ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ: ବିଜେପିରୁ ସୂରଜ ସୂର୍ଯ୍ୟବନ୍ଧୁ, ବିଜେଡିର ପ୍ରାର୍ଥୀ ଖୋଜା ଆରମ୍ଭ

ଭଦ୍ରକ: ଧାମନଗରର ପୂର୍ବତନ ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଆସନ ଖାଲି ରହିଥିଲା। ଏହି ଆସନ ପାଇଁ ଆସନ୍ତା ନଭେମ୍ବର ମାସ ୩ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଉଭୟ ବିଜେପି ଓ ବିଜେଡ଼ି ଶିବିର ଚଳଚଞ୍ଚଳ ହୋଇଉଠିଛି। ଏତେ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦଳୀୟ ନେତାମାନେ ହଡବଡେଇ ଯାଇଛନ୍ତି। ଏଠାରେ ବିଜେପି ଏଥର ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୁରଜ ସୂର୍ଯ୍ୟବନ୍ଧୁଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଥିବାବେଳେ ବିଜେଡ଼ି ମୁଖ୍ୟମନ୍ତ୍ରୀ ନବୀନଙ୍କ ଭାବମୂର୍ତ୍ତିକୁ ପାଥେୟ କରି ନିର୍ବାଚନ ପାର ହୋଇଯିବାକୁ ଯୋଜନା କରିଛି। ବିଜେଡ଼ିର ଧାମନଗର ଉପନିର୍ବାଚନ ପାଇଁ ବହୁ ଆଶାୟୀ ରହିଥିବାବେଳେ ଦଳ ସେମାନଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଜେଡ଼ିର ଉପର ମହଲାରେ ଯାହା ଯୋଜନା ହେଉଛି କାଳେ କେହି ଜଣେ ନବାଗତଙ୍କୁ ଦଳୀୟ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି। ନବାଗତ ପ୍ରାର୍ଥୀ ହେଲେ ବିଜେଡ଼ିର ନେତୃତ୍ୱ କନ୍ଦଳ ରହିବ ନାହିଁ ବୋଲି କୁହାଯାଉଛି।

ଅତୀତରେ ଯେଉଁମାନେ ଏଠାରୁ ଦଳୀୟ ଟିକଟ ପାଇ ନିର୍ବାଚିତ ହୋଇଥିଲେ ସେମାନଙ୍କ ମଧ୍ୟରୁ ମଧ୍ୟ ଆସନ୍ତା ଉପନିର୍ବାଚନ ଲାଗି ଆଶାୟୀ ଅଛନ୍ତି। ପୂର୍ବରୁ ପରାଜିତ ପ୍ରାର୍ଥୀ ମଧ୍ୟ ଏଥର ବିଜେଡ଼ିର ଦଳୀୟ ଟିକଟରୁ ନିର୍ବାଚନ ଲଢ଼ିବାକୁ ଅନାଇ ବସିଛନ୍ତି । କିନ୍ତୁ ସବୁ ସର୍ଭେ ରିପୋର୍ଟ ଓ ଦଳୀୟ ହାଇକମାଣ୍ଡଙ୍କ ନିଷ୍ପତି ଉପରେ ନିର୍ଭର କରୁଛି ବୋଲି ଶୁଣାଯାଉଛି। ବିଜେଡ଼ିର ଏକ ସର୍ଭେ ଟିମ ଯେଉଁ ରିପୋର୍ଟ ଦେଇଛି । ସେହି ଆଧାରରେ ଏଥର ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଚୟନ କରିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଧାମନଗର ବିଜେପି ଦଖଲରେ ରହିଥିଲା। ଏହି ଆସନକୁ ବିଜେଡ଼ି ନିଜ ଦଖଲକୁ ନେବା ପାଇଁ ସବୁ ପ୍ରକାର କୌଶଳ କରିବ ବୋଲି କୁହାଯାଉଛି। ଧାମନଗର ବିଜେଡ଼ି ଦଖଲ କଲେ ଜିଲ୍ଲାର ୫ଟି ଯାକ ବିଧାନସଭା ଆସନ ବିଜେଡ଼ି ହାତକୁ ଆସିଯିବ । ଦଳ ଆସନ୍ତା ୨୦୨୪ ନିର୍ବାଚନକୁ ଏହି ବାର୍ତ୍ତା ଦେବ ବୋଲି କୁହାଯାଉଛି। ସେହିପରି ବିଜେପିର ଦଖଲରେ ଥିବା ଭଦ୍ରକର ଏକ ମାତ୍ର ବିଧାନସଭା ଆସନ ପୁଣି କିଭଳି ବଜାୟ ରହିବ। ତାହାକୁ ନେଇ ବିଜେପିର ରାଜ୍ୟ ନେତା ଓ କେନ୍ଦ୍ରୀୟ ନେତା ଯୋଜନା ଆରମ୍ଭ କରିଛନ୍ତି।

