ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ପାଗଭିଡ଼ା, ଜନ ଆଶୀର୍ବାଦ ଯାତ୍ରାରୁ ବାଜିବ ବିଗୁଲ୍

ଟାର୍ଗେଟରେ କୋରାପୁଟ, ନବରଙ୍ଗପୁର ଲୋକସଭା ଆସନ, ୨୦ରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଅବିଭକ୍ତ କୋରାପୁଟ ଗସ୍ତ

ରାୟଗଡ଼ା: ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ। ସରକାରୀସ୍ତରରେ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହେବା ପରେ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କଲେଣି ଶାସକ, ବିରୋଧୀ। ୩ ମାସ ମଧ୍ୟରେ ପଞ୍ଚାୟତରେ ବିକାଶ ଆଖିଦୃଶିଆ କରିବାକୁ ରାଜ୍ୟ ସରକାର ବିଡ଼ିଓଙ୍କୁ ନିର୍ଦେଶ ଦେଇଛନ୍ତି। ସରକାରୀ ରଣନୀତିକୁ ତାଳ ଦେଇ ବିରୋଧୀ ବିଜେପି ଜନ ଆଶୀର୍ବାଦ ଯାତ୍ରା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରିବାକୁ ଅଣ୍ଟା ଭିଡ଼ିଛି। ଆସନ୍ତା ୨୦ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅବିଭକ୍ତ କୋରାପୁଟ ଗସ୍ତରେ ଆସି ଏହି ଯାତ୍ରାର ଶୁଭାରମ୍ଭ କରିବେ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତସ୍ତରରେ ସଂଗଠନ ସଜାଡ଼ିବାକୁ ଲକ୍ଷ୍ୟ ରଖିଛି ବିଜେପି। କୋରାପୁଟ, ନବରଙ୍ଗପୁର ଲୋକସଭା ଅଧୀନରେ ଥିବା ସମସ୍ତ ଜିଲ୍ଲା ପରିଷଦ, ବିଧାନସଭା ଆସନରେ ଭୋଟହାର ବୃଦ୍ଧି ପାଇଁ ସ୍ବତନ୍ତ୍ର ଏଜେଣ୍ଡା କରିଛି ଦଳ। ଏଥିଲାଗି ଅଗଷ୍ଟ ୨୦ରେ କେନ୍ଦ୍ରମନ୍ତ୍ରୀ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ବୁଥ୍ ଲେବଲ୍ କମିଟି, ମଣ୍ଡଳ ଓ ଜିଲ୍ଲା କମିଟି ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ। ଏଥି ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଓ ଆବାସ ପାଇଥିବା ହିତାଧିକାରୀଙ୍କ ସହ ଗାଁକୁ ଯାଇ ଆଲୋଚନା କରିବେ। ବିଜେପି ତୃଣମୂଳସ୍ତରରେ ପହଞ୍ଚିବାକୁ କ୍ୟାବିନେଟ୍ ମନ୍ତ୍ରୀଙ୍କ ଜରିଆରେ ଆଦିବାସୀ ଇଲାକାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପଦକ୍ଷେପକୁ ଶାସକ ବିଜେଡ଼ି ଓ କଂଗ୍ରେସ ଗୁରୁତର ସହ ବିଚାରକୁ ନେଇଛନ୍ତି। କେନ୍ଦ୍ର ରେଳମନ୍ତ୍ରୀଙ୍କ ଦଳୀୟ କାର୍ଯ୍ୟକ୍ରମକୁ ଚେକ୍ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ରେ ମାଲକାନଗିରି ଗସ୍ତରେ ଆସି ମେଗା ଯୋଜନାର ଶୁଭାରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲା ମଧ୍ୟରୁ ୨୦୧୭ ପଞ୍ଚାୟତ ନିର୍ବାଚନରେ କେବଳ ମାଲକାନଗିରିରେ ବିଜେପି ଜିଲ୍ଲା ପରିଷଦ ଗଠନରେ ସକ୍ଷମ ହୋଇଛି।

ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ମାଲକାନଗିରି ବିଧାନସଭାରେ ବିଜୟୀ ହୋଇଛି। ମାଲକାନଗିରି ଆସନକୁ ଛାଡ଼ିଲେ ଅନ୍ୟ ୧୩ ଆସନରେ ଦଳ ବିଜୟ ତ ଦୂରର କଥା ପ୍ରତିଦ୍ବନ୍ଦିତାକୁ ମଧ୍ୟ ଆସିପାରିନି। ୨୦୨୪ ନିର୍ବାଚନରେ ଉଭୟ କୋରାପୁଟ ଓ ନବରଙ୍ଗପୁର ଲୋକସଭା ଆସନକୁ ଦଳ ଫୋକସ୍ କରିଥିବାରୁ ତୃଣମୂଳସ୍ତରରୁ ଭୋଟହାର ବୃଦ୍ଧି କରିବାର ଯୋଜନା କରିଛି। କୋରାପୁଟ ଲୋକସଭା ଆସନରେ ବିଜେପି ୨୦୧୪ରେ ୮୯ ହଜାର ୭୮୮ ଭୋଟ ପାଇଥିବା ବେଳେ ୨୦୧୯ରେ ଭୋଟ ହାର ବୃଦ୍ଧି ପାଇ ୨ ଲକ୍ଷ ୮ ହଜାରରେ ପହଞ୍ଚିଥିଲା।

ସେହିପରି ନବରଙ୍ଗପୁର ଲୋକସଭା ଆସନରେ ମଧ୍ୟ ଦଳର ଭୋଟ ହାର ବଢ଼ିଛି। ବିଜେପି ୨୦୧୪ରେ ୧ ଲକ୍ଷ ୩୮ ହଜାର ଭୋଟ ପାଇଥିବା ବେଳେ ୨୦୧୯ ୩ ଲକ୍ଷ ୪୨ ହଜାର ଭୋଟ ପାଇଥିଲା। ଉଭୟ ଲୋକସଭା ଆସନରେ ଦଳୀୟ ସ୍ଥିତି ସୁଦୃଢ଼ ହୋଇ ଚାଲିଥିବାରୁ ବିଜେଡ଼ି, କଂଗ୍ରେସ ମଧ୍ୟ ରଣନୀତି ଆପଣାଇଲେଣି। ୨୦ରେ ମୁଖ୍ୟମନ୍ତ୍ରୀଙ୍କ ସହ ୮ ମନ୍ତ୍ରୀ ମାଲକାନଗିରି ଗସ୍ତରେ ଆସିବେ। ମୁଖ୍ୟମନ୍ତ୍ରୀ ଫେରିଯିବା ପରେ ମନ୍ତ୍ରୀ ଓ ବିଧାୟକ ୩ ଦିନ ମାଲକାନଗିରିରେ ଡେରା ପକାଇ ଗାଁକୁ ଗାଁ ବୁଲିବାର ଯୋଜନା ରହିଛି। ସେହିପରି କଂଗ୍ରେସର କୋରାପୁଟ ସାଂସଦ ସପ୍ତଗିରି ଉଲାକା କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ନିଜ ସଂସଦୀୟ ଇଲାକାକୁ ଆସୁଥିବା ସତ୍ତ୍ବେ କେନ୍ଦ୍ରମନ୍ତ୍ରୀ କୌଣସି ସୂଚନା ଦେଇନଥିବାରୁ କଳାପତାକା ଦେଖାଇବାକୁ ସପ୍ତଗିରି ଟୁଇଟରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର