ମେଣ୍ଟ୍ ନ ହେବାରୁ ବିଜେପି-ବିଜେଡି ଶିବିରରେ ଉତ୍ସାହ, ବାଣଫୁଟାଇ ଉତ୍ସବ ମନାଇଲେ ଆଶାୟୀଙ୍କ ସମର୍ଥକ

ମୁହାଁମୁହିଁ ହେବାକୁ ଅଣ୍ଟା ଭିଡ଼ିଲେ ରାଉରକେଲା ଓ ରଘୁନାଥପାଲି ଆଶାୟୀ

ରାଉରକେଲା: ମେଣ୍ଟ ସମ୍ଭାବନାର ଅବସାନ ନେଇ ଉଭୟ ବିଜେପି ଓ ବିଜେଡିର ଘୋଷଣା ପରେ ଦୁଇଦଳର ଟିକଟ ଆଶାୟୀ ବହୁମାତ୍ରାରେ ଆଶ୍ବସ୍ତ ହୋଇଛନ୍ତି। ବିଶେଷକରି ରାଉରକେଲା ଓ ରଘୁନାଥପାଲି ନିର୍ବାଚନମଣ୍ଡଳୀର ପ୍ରତ୍ୟାଶୀଙ୍କ ବଳ ଦ୍ବିଗୁଣିତ ହୋଇଛି। ମେଣ୍ଟ ହୋଇଥିଲେ କେଉଁ ନିର୍ବାଚନମଣ୍ଡଳୀ କାହା ଭାଗରେ ପଡ଼ିବ, ତାହା ଅସ୍ପଷ୍ଟ ଥିଲା। ଏବେ ଏହି ଦ୍ବନ୍ଦ୍ବରେ ବିରାମ ଲାଗିଛି।
ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ଓ ରଘୁନାଥପାଲି ନିର୍ବାଚନମଣ୍ଡଳୀ ବେଶ୍‌ ଗୁରୁତ୍ବ ବହନକରେ। ସଂପ୍ରତି ରାଉରକେଲା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଟିକଟ ଦ‌ୌଡ଼ରେ ବିଧାୟକ ସାରଦା ନାୟକ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନ ବିହାରୀ ଦାଶ ଥିବାବେଳେ ବିଜେପିରୁ ନିହାର ରାୟ, ଧୀରେନ ସେନାପତି ଆଶାୟୀ ଅଛନ୍ତି। ଏହାଛଡ଼ା ଏହି ଆସନରୁ ଆଉ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ନିର୍ବାଚନ ମଇଦାନକୁ ଓହ୍ଲାଇବାର ଚର୍ଚ୍ଚା ଜୋର୍‌ ଧରିଛି।
ଅପରପକ୍ଷରେ ରଘୁନାଥପାଲି ଆସନରେ ବିଜେଡିରୁ ବିଧାୟକ ସୁବ୍ରତ ତରାଇ, ପ୍ରଶାନ୍ତ ସେଠୀ ଓ ବିଜେପିରୁ ପ୍ରଫୁଲ୍ଲ ସୁନ୍ୟାନୀ, ଦୁର୍ଗା ତନ୍ତୀ, ଜଗବନ୍ଧୁ ବେହେରା ଦୌଡ଼ରେ ଅଛନ୍ତି। ଯଦିଓ ମେଣ୍ଟ ଚର୍ଚ୍ଚା ଭିତରେ ଆଶାୟୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଜନ ସମର୍ଥନ ହାତେଇବାରେ ମାତିଥିଲେ, କିନ୍ତୁ ଟିକଟ ମିଳିବା ନମିଳିବା ଆଶଂକା ସେମାନଙ୍କ ମୁହଁରେ ସ୍ପଷ୍ଟ ବାରିହୋଇ ପଡ଼ୁଥିଲା।
ଏବେ କିନ୍ତୁ ଏହା ଦୂର ହୋଇଥିବାରୁ ରାଜନୈତିକ ଗତିବିଧିକୁ ବ୍ୟାପକ କରିଦେଇଛନ୍ତି। ସେମାନଙ୍କ ସମର୍ଥକ ମିଠା ବାଣ୍ଟି, ବାଣଫୁଟାଇ ଉତ୍ସବ ମନାଇଛନ୍ତି। କେଉଁ ଦଳରୁ କାହାକୁ ଟିକଟ୍‌ ମିଳିବ ତାହା ସମୟ କହିବ। କିନ୍ତୁ ଉଭୟ ଆସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। କାରଣ, ଉଭୟ ନିର୍ବାଚନମଣ୍ଡଳୀର ପ୍ରମୁଖ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ନେତା, ଶ୍ରମିକ ସଂଗଠନ ସହ ସେ ଓତଃପ୍ରୋତଭାବେ ଜଡ଼ିତ। ନିକଟ ଅତିତରେ ଶ୍ରୀ ରାୟଙ୍କ ମା’ଙ୍କ ଶ୍ରାଦ୍ଧବାର୍ଷିକୀରେ ହାତଗଣତି ଜଣେ ଦୁଇଜଣ ରାଜନେତାଙ୍କ ବ୍ୟତୀତ ଜିଲ୍ଲାର ସମସ୍ତ ପ୍ରମୁଖ ଦଳର ନେତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଉକ୍ତଦିନ ଦିଲୀପ ନିଜ ଲୋକପ୍ରିୟତାକୁ ପୁନଃପ୍ରଦର୍ଶିତ କରିବାସହ ନିର୍ବାଚନ ପୂର୍ବରୁ ଏକପ୍ରକାର ଶକ୍ତି ପ୍ରଦର୍ଶନ କରିଥିଲେ।
ସମ୍ବନ୍ଧିତ ଖବର