ଧାମନଗର ପୁଣି ବିଜେପି ଦଖଲରେ ରହିଲେ ଏହା ବିଜେପି ପାଇଁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏକ ଶୁଭ ବାର୍ତ୍ତା ଦେବ୍ ବୋଲି ଦଳୀୟ କର୍ମୀ କହିବା ଆରମ୍ଭ କରିଛନ୍ତି। ବିଷ୍ଣୁଙ୍କ ଅବର୍ତ୍ତମାନରେ ତାଙ୍କ ପୁଅ ସୁରଜଙ୍କୁ ଦଳୀୟ ନେତା ଓ କର୍ମୀମାନେ ଭୋଟ ଦେଇ ପୁଣି ଜୟଯୁକ୍ତ କରିବେ ବୋଲି ଏବେ ଠାରୁ ଅଣ୍ଟା ଭିଡିବା ଆରମ୍ଭ କରିଥିବାବେଳେ ବିଜେଡ଼ି ମଧ୍ୟ ଏଠାରେ ନେତା ନେତାଙ୍କ ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ପଛରେ ପକାଇ ଉପନିର୍ବାଚନ ବୈତରଣୀରେ ପାର ହେବାକୁ ଯୋଜନା ପ୍ରସ୍ତୁତି କରୁଛି। ପ୍ରକାଶ ଥାଉ କି, ବିଷ୍ଣୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିରୁ ଦଳୀୟ ପ୍ରାର୍ଥୀ ହୋଇ ଧାମନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ଭଦ୍ରକ ଜିଲ୍ଲାରେ ୫ ଟି ବିଧାନସଭା କ୍ଷେତ୍ରରୁ ୪ଟି ବିଧାନସଭା କ୍ଷେତ୍ରରେ ବିଜେଡି ବିଜୟୀ ହୋଇଥିବାବେଳେ ଧାମନଗର ଆସନରୁ ବିଷ୍ଣୁ ବିଜୟୀ ହୋଇ ବିଜେପି ଦଳର ସ୍ବାଭିମାନ ରକ୍ଷା କରିଥିଲେ। ନିର୍ବାଚନରେ ବିଜେଡି – ବିଜେପି ମଧ୍ୟରେ କଡା ଟକ୍କର ହେବା ସହ ବିଷ୍ଣୁ ୪୬୨୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଦଳ ପାଇଁ ଗୌରବ ଆଣିଥିଲେ। ବିଷ୍ଣୁଙ୍କର ଏଇ ବିଜୟ ପରେ ତାଙ୍କୁ ବିଧାସଭାରେ ବିରୋଧୀ ଦଳର ଉପନେତା ପଦବୀ ମିଳିଥିଲା। ଏହି ଦୃଷ୍ଟିକୋଣରୁ ଧାମନଗର ନିର୍ବାଚନ ମଣ୍ଡଳୀର ଆସନ୍ତା ଉପନିର୍ବାଚନ ବିଶେଷ ଗୁରୁତ୍ବ ବହନ କରୁଛି।

ସମ୍ବନ୍ଧିତ ଖବର