ବିଜେଡି-ବିଜେପି ମୁହାଁମୁହିଁ: ପଶ୍ଚିମବଙ୍ଗ ବିଧାୟକଙ୍କ ଭାଷଣରେ ଉତ୍ତେଜିତ କର୍ମୀ

ବିଜେପି ଦୁଇଟି ଆସନ ହାତେଇବ: ଓସିମ ସରକାର

ମାଲକାନଗିରି: ଏମଭି-୩୭ ଗାଁରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ। ପଶ୍ଚିମବଙ୍ଗର ହରିଘାଟର ବିଧାୟକ ଓସିମ ସରକାର ଏମଭି-୩୭ ଗ୍ରାମରେ ସଭା କରୁଥିବା ବେଳେ କିଛି ବିଜେଡି କର୍ମୀ ଓସିମ ସରକାରଙ୍କୁ ବିରୋଧ କରିଥିଲେ। ଓସିମ ସରକାର ମାଲକାନଗିରି ଆସି ବଙ୍ଗୀୟମାନଙ୍କୁ ବିଭ୍ରାନ୍ତ କରିବା ସହ ମତଭେଦ ସୃଷ୍ଟି କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଥିଲା। ଏହାକୁ ନେଇ ବିରୋଧ କରିବାରୁ ଉଭୟ ବିଜେଡି ଓ ବିଜେପି କର୍ମୀ ମଧ୍ୟରେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା। ପ୍ରାୟ ୧୫ରୁ ୨୦ ମିନଟ ଧରି ଉତ୍ତେଜନା ଲାଗି ରହିଥିଲା। ଏହାପରେ ହରିଘାଟର ବିଧାୟକ ଓସିମ ସରକାର କହିଛନ୍ତି ପଶ୍ଚିମ ବଙ୍ଗରେ ଯେପରି ତୃଣମୂଳ କଂଗ୍ରେସ ଗୁଣ୍ଡାଗର୍ଦି କରୁଛି ଓଡିଶାରେ ମଧ୍ୟ ବିଜେଡି ସରକାର ସେଭଳି ଗୁଣ୍ଡାଗର୍ଦି କରୁଛି।

ନିର୍ବାଚନରେ ନିର୍ବାଚନ ଭଳି ଲଢନ୍ତୁ। ଗୁଣ୍ଡାଗର୍ଦି କରି ଭୋଟ ହାତେଇବାକୁ ଚେଷ୍ଟା କରନ୍ତୁ ନାହିଁ। ମୋର ବିଜେପିର ପ୍ରଚାରକୁ ଦେଖି ବିଜେଡି କର୍ମୀଙ୍କ ପାଦ ତଳୁ ମାଟି ଖସିଯାଉଛି। ଏଣୁ ବିଭିନ୍ନ ସ୍ଥାନରେ ମୋତେ ବିଜେଡି କର୍ମୀ ବିରୋଧ କରି ଆସୁଛନ୍ତି। ଲୋକେ ବିଜେପି ସହ ଅଛନ୍ତି ଓ ବିଜେପି ସହ ରହିବେ। ଆଜିର ତିନୋଟି ଜୋନରେ ହୋଇଥିବା ନିର୍ବାଚନରେ ବିଜେପି ଦୁଇଟିରେ ବିଜୟୀ ହେବ ବୋଲି କହିଥିଲେ। ଅପରପକ୍ଷରେ ବିଜେଡି କର୍ମୀଙ୍କ କହିବା କଥା ପଶ୍ଚିମବଙ୍ଗରୁ ଆସି ବିଜେପି ବିଧାୟକ ବିଭ୍ରାନ୍ତିକରଣ ଭାଷଣ ଦେଇ ମତଭେଦ ସୃଷ୍ଟି କରୁଛନ୍ତି, ଯାହାକୁ ନେଇ ବିରୋଧ କରାଯାଇଥିଲା।ଆଉ ବିଜେଡି ଗୁଣ୍ଡାଗର୍ଦି କରେ ନାହିଁ। ବିଜେଡିକୁ ଲୋକେ ଭଲ ପାଆନ୍ତି ଓ ବିଜେଡିକୁ ଭୋଟ ଦିଅନ୍ତି।

ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ ବଙ୍ଗୀୟ ସଂପ୍ରଦାୟର ଲୋକେ ପ୍ରାୟ ୮୦ ହଜାରରୁ ଉର୍ଦ୍ଧ୍ବ ବାସ କରୁଛନ୍ତି। ବଙ୍ଗୀୟ ଭୋଟକୁ ହାତେଇବା ପାଇଁ ବିଜେପି ଷ୍ଟାର ପ୍ରଚାରକ ଭାବେ ଗତ ଦୁଇ ଦିନ ତଳେ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କୁ ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ପଶ୍ଚମବଙ୍ଗର ବିଧାୟକ ଓସିମ ସରକାରଙ୍କୁ ମଇଦାନରେ ଓହ୍ଲାଇଥିଲା। ଓସିମଙ୍କ ଭାଷଣ ଶୁଣିବା ପାଇଁ ହଜାର ହଜାର ଲୋକେ ରୁଣ୍ଡ ହେଉଥିବା ଦେଖି ବିଜେଡି ମହଲରେ ଭାଲେଣୀ ପଡିଯାଇଥିଲା। ଓସିମ ସରକାର ଆସୁଥିବା ଶୁଣି ବିଜେଡି କର୍ମୀଙ୍କ ମହଲରେ ଏକ ପ୍ରକାର ହାରିବାର ଭୟ ଜାତ ହେଉଥିବା ଦେଖିବାକୁ ମିଳିଥିଲା।

ଆଜି ଏମଭି-୩୭ରେ ପ୍ରଚାର କରୁଥିବା ବେଳେ ବିଜେଡି କର୍ମୀ ଏହାକୁ ବିରୋଧ କରିଥିଲେ। ମାଲକାନଗିରି ଜିଲ୍ଲାରେ ବିଜେପି ଜିଲ୍ଲା ପରିଷଦକୁ ହାତେଇବ ବୋଲି ଓସିମ ସରକାର କହିଥିଲେ। ବିଜେଡି ଯେତେ ଯାହା ବଳ ପ୍ରୟୋଗ କଲେ ମଧ୍ୟ କୌଣସି ଫରକ ପଡିବ ନାହିଁ ବୋଲି ଶ୍ରୀ ସରକାର କହିଥିଲେ। ଆସନ୍ତା ତିନି ଦିନ ଧରି ଓସିମ ସରକାର ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରଚାର କରିବେ ବୋଲି ଜଣାପଡିଛି।ବିଶେଷ କରି ବଂଗୀୟ ଭୋଟରଙ୍କୁ ବିଜେପି ମୁହାଁ କରାଇବାରେ ବିଧାୟକ ଶ୍ରୀ ସରକାର ସହଯୋଗ କରିବେ ବୋଲି କୁହାଯାଇଛି। ଆଗକୁ ମଧ୍ୟ ବିଜେପିର ଆହୁରି ଅନେକ ଷ୍ଟାର ପ୍ରଚାରକ ଆସିବେ ବୋଲି କୁହାଯାଇଛି।

 

ସମ୍ବନ୍ଧିତ ଖବର