲୋଚନା କରିଥିଲେ। ଅନୁସୂଚିତ ମୋର୍ଚ୍ଚା ସଭାପତି ଶିବ ମଲ୍ଲିକ କହିଥିଲେ ଯେ ଜଗତସିଂହପୁର ଜିଲ୍ଲା ନାଉଗାଁରେ ମନରେଗା ମଜୁରୀ ପ୍ରଦାନରେ ଅନିୟମିତତା ନେଇ ଧାରଣାରେ ବସିଥିବା ଦଳିତ ମହିଳାଙ୍କ ଉପରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନିର୍ଦେଶରେ  ଆକ୍ରମଣ ହୋଇଛି।

ଏନେଇ ଜୁଲାଇ ୨୮ ତାରିଖରେ ମହିଳାମାନେ ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ଆକ୍ରମଣକାରୀଙ୍କୁ ଧରିବା ବଦଳରେ ଅଭିଯୋଗ କରିଥିବା ମହିଳାଙ୍କ ଉପରେ ମାମଲା ରୁଜୁ କରାଯାଇଛି। ସେହିଭଳି କେନ୍ଦ୍ରାପଡ଼ାରେ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ନେଇ ମୁହଁ ଖୋଲିଥିବା ନବକିଶୋର ମଲ୍ଲିକ ଓ ତାଙ୍କ ପରିବାର ଉପରେ ଜୁଲାଇ ୧ ତାରିଖରେ ସ୍ଥାନୀୟ ବିଧାୟକ ପ୍ରତାପ ଦେଓଙ୍କ ନିର୍ଦେଶରେ ଗୁଣ୍ଡାମାନେ ଆକ୍ରମଣ କରିଛନ୍ତି। ଏନେଇ ନବକିଶୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇନାହିଁ। ଏପରିକି ଜୁଲାଇ ୧୫ ରୁ ୨୧ ତାରିଖ ୭ ଦିନ ଧରି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଧାରଣା ଦିଆଯାଇଥିଲା।

ଏହି ସମୟରେ ଆକ୍ରମଣକାରୀଙ୍କୁ ଗିରଫ, ସେମାନଙ୍କ ପରିବାରକୁ ସୁରକ୍ଷା ଆଦି ଦେବା ପାଇଁ ଏସ୍‌ପି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ପ୍ରତିଶ୍ରୁତି ପାଳନ ହେଲା ନାହିଁ ଶେଷରେ ଆକ୍ରମଣକାରୀଙ୍କ ଭୟରେ ଏବେ ନବ କିଶୋର ଗାଁ ଛାଡ଼ି ଅନ୍ୟତ୍ର ରହୁଛନ୍ତି। ବିଜେପି ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ମହାପାତ୍ର କହିଛନ୍ତି ଯେ ବିଜେଡିର ଏଭଳି ଗୁଣ୍ଡାରାଜ ବିରୋଧରେ ଆଜି ଖୋର୍ଦ୍ଧା ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ଦିଆଯାଇଛି। ଏଥିରେ ଆକ୍ରମଣକାରୀଙ୍କୁ ଗିରଫ ଓ ମନରେଗା ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନାର ପ୍ରକୃତ ହିତାଧିକାରୀଙ୍କୁ ଯୋଜନାର ସୁବିଧା ଯେଭଳି ମିଳିବ ସେନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି। ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡାୟତରାୟ, ଦିବାକର ଭୋଇ, ପ୍ରତାପ ଚନ୍ଦ୍ର ମହାପାତ୍ର, ସିଧେଶ୍ବର ନାଥ, ରଶ୍ମିତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର