ବିଜେଡି ପ୍ରାର୍ଥୀଙ୍କ ତିନି ସନ୍ତାନ ଥିବା ଅଭିଯୋଗ କରି ବିଜେପିର ଧାରଣା  

ଖୋର୍ଦ୍ଧା: ପୌର ପରିଷଦ ନିର୍ବାଚନର ପ୍ରଚାରର ଉଷ୍ମତା ଆରମ୍ଭ ହୋଇନାହିଁ, କିନ୍ତୁ ଶାସକ ଦଳକୁ ପ୍ରଶାସନ ସହାୟତା କରୁଥିବା ଅଭିଯୋଗ ନେଇ ବିପକ୍ଷ ଦଳର ବିରୋଧ ଆରମ୍ଭ ହୋଇଯାଇଛି । ୧୧ ନମ୍ବର ୱାର୍ଡ଼ର ବିଜେଡି ପ୍ରାର୍ଥିନୀଙ୍କ ତିନିଟି ସନ୍ତାନ ଥିଲେ ମଧ୍ୟ ନିର୍ବାଚନ ଅଧିକାରୀ (ରିଟର୍ଣ୍ଣିଂ ଅଧିକାରୀ) ଜାଣିଶୁଣି ନାକଚ କରିନଥିବା ଅଭିଯୋଗ କରି ବିଜେପି ପକ୍ଷରୁ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

ଆଜି ଅପରାହ୍ଣରେ ୧୧ ନମ୍ବର ୱାର୍ଡ଼ର ବିଜେପି ପ୍ରାର୍ଥିନୀ ସୃଷ୍ଟି ମାଝି ଖୋର୍ଦ୍ଧା ପୌର ପରିଷଦର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ରିଟର୍ଣ୍ଣିଂ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ । ଅଭିଯୋଗରେ ଦର୍ଶାଇଥିଲେ ଯେ ବିଜେଡି ପ୍ରାର୍ଥିନୀ ରଜନୀ ନାୟକଙ୍କ ୩ଟି ସନ୍ତାନ ରହିଛି ଓ ସମସ୍ତ ସନ୍ତାନ ୧୯୯୫ ପରେ ଜନ୍ମ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଥମ ସନ୍ତାନ ସତ୍ୟ ନାୟକ ୨୦ ଜୁଲାଇ ୧୯୯୮, ଦ୍ୱିତୀୟ ସନ୍ତାନ ପ୍ରଶାନ୍ତ ନାୟକ ୬ ଜୁଲାଇ ୧୯୯୯ ଓ ତୃତୀୟ ସନ୍ତାନ ପ୍ରସନ୍ନ ନାୟକ ୯ ଅପ୍ରିଲ୍ ୨୦୦୨ରେ ଜନ୍ମ ହୋଇଛନ୍ତି ।

ଏନେଇ ସେ ସୂଚନା ଅଧିକାରୀ ଆଇନରେ ତିନିଜଣ ପଢ଼ୁଥିବା ଫରେଷ୍ଟ କଲୋନି ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକଙ୍କ ସ୍ୱାକ୍ଷର ଓ ସିଲ ଥିବା ତଥ୍ୟ ପ୍ରମାଣ ସହ ସଂଲଗ୍ନ କରିଥିଲେ । କିନ୍ତୁ ରିଟର୍ଣ୍ଣିଂ ଅଧିକାରୀ ଏହି ତଥ୍ୟ ଆଇନତଃ ଗ୍ରହଣୀୟ ନୁହେଁ ଏଥିପାଇଁ କୋର୍ଟର ଦ୍ୱାରସ୍ଥ ହେବା ପାଇଁ କହିଥିଲେ । ଏହାପରେ ସଂଧ୍ୟା ପ୍ରାୟ ୭ଟା ବେଳେ ବିଜେପିର ଜିଲ୍ଲା ସଭାପତି ରଶ୍ମୀ ରଂଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡାୟତରାୟ, ନିକୁଂଜ ପଟ୍ଟନାୟକ, ବିଜେପି ଅଧ୍ୟକ୍ଷା ପ୍ରାର୍ଥୀ କୁନିଲତା ସ୍ୱାଇଁ ଓ ଅନ୍ୟ କାଉନ୍ସିଲର ପ୍ରାର୍ଥୀମାନେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପରେ ଏସ୍ଡିପିଓ ସୁଶୀଲ ମିଶ୍ର, ଥାନା ଅଧିକାରୀ ସଂଜୟ ପଟ୍ଟନାୟକ ପ୍ରମୁଖ ଧାରଣାସ୍ଥଳରେ ପହଂଚି ସେମାନଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ।

ଘଟଣା ସମ୍ପର୍କରେ ସୂଚନା ଦେଇ ବିଜେପି ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର କହିଛନ୍ତି ଯେ ପଂଚାୟତ ନିର୍ବାଚନରେ ପ୍ରାଶାସନିକ ଅଧିକାରୀ ବିଜେଡିର ଏଜେଂଟ୍ ଭଳି କାର୍ଯ୍ୟ କରିଥିଲେ । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅନେକ ଥର ଅଭିଯୋଗ କରାଯାଇଛି । ବର୍ତମାନ ପୌର ନିର୍ବାଚନରେ ଅନୁରୂପ ଭାବେ ସରକାରଙ୍କ ସୂଚନା ଅଧିକାର ଆଇନର ତଥ୍ୟକୁ ମଧ୍ୟ ଗ୍ରହଣ କରିନାହାନ୍ତି । ଅଧିକାରୀ କହିଛନ୍ତି ଯେ ପ୍ରାର୍ଥୀପତ୍ର ନାକଚ କରିବାର ଅଧିକାର ତାଙ୍କର ନାହିଁ, ଏହା ନିର୍ବାଚନ ଟ୍ରିବୁନାଲ୍ ହିଁ କରିପାରିବ । ଏଣୁ ସେମାନେ ଆସନ୍ତାକାଲି ଏନେଇ ଟ୍ରିବୁନାଲ୍ଙ୍କ ଠାରେ ମାମଲା ଦାଏର କରିବେ ।

ସମ୍ବନ୍ଧିତ ଖବର