ଧାମନଗର ଉପନିର୍ଵାଚନରେ ବିଜୟ ଆଶାକୁ ନେଇ ଏଭଳି କହିଲେ ବିଜେଡି ଓ ବିଜେପି

ଭୁବନେଶ୍ୱର: ବିଜେଡି ସବୁବେଳେ ଲୋକଙ୍କ ସହ ରହିଛି । ତେଣୁ ବାଲେଶ୍ଵର ଉପନିର୍ବାଚନ ଭଳି ଏଥର ବି ବିଜେଡିର ଏକତରଫା ବିଜୟ ହେବ । ପ୍ରାର୍ଥୀ ଚୟନକୁ ନେଇ କେବେ ବି ଅଡୁଆ ହେବ ନାହିଁ। ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ ତାଙ୍କ ପାଇଁ ଦଳର ସମସ୍ତ କର୍ମୀ ପ୍ରଚାର କରିବେ । ଭାରତୀୟ ରାଜନୀତିରେ ସିମ୍ପାଥି ରହି ଆସିଛି । ମାତ୍ର ଯଦି କେହି ଲୋକଙ୍କ ପାଇଁ କାମ କରୁଥିବ ତେବେ ଅନୁକମ୍ପା ଥିବା ସତ୍ତ୍ୱେ ନିର୍ବାଚନ ନିଶ୍ଚିତ ଜିତିହେବ । ଆଉ ଏଠି ବି ଆମେ ବାଲେଶ୍ଵର ଭଳି ବିଜୟ ହାସଲ କରିବୁ।

ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ଧାମନଗର ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ସେ କହିଛନ୍ତି, ଧାମନଗର ଆସନ ବିଜେପିର ଥିଲା। ଧାମନଗରରେ ୱାର୍ଡ ସ୍ତର ପର୍ଯ୍ୟନ୍ତ ଦଳର ସଙ୍ଗଠନ ଅଛି। ଆଉ ନୂଆ କିଛି କରିବାକୁ ପଡ଼ିବ ନାହିଁ। ଲଢେଇ ଜୋରଦାର ହେବ। ଏଠାରେ ବିଜେପିର ବିଜୟ ନିଶ୍ଚିତ। ସୂଚନା ଥାଉ କି ଆଗାମୀ ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ହେବ। ଏନେଇ ଭାରତର ନିର୍ବାଚନ କମିସନଙ୍କ ସଚିବ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଅକ୍ଟୋବର ୧୪ ତାରିଖ ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ୧୫ ତାରିଖରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ। ଠିକ୍ ସେହିପରି ୧୭ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ନଭେମ୍ବର ୬ ତାରିଖରେ ଧାମନଗର ଉପନିର୍ବାଚନର ଭୋଟ୍ ଗଣତି ହେବ ଏବଂ ସେହି ଦିନ ଫଳାଫଳ ଘୋଷଣା କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